ଗୋପ ରାସ୍ତାରେ ଆଧୁନିକ ଶ୍ରବଣ କୁମାର: ମା’କୁ ଟ୍ରଲିରେ ନେଇ କାମକୁ ଯା’ନ୍ତି

ଗୋପ : ପୂର୍ବ ଯୁଗରେ ନିଜ ଅନ୍ଧ ପିତାମାତାଙ୍କୁ ତୀର୍ଥ ଦର୍ଶନ କରାଇବା ନିମନ୍ତେ ଯେପରି ଭାବରେ ଶ୍ରବଣ କୁମାର କାନ୍ଧରେ ବସାଇ ସେମାନଙ୍କର ଶେଷ ଇଚ୍ଛା ପୁରଣ କରିଥିଲେ, ସେହିପରି ଭାବରେ ଆଜିକାର ଦିନରେ ଜଣେ ଟ୍ରଲି ଚାଳକ ତାଙ୍କ ମା’ ନିମନ୍ତେ ସାହାରା ପାଲଟିଯାଇଛନ୍ତି। ଆଜି ଗୋପ-ବାଲିଘାଇ ରାସ୍ତାର ଗଣେଶ୍ବରପୁରଠାରେ ଏହି ଭଳି ଏକ ଦୃଶ୍ୟ ଲୋକଙ୍କ ହୃଦୟକୁ ତରଳାଇ ଦେଇଛି। କିଛି ସମୟ ନିମନ୍ତେ ଲୋକମାନେ ପୂର୍ବ ଯୁଗର ଶ୍ରବଣ କୁମାରଙ୍କୁ ମନେ ପକାଇଦେଇ ସ୍ତବ୍ଧ ହୋଇଯାଇଥିଲେ।

ସମୟ ପୂର୍ବାହ୍ଣ ୧୧ଟା। ବେଦପୁର ପଞ୍ଚାୟତ ବାଲିକନ୍ଦଳ ଗ୍ରାମର ଉମେଶ ଚନ୍ଦ୍ର ଦାସ ନିଜ ବୃଦ୍ଧା ମା’ ଙ୍କୁ ଏକ ଟ୍ରଲି ରିକ୍ସାରେ ବସାଇ ନିଜ ଘରକୁ ଫେରୁଥିଲେ। ତାଙ୍କ ବିଷୟରେ ପଚାରି ବୁଝିବାରୁ ଜଣାପଡ଼ିଥିଲା ଯେ ତାଙ୍କ ପରିବାର କହିଲେ ତିନି ଭାଇ ଓ ବୃଦ୍ଧା ମା’। ଦୁଇ ପୁଅ ଭୁବନେଶ୍ବରରେ ନିଜ ପରିବାର ସହିତ ରହିଥିବା ବେଳେ ସାନ ପୁଅ କିନ୍ତୁ ମା’କୁ ଛାଡି କୁଆଡେ ଗଲେନାହିଁ। ସେ ନିଜ ବୃଦ୍ଧା ମା’ଙ୍କ ସେବା କରିବା ନିମନ୍ତେ ଅବିବାହିତ ରହିଯାଇଛନ୍ତି। ମା’ଙ୍କୁଏକୁଟିଆ ଘରେ ଛାଡି ଯାଆନ୍ତି ନାହିଁ। ମା’ ମଧ୍ୟ ପୁଅର ଅନୁପସ୍ଥିତକୁ ମଧ୍ୟ ସହ୍ୟ କରିପାରନ୍ତି ନାହିଁ। ଘରେ କେହି ନଥିବାରୁ କୌଣସି କାର୍ଯ୍ୟ ପଡ଼ିଲେ ସେ ଏହି ଟ୍ରଲି ରିକ୍ସା ସାହାଯ୍ୟରେ କାର୍ଯ୍ୟ କରି ଘରକୁ ଫେରିଥାଆନ୍ତି। ଘରକୁ ଫେରି ନିଜେ ରୋଷେଇ କରନ୍ତ ଓ ମା’କୁ ଗାଧୋଇ ଦେଇ ଖାଇବାକୁ ଦିଅନ୍ତି। ପୁଣି ସକାଳ ହେଲେ ନିଜ ମା’କୁ ଧରି ବୁଲାଇ ଆଣନ୍ତି ନଚେତ୍ କାର୍ଯ୍ୟରେ ବାହାରିଥାନ୍ତି। କେଉଁଠି ଛାଇ ଦେଖି ମା’କୁ ବସାଇ ଦେଇ ନିଜ କାର୍ଯ୍ୟରେ ଲାଗିଯାଆନ୍ତି। ଗଣେଶ୍ବରପୁର ଅଞ୍ଚଳରେ ତାଙ୍କର ଚାଷ ଜମି ଥିବାରୁ ସେ ଚାଷ ଜମି ଦେଖିବା ସହିତ ଚାଷ କରୁଥିବା ଲୋକଙ୍କ ସହିତ ଆଲୋଚନା କରି ଫେରିଥିଲେ। ସେସବୁ ବାଦ୍‌ ଘରର ସମସ୍ତ କାର୍ଯ୍ୟ ନିଜେ କରିବା ସହିତ ବୃଦ୍ଧା ମା’ଙ୍କର ଯେପରି ସେବା କରିଚାଲିଛନ୍ତି ସତରେ ତାହା ଆଜିକାର ଯୁଗରେ ବିରଳ ଦୃଶ୍ୟ। ଉମେଶ ନିଜ ମାଆକୁ ଟ୍ରଲିରେ ବସାଇ ଡହ ଡହ ଖରାକୁ ଖାତିର ନକରି ଟ୍ରଲିକୁ ଚଲାଇ ଆଗକୁ ଚାଲିଯାଇଥିଲେ ସତ କିନ୍ତୁ ଆଜିର ଲୋକମାନଙ୍କ ନିମନ୍ତେ କିଛି ଅକୁହା ବାର୍ତ୍ତା ଛାଡ଼ି ଯାଉଥିଲେ।

ସମ୍ବନ୍ଧିତ ଖବର