ଦକ୍ଷିଣ-ପଶ୍ଚିମ ରେଳପଥରେ ଆଧୁନିକୀକରଣ କାର୍ଯ୍ୟ : ପୁରୀ-ଯଶୋବନ୍ତପୁର ସାପ୍ତାହିକ ଟ୍ରେନ ବାତିଲ୍‌

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ୟେଲହଂକା-ଧର୍ମାଭରମ୍‌ ରେଳ ସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଓ ୟେଲହଂକା-ମକ୍ଲିଦୃଗ ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ତଥା ନନ୍‌-ଇଣ୍ଟରଲକିଙ୍ଗ ପାଇଁ ଏହି ମାର୍ଗରେ ଟ୍ରେନ ସେବା ପ୍ରଭାବିତ ହେବ। ପୂର୍ବତଟ ରେଳପଥରୁ ଛାଡ଼ୁଥିବା ଓ ଏହା ମଧ୍ୟ ଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ଆଂଶିକ ବାତିଲ, ବାତିଲ ଓ ମାର୍ଗ ପରିବର୍ତ୍ତିତ ହୋଇ ଚଳାଚଳ କରିବ। ଫେବ୍ରୁଆରି ୧୯ରେ ପୁରୀରୁ ଛାଡ଼ିବାକୁ ଥିବା ଓ ୨୦ ତାରିଖରେ ଯଶୋବନ୍ତପୁରରୁ ଛାଡ଼ିବାକୁ ଥିବା ପୁରୀ-ଯଶୋବନ୍ତପୁର-ପୁରୀ ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ(୦୨୦୬୩/୦୨୦୫୬୪) ବାତିଲ ରହିବ।

ସେହିପରି ଫେବ୍ରୁଆରି ୧୧ରୁ ୨୩ ମଧ୍ୟରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଓ ଫେବ୍ରୁଆରି ୧୨ରୁ ୨୪ ମଧ୍ୟରେ ବେଙ୍ଗାଲୁରୁରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ସ୍ବତନ୍ତ୍ର ପ୍ରଶାନ୍ତି ଏକ୍ସପ୍ରେସ(୦୮୪୬୩/୦୮୪୬୪) ଭୁବନେଶ୍ୱର-ସତ୍ୟସାଇ ପ୍ରଶାନ୍ତି ନିଳୟମ୍‌ ମଧ୍ୟରେ ଚଳାଚଳ କରିବ। ସତ୍ୟସାଇ ପ୍ରଶାନ୍ତି ନିଳୟମ ଓ ବେଙ୍ଗାଲୁରୁ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ଫେବ୍ରୁଆରି ୧୪ରୁ ୨୧ ମଧ୍ୟରେ ବେଙ୍ଗାଲୁରୁରୁ ଛାଡ଼ିବାକୁ ଥିବା ବେଙ୍ଗାଲୁରୁ-ଦିମାପୁର ବିଶେଷ ପାର୍ସଲ ଏକ୍ସପ୍ରେସ(୦୦୬୧୭), ଫେବୃଆରି ୧୬ରୁ ୨୧ ମଧ୍ୟରେ ବେଙ୍ଗାଲୁରୁରୁ ଛାଡ଼ିବାକୁ ଥିବା ବେଙ୍ଗାଲୁରୁ-ଗୌହାଟି ବିଶେଷ ପାର୍ସଲ ଏକ୍ସପ୍ରେସ(୦୦୬୧୯), ଫେବ୍ରୁଆରି ୧୭ରେ ଦିମାପୁରଠାରୁ ଛାଡ଼ିବାକୁ ଥିବା ଦିମାପୁର-ବେଙ୍ଗାଲୁରୁ ବିଶେଷ ପାର୍ସଲ ଏକ୍ସପ୍ରେସ(୦୦୬୧୮) ଓ ଫେବ୍ରୁଆରି ୨୦ରେ ଗୌହାଟିଠାରୁ ଛାଡ଼ିବାକୁ ଥିବା ଗୌହାଟି-ବେଙ୍ଗାଲୁରୁ ବିଶେଷ ପାର୍ସଲ ଏକ୍ସପ୍ରେସ(୦୦୬୨୦) ଧର୍ମାଭରମ ଓ ଅନନ୍ତପୁର ମାର୍ଗ ପରିବର୍ତ୍ତେ ଉଭୟ ପାର୍ଶ୍ୱରୁ ତୁମକୁର-ଆରସିକେରେ-ରାୟଦୁର୍ଗ-ବେଲାରି-ଗୁଣ୍ଟାକାଲ-ଧୋନ ଷ୍ଟେସନ ମାର୍ଗରେ ଚଳାଚଳ କରିବ।

ସମ୍ବନ୍ଧିତ ଖବର