ବାତ୍ୟା ବିଧ୍ୱସ୍ତ ଅଞ୍ଚଳର ପୁନର୍ଗଠନ ପାଇଁ ଆଉ ୧ ହଜାର କୋଟି ଦେଲେ ମୋଦି, ପ୍ରତି ମୃତ ବ୍ୟକ୍ତିଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ୱର : ଅତି ଭୟଙ୍କର ମହାବାତ୍ୟା ଫନି ଗତ ଶୁକ୍ରବାରଦିନ ଉପକୂଳ ଓଡ଼ିଶାରେ ନାହିଁ ନଥିବା କ୍ଷୟ କ୍ଷତି କରିଛି । ଏହି ବାତ୍ୟା ପ୍ରପୀଡିତ ଅଂଚଳକୁ ଆଜି ଆକାଶମାର୍ଗରୁ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ତାଙ୍କ ସହ ରାଜ୍ୟପାଳ ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାତ୍ୟା ବିଧ୍ୱଂସ୍ତ ଅଂଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମୋଦି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି ।

ଏହା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରହିବା ଫଳରେ ଏକ ବଡ଼ ବିପର୍ଯ୍ୟୟକୁ ଏଡାଇଦିଆଯାଇପାରିଛି । ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରୀତ କରିବା ଏକ ବହୁତ ବଡ଼ ସଫଳତା । ଏଥିପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଧନ୍ୟବାଦର ପାତ୍ର । କେନ୍ଦ୍ର ସରକାର ବାତ୍ୟା ଅଞ୍ଚଳର ପୁନର୍ନିମାଣ ପାଇଁ ପୂର୍ବରୁ ୩୪୧ କୋଟି ଦେଇଥିବା ବେଳେ ଆଉ ୧୦୦୦ କୋଟି ଟଙ୍କା ପ୍ରଦାନ କରାଯିବ । ପୁନର୍ଗଠନ ପାଇଁ ମାନବ ସମ୍ବଳ, ଅର୍ଥ ଓ ଯନ୍ତ୍ରପାତିର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି । ଏହି ଅବସରରେ ମୋଦି ମୃତ ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର