କଟକରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍‌ ଉଦ୍‌ଘାଟିତ, ପୂଜା ପୂର୍ବରୁ ଲାଗିବ ୫୦୦ ସିସିଟିଭି କ୍ୟାମେରା

କଟକ: କଟକ ସହରର ପ୍ରତ୍ୟେକ ଛକ ଉପରେ ନଜର ରଖିବ କଟକ କମିସନରେଟ୍ ପୁଲିସର ତୃତୀୟ ନୟନ ବା ସିସିଟିଭି । ଏହାକୁ ମନିଟରିଂ କରୁଥିବା ଆଧୁନିକ କଣ୍ଟ୍ରୋଲ ରୁମ୍‌କୁ କଟକ ଡିସିପି ପିନାକ ମିଶ୍ର ଉଦ୍‌ଘାଟନ କରିଛନ୍ତି। ଆଗକୁ ଆସୁଛି ପାର୍ବଣ ଋତୁ । ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ପୂଜାକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ଅତ୍ୟାଧୁନିକ ସିସିଟିଭି ଲାଇଭ ଫୁଟେଜ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରାଯାଇଛି । ଏଥିରେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ୨୦୧ଟି ସିସିଟିଭିର ଲାଇଭ୍ ଫୁଟେଜକୁ ସଂଯୋଗ କରାଯାଇଛି । ଆଗକୁ ଏହି ସଂଖ୍ୟା ଆଗକୁ ଅଧିକ ବୃଦ୍ଧି ପାଇବ । କଟକ ଡିସିପିଙ୍କ ଅଫିସରେ ଉଦଘାଟିତ ହୋଇଥିବା ଏହି ମର୍ଡନ କଣ୍ଟ୍ରୋଲ ରୁମରେ ୨୪୭ ନଜର ରଖିବା ପାଇଁ ପୁଲିସ ଅଫିସରଙ୍କ ସହ ହାବିଲଦାର ଓ କନେଷ୍ଟବଳଙ୍କୁ ନିୟୋଜିତ କରାଯାଇଛି।

ଆସନ୍ତା ସାତ ଦିନ ମଧ୍ୟରେ ସହରରେ ଆଉ ଶହେଟି କ୍ୟାମେରା ଲଗାଯିବାକୁ ସ୍ଥିର ହୋଇଛି । ପୂଜା ପୂର୍ବରୁ ପାଞ୍ଚ ଶହ କ୍ୟାମେରା ସହରରେ ଲଗାଯିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି । ପୂଜା କମିଟି, ସାହି କମିଟି, ବ୍ୟବସାୟୀ ସଂଘର ସହଯୋଗରେ ଲାଗିଥିବା ସମସ୍ତ ସିସିଟିଭିର ଫୁଟେଜକୁ ଅନବରତ ଏକ ଟିମ୍ ନଜର ରଖିବ। ଏହି ସିସିଟିଭି ସବୁ ପୂଜା ସମୟରେ ହେଉଥିବା ବିଶୃଙ୍ଖଳା ଓ ଅନ୍ୟ ଅପରାଧ ଧରିବାରେ ସହାୟକ ହେବ ବୋଲି ପୁଲିସ ଆଶା ରଖିଛି ।

ସମ୍ବନ୍ଧିତ ଖବର