ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ : ଯାତ୍ରୀଙ୍କ ସୁବିଧା ପାଇଁ ଗଡ଼ିଲା ୧୦ ମାଗଣା ବସ୍‌, ୨୫ ତାରିଖ ଯାଏ ଅଧିକାଂଶ ଟ୍ରେନ୍‌ ବାତିଲ

ପୁରୀ : ପୁରୀ ରେଳ ଷ୍ଟେସନ୍‌ର ଆଧୁନିକୀକରଣ ପାଇଁ ଆଜି ପୁରୀ ଷ୍ଟେସନ୍‌ରୁ ୧୨ ଯୋଡ଼ା ଏକ୍ସପ୍ରେସ୍‌ ଟ୍ରେନ୍‌ ସହିତ ୪ ଯୋଡ଼ା ପାସେଞ୍ଜର ଟ୍ରେନ୍‌ ସଂପୂର୍ଣ୍ଣ ବାତିଲ କରାଯାଇଛି। ସେହିଭଳି ୭ଟି ଏକ୍ସପ୍ରେସ୍‌, ମେଲ୍‌ ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ବାତିଲ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ମାଗଣା ବସ୍‌ ସୁବିଧା କରାଯାଇଛି। ଭୁବନେଶ୍ୱର-ପୁରୀ ଓ ଖୋର୍ଦ୍ଧା ରୋଡରୁ ୧୦ଟି ବସ୍‌ ଚଳାଚଳ କରୁଛି। ଯାତ୍ରୀମାନଙ୍କୁ ଠିକଣା ସମୟରେ ପହଞ୍ଚାଇବା ଲାଗି ରେଳବାଇ ପକ୍ଷରୁ ଭୁବନେଶ୍ୱରରୁ ୮ଟି ବସ୍‌ ପୁରୀକୁ ଯାତାୟାତ କରୁଥିବା ବେଳେ ଖୋର୍ଦ୍ଧା ରୋଡରୁ ପୁରୀକୁ ଦୁଇଟି ବସ୍‌ ଯାଆସ କରୁଛି। ୧୧ ଦିନ ଧରି ପୁରୀ ରେଳ ଷ୍ଟେସନ୍‌ର ମରାମତି କାମ ଚାଲିବ। ରେଳ ପ୍ଲାଟଫର୍ମରେ ଅଧିକ କୋଚ୍‌ ରହିବାର ବ୍ୟବସ୍ଥା, ସିଗନାଲ୍‌ ସମେତ ରେଳ ଷ୍ଟେସନ୍‌ ଭିତ୍ତିଭୂମିର ବିକାଶ ପାଇଁ ଆଜିଠାରୁ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ୱ ଶ୍ରମିକ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି। ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଯାତ୍ରୀଙ୍କୁ ସୂଚନା ଦିଆଯାଉଛି। ହେଲ୍‌ପ୍‌ ଲାଇନ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର