ପୁଲିସ ବଳର ଆଧୁନିକୀକରଣ: ୨୦୨୨-୨୩ ବର୍ଷରେ ଓଡ଼ିଶା ନିମନ୍ତେ ୧୩.୯୧ କୋଟି

ଭୁବନେଶ୍ବର : ଭାରତ ସରକାର ପୁଲିସ ବଳର ଆଧୁନିକୀକରଣ ବୃହତ ଯୋଜନା ଅଧୀନରେ ୧୫ଟି ଉପଯୋଜନା ଅନୁମୋଦନ କରିଛନ୍ତି । ୨୬, ୨୭୫ କୋଟି ଟଙ୍କା କେନ୍ଦ୍ରୀୟ ବ୍ୟୟ ଅଟକଳରେ ଏହି ଉପଯୋଜନାମାନ ପାଞ୍ଚ ବର୍ଷ ମଧ୍ୟରେ (୨୦୨୧-୨୨ରୁ ୨୦୨୫-୨୬) ତ୍ୱରାନ୍ୱିତ ହେବ । ଏହି ଉପଯୋଜନା ଅଧୀନରେ ଗୋଟିଏ ହେଲା, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୁଲିସ ବଳର ଆଧୁନିକୀକରଣ ବାବଦ ସହାୟତା । ଯୋଜନା କାଳରେ ଏହାର ବ୍ୟୟବରାଦ ୪ ହଜାର ୮୪୬ କୋଟି ଟଙ୍କା ରଖାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଯୋଜନାରେ ଓଡିଶା ୧୩.୯୧ କୋଟି ଟଙ୍କା ସହାୟତା ପାଇବ। ପୁଲିସ ବଳର ଆଧୁନିକୀକରଣ ବୃହତ ଯୋଜନା ଅଧୀନରେ ଭାରତ ସରକାର ଅପରାଧ ବିଜ୍ଞାନ ସାମର୍ଥ୍ୟ ବୃଦ୍ଧି ପାଇଁ ମଧ୍ୟ ଆଧୁନିକ ଯୋଜନା ରଖିଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ବୈଷୟିକ ଜ୍ଞାନ ଉପଯୋଗ ତଥା ତାଲିମ ମାନବ ସମ୍ବଳ ଓ ପରୀକ୍ଷାଗାରରେ ଅତ୍ୟାଧୁନିକ ବ୍ୟବସ୍ଥା ଜରିଆରେ ସମୟୋଚିତ ତଦନ୍ତ କରିବା ଏହି ଉପଯୋଜନା ସହାୟତାର ଲକ୍ଷ୍ୟ।

“ପୁଲିସ ବଳର ଆଧୁନିକୀକରଣ” ଭଳି ବୃହତ୍‌ ଯୋଜନା ଅଧୀନରେ ମାଦକଦ୍ରବ୍ୟ ନିୟନ୍ତ୍ରଣ ନିମସ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରଦାନ କରାଯାଉଥିବା ସହାୟତା ଯୋଜନା ଅବଧିକୁ ଆଉ ପାଞ୍ଚ ବର୍ଷ ଅର୍ଥାତ୍‌ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବାବଦରେ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଉପଯୋଗ ଓ ସଞ୍ଚୟକୁ ଭିତ୍ତିକରି ଯୋଜନା ବ୍ୟୟବରାଦ ରାଶି ସଂଶୋଧିତ ହେବ। ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ଏହା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର