ଭୁବନେଶ୍ବର: ଆଜି ଏକ ବିଶେଷ ଦିନ। କାରଣ ଓଡ଼ିଶାରେ ବିଜେପିର ପ୍ରଥମ ସରକାର ସଫଳତାର ସହ ବର୍ଷେ ପୂରଣ କରିଛି। ଏହା କେବଳ ସରକାରର ବର୍ଷ ପୂର୍ତ୍ତି ନୁହେଁ, ସୁଶାସନର ୧ ବର୍ଷ ପୂର୍ତ୍ତି। ଜନସେବାକୁ ସମର୍ପିତ ହୋଇଥିବା ଏହି ସରକାର ଓଡ଼ିଶାର କୋଟି କୋଟି ମତଦାତାଙ୍କ ବିଶ୍ବାସର ଏକ ନିଷ୍ଠାପର ପ୍ରୟାସ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ପୂରା ଟିମ୍ ବର୍ଷକ ମଧ୍ୟରେ ଓଡ଼ିଶାର ପ୍ରଗତି ପାଇଁ କାମ କରିଛନ୍ତି, ଏକ ଦୁର୍ନୀତିମୁକ୍ତ ସରକାର ଗଠନ କରିଛନ୍ତି। ବିକାଶକୁ ନୂଆ ଗତି ଦେଇଛନ୍ତି। ଏଥିପାଇଁ ଓଡ଼ିଶାବାସୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୂରା ଟିମ୍କୁ ଶୁଭେଚ୍ଛା ଜଣାଉଛି।
କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ୧୧ବର୍ଷ ଏବଂ ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁକ୍ରବାର ଜନତା ମଇଦାନରେ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ମୋହନ ସରକାରଙ୍କୁ ପ୍ରଶଂସା କରିବା ସହ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶା କେବଳ ଗୋଟିଏ ରାଜ୍ୟ ନୁହେଁ, ଏହା ଭାରତ ବିକାଶର ଏକ ଦିବ୍ୟ ତାରକା। ଓଡ଼ିଶା ଶହଶହ ବର୍ଷ ଧରି ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି। ଓଡ଼ିଶାର ବିକାଶ ଭାରତର ପ୍ରଗତି ମନ୍ତ୍ର ପାଲଟିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଶ୍ରୀମନ୍ଦିରର ଥିବା ବିଭିନ୍ନ ସମସ୍ୟାର ବି ସମାଧାନ ହୋଇଛି। ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟ ହୋଇଛି। ମୋହନ ମାଝୀ କୋଟିକୋଟି ଶ୍ରଦ୍ଧାଳୁଙ୍କ ମାନ ରଖିଛନ୍ତି। ଏହା ରାଜନୀତିରେ ବିଜୟ କି ପରାଜୟର କଥା ନୁହେଁ, ଏହା କୋଟିକୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର ବିଷୟ ଥିଲା।
ମୋଦୀ ତାଙ୍କ ଭାଷଣରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ, ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ଅନେକ ସମସ୍ୟାରେ ଯୁଝି ହେଉଥିଲା। ଅନେକ କ୍ଷେତ୍ରରେ ପଛରେ ପଡ଼ିଯାଇଥିଲା। ଗରିବ, କୃଷକ କେହି ତାଙ୍କର ହକ୍ ପାଉନଥିଲେ। ଓଡ଼ିଶାରେ ଭିତ୍ତିଭୂମି ବେହାଲ୍ ଥିଲା। ଭ୍ରଷ୍ଟାଚାର ବଢ଼ିଯାଇଥିଲା। କେନ୍ଦ୍ର ସରକାରଙ୍କ ବହୁ ଯୋଜନାର ସୁଫଳ ଲୋକଙ୍କୁ ମିଳୁ ନଥିଲା। ଯେପରି ପ୍ରଧାନମନ୍ତ୍ରୀ କୃଷକ ନିଧି ହେଉ କି ଆୟୁଷ୍ମାନ ଭାରତ ଭଳି ଯୋଜନା। ପୂର୍ବ ସରକାର ଆଦିବାସୀଙ୍କୁ ବାରମ୍ବାର ଉପେକ୍ଷା କରୁଥିଲା। ଲମ୍ବା ଶାସନ କରିଥିବା ଦଳ ଆଦିବାସୀଙ୍କୁ କିଛି ଦେଇନଥିଲା। ଆଦିବାସୀ ନକ୍ସଲବାଦରେ ଘାଣ୍ଟି ହେଉଥିଲେ। କିନ୍ତୁ ବିଜେପି ସରକାର ଏହାକୁ ଦୂର କରିବାରେ ସଫଳ ହୋଇଛି। ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଆସିବା ପରେ ଲୋକଙ୍କୁ ଡବଲ୍ ଫାଇଦା ମିଳୁଛି। ସମସ୍ତ କେନ୍ଦ୍ରୀୟ ଯୋଜନା ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚୁଛି। ୨୦୩୬ ସୁଦ୍ଧା ପୂର୍ବ ଭାରତର ବିକାଶ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆସାମ ଓ ତ୍ରିପୁରାରେ ବିଜେପି ସରକାର ଗଠନ ହେବା ପରେ ଏହାକୁ ବଳ ମିଳିଛି। କିନ୍ତୁ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏଥିରେ ଗତି ଆସିଛି। ପୂର୍ବୋଦୟରୁ ଓଡ଼ିଶାର ବିକାଶ ହେବ। ଆଗାମୀ ଦିନରେ ଓଡ଼ିଶା ଭାରତର ପେଟ୍ରୋକେମିକାଲ୍ ହବ୍ ବନିବାକୁ ଯାଉଛି। ଓଡ଼ିଶାରେ ପେଟ୍ରୋଲିୟମ ଓ ପେଟ୍ରୋ କେମିକାଲ୍ସ କାରବାର ବଢ଼ିବ। ୧୩ଲକ୍ଷ କୋଟିର ନିବେଶ ହେବ। ଆଗାମୀ ୧୦ ବର୍ଷ ପାଇଁ ଓଡ଼ିଶା ବିକାଶର ରୋଡ୍ମ୍ୟାପ ପ୍ରସ୍ତୁତ ହୋଇଛି। ଆମେ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବୁ।
ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ
ଡବଲ୍ ଇଞ୍ଜିନ୍ ସରକାରରେ ଡବଲ୍ ଲାଭ ମିଳୁଛି
ପୂର୍ବ ସରକାରରେ ଗରିବ, କୃଷକ ହକ୍ ପାଉ ନ ଥିଲେ
ଓଡ଼ିଶା ହେବ ଦେଶର ‘ପେଟ୍ରୋ କେମିକାଲ୍’ ହବ୍
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଷକର ସରକାରଙ୍କ ସଫଳତା କହିବା ସହ କିପରି ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗୋଟି ଗୋଟି କରି ପୂରଣ କରାଯାଉଛି ତାହା ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ନୂତନ ସରକାର ଶପଥ ଗ୍ରହଣ କରିଥିଲା ଏବଂ ଏହି ସଫଳ ଏକ ବର୍ଷର ଯାତ୍ରା ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଆମ ସମସ୍ତଙ୍କ ମନୋବଳକୁ ବଢ଼ାଇଛି। ମୁଁ ଗର୍ବ ଓ ଗୌରବର ସହିତ କହିବାକୁ ଚାହୁଁଛି ଯେ ଦେଶ ପ୍ରଧାନମନ୍ତ୍ରୀଙ୍କ ହାତରେ ସୁରକ୍ଷିତ ଅଛି। ପୂର୍ବରୁ ଲୋକମାନେ କହୁଥିଲେ, ‘ମୋଦୀ ହେ ତୋ, ମୁମ୍କିନ୍ ହେ’, ଅପରେସନ୍ ‘ସିନ୍ଦୂର’ ପରେ ଆଜି ସମଗ୍ର ଦେଶ କହୁଛି ‘ମୋଦୀ ହେ ତୋ, ଦେଶ୍ ସୁରକ୍ଷିତ ହେ’। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗତ ୧ ବର୍ଷ ଧରି ଆମେ ଓଡ଼ିଶାବାସୀଙ୍କ ସେବାରେ ନିରବଚ୍ଛିନ୍ନ ଭାବେ ପ୍ରତ୍ୟେକ ମୁହୂର୍ତ୍ତ କାମ କରିଛୁ। ଆପଣ ଦେଇଥିବା ‘ସବ୍କା ସାଥ୍, ସବ୍କା ବିକାଶ୍, ସବ୍କା ବିଶ୍ୱାସ୍, ସବ୍କା ପ୍ରୟାସ୍’ ମନ୍ତ୍ରକୁ ଆଧାର କରି ଆମେ ଆଗକୁ ବଢ଼ୁଛୁ। ଆପଣ ଉଲ୍ଲେଖ କରିଥିବା ଚାରି ବର୍ଗ ‘ଗରିବ, ଅନ୍ନଦାତା, ମହିଳା ଓ ଯୁବା’ ସମସ୍ତଙ୍କୁ ନଜରରେ ରଖି ଆମର କାର୍ଯ୍ୟକ୍ରମ ଅବ୍ୟାହତ ରହିଛି।
ଗତ ଜାନୁଆରିରେ ପ୍ରଧାନମନ୍ତ୍ରୀ ‘ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେଇ ସାରା ବିଶ୍ୱର ଉଦ୍ୟୋଗପତିମାନଙ୍କୁ ଓଡ଼ିଶାରେ ନିବେଶ କରିବାପାଇଁ ଆହ୍ବାନ ଦେଇଥିଲେ। ଏହାର ଫଳସ୍ୱରୂପ, କେବଳ ଦୁଇ ଦିନ ମଧ୍ୟରେ ରେକର୍ଡ ୧୭ ଲକ୍ଷ କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ମିଳିଥିଲା। ଏହାପରେ ଆମେ କେବଳ ଏମ୍ଓୟୁ ସ୍ବାକ୍ଷର କରି ରହିଯାଇନୁ। ବିଗତ ୧୪୦ ଦିନ ମଧ୍ୟରେ, ପ୍ରାୟ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ୫୬ଟି ଉଦ୍ୟୋଗ ଆରମ୍ଭ ମଧ୍ୟ କରିଛୁ। ଆମର ଲକ୍ଷ୍ୟ ରହିଛି, ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ଔଦ୍ୟୋଗିକ କେନ୍ଦ୍ରରେ ପରିଣତ କରିବା। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ନିଶ୍ଚିତ ଭାବେ ‘ପୂର୍ବୋଦୟ’ ଘଟିବ। ଆପଣଙ୍କ ସମର୍ଥନ ଓ ମାର୍ଗଦର୍ଶନ, ଓଡ଼ିଶାକୁ ଏକ ନୂତନ ଓଡ଼ିଶାରେ ପରିଣତ କରିବ। ମୋର ପୂରା ବିଶ୍ୱାସ ଅଛି ଯେ ୨୦୩୬ ସୁଦ୍ଧା ଆମ ରାଜ୍ୟ ସମୃଦ୍ଧ ଓଡ଼ିଶା ହେବ ଏବଂ ୨୦୪୭ରେ ଆମ ଦେଶ ବିକଶିତ ଭାରତରେ ପରିଣତ ହେବ ବୋଲି ଶ୍ରୀ ମାଝୀ କହିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୮୬୫୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଏଥିରେ ୯,୬୪୨ କୋଟି ଟଙ୍କାର ୬୦ଟି ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୯,୦୧୧ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହାସହ ୩୧୯କୋଟି ଟଙ୍କାର ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ, ଭିଜନ୍ ଡକୁମେଣ୍ଟ ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭’, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ବୌଦ୍ଧ-ସମ୍ବଲପୁର ଓ ବୌଦ୍ଧ- ନୂଆ ଭୁବନେଶ୍ୱର ମଧ୍ୟରେ ଦୁଇଟି ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କେତେକ ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ରୋଡ୍ ସୋ’ରେ ଭୁବନେଶ୍ବର ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ଆସିଥିଲେ। ଜନତା ମଇଦାନରେ ଉପସ୍ଥିତ ଜନତାଙ୍କ ମଧ୍ୟରେ ଖୋଲା ଜିପ୍ରେ ଅଭିବାଦନ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଅଭିବାଦନ ଗ୍ରହଣ କରିଥିଲେ। ସଭାମଞ୍ଚରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ।
ସାମନାକୁ ଆସିଲା ବିକଶିତ ଓଡ଼ିଶାର ନକ୍ସା
ଓଡ଼ିଶା ଭିଜନ୍ ୨୦୩୬ ଏବଂ ୨୦୪୭ ଉନ୍ମୋଚିତ
ଅର୍ଥନୀତିର ଆକାର ୧୩ ଗୁଣା ବଡ଼ ହେବ
ଭୁବନେଶ୍ବର: ଆଜି ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପାଇଁ ଭିଜନ୍ ୨୦୩୬ ଏବଂ ୨୦୪୭ର ଉନ୍ମୋଚନ କରିଛନ୍ତି। ୨୦୩୬ ମସିହାରେ ଭାଷାଭିତ୍ତିରେ ରାଜ୍ୟ ଗଠନକୁ ଓଡ଼ିଶାକୁ ୧୦୦ ବର୍ଷ ପୂରଣ ହେବ। ଏଥିସହିତ ୨୦୪୭ ମସିହାରେ ଭାରତର ସ୍ବାଧୀନତାକୁ ୧୦୦ ବର୍ଷ ପୂରଣ ହେବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଦେଶର ଏକ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ୨୦୪୭ ସୁଦ୍ଧା ଓଡ଼ିଶାକୁ ୧.୫ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବା ପାଇଁ ରାଜ୍ୟ ସରକାର ରଣନୀତିକ ପରିବର୍ତ୍ତନ ଏବଂ ଅଭିନବ ପଦକ୍ଷେପ ଉପରେ ଗୁରୁତ୍ବ ଦେଇଛନ୍ତି। କୃଷି ସହିତ ସରକାର ଶିଳ୍ପ ଏବଂ ସେବା କ୍ଷେତ୍ର ଉପରେ ଧ୍ୟାନ ଦେବେ। ଏଥିରେ ମୂଲ୍ୟଯୁକ୍ତ ଶିଳ୍ପ ସ୍ଥାପନ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ କରାଯିବ। ଦକ୍ଷତା ବଢ଼ାଇବା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି, ଡିଜିଟାଲ୍ ଉଦ୍ଭାବନ, ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ନିବେଶ ହେବ। ପରିଚାଳନା ଦକ୍ଷତା ବୃଦ୍ଧି ଏବଂ ନୂଆ ସୁଯୋଗକୁ ହାତେଇବା ପାଇଁ ଏହା କରାଯିବ। ତେବେ ରାଜ୍ୟର ସାମଗ୍ରିକ ବିକାଶ ପାଇଁ କୃଷି, ବିନିର୍ମାଣ ଏବଂ ସେବା କ୍ଷେତ୍ରକୁ ମଜଭୁତ କରିବାକୁ ଏଥିରେ କୁହାଯାଇଛି। ଏହି ରୂପାନ୍ତରିତ ଯାତ୍ରା ରାଜ୍ୟବାସୀଙ୍କ ପାଇଁ କେବଳ ଏକ ସଂଖ୍ୟା ନୁହେଁ, ବରଂ ପ୍ରତିବଦ୍ଧତା ବୋଲି ସରକାର କହିଛନ୍ତି। ଓଡ଼ିଶାର ଅର୍ଥନୈତିକ ବିକାଶରେ ନୂଆ ପୁଞ୍ଜି ମଡେଲ୍, ଅନ୍ତର୍ଜାତୀୟ ସହଭାଗିତା, ସଶକ୍ତ ସମୁଦାୟ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିବେ।
ରାଜ୍ୟ ସରକାର ତାଙ୍କ ଭିଜନ୍ ଦସ୍ତାବିଜ୍ରେ ମୋଟ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ କଥା ଉଲ୍ଲେଖ କରିଛନ୍ତି। ସେଥିରୁ ୬୭ ଲକ୍ଷ କୋଟି ଟଙ୍କାର ନିବେଶ ଘରୋଇ ଏବଂ ସଂସ୍ଥାଗତ ଉତ୍ସରୁ ସଂଗ୍ରହ କରାଯିବ। ଏହାଦ୍ବାରା ଓଡ଼ିଶା ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ଆର୍ଥିକ ନେତୃତ୍ବ କ୍ଷେତ୍ରରେ ନୂଆ ସଂଜ୍ଞା ରଚିବ। ଅର୍ଥନୀତିରେ ଅଭିବୃଦ୍ଧିକୁ ଯେଉଁଗୁଡ଼ିକ ଆଗକୁ ନିଅନ୍ତି ସେଥିରେ ବ୍ୟାପକ ପରିବର୍ତ୍ତନ ଅଣାଯିବ। ୨୦୪୭ ସୁଦ୍ଧା ପ୍ରାଥମିକ କ୍ଷେତ୍ରର ଯୋଗଦାନ ରାଜ୍ୟର ମୋଟ ମୂଲ୍ୟଯୋଗ (ଜିଏସ୍ଭିଏ)ର ୧୮ ପ୍ରତିଶତକୁ ହ୍ରାସ ପାଇବ। ୨୦୨୪ରେ ଏହା ୩୦ ପ୍ରତିଶତ ରହିଛି। ୨୦୪୭ ସୁଦ୍ଧା ଶିଳ୍ପ କ୍ଷେତ୍ରର ଯୋଗଦାନ ୩୭ ପ୍ରତିଶତରେ ଏବଂ ସେବା କ୍ଷେତ୍ରର ଯୋଗଦାନ ୪୫ ପ୍ରତିଶତକୁ ବୃଦ୍ଧି ପାଇବ। ନିବେଶକୁ ବାସ୍ତବ ରୂପ ଦେବା ପାଇଁ ଦ୍ରୁତ ସହରୀକରଣର ଆବଶ୍ୟକତା ରହିଛି। ତେଣୁ ରାଜ୍ୟରେ ସହରାଞ୍ଚଳ ବର୍ତ୍ତମାନର ୧୭% ରହିଛି। ଏହା ୨୦୩୬ ବେଳକୁ ୪୦ ପ୍ରତିଶତ ଓ ୨୦୪୭ ବେଳକୁ ୬୦ ପ୍ରତିଶତକୁ ବୃଦ୍ଧି କରାଯିବ। ନୂଆ ସହରାଞ୍ଚଳ, ସେବା କେନ୍ଦ୍ର, ଭିତ୍ତିଭୂମି କରିଡର୍ ଆଦି ସ୍ଥାପନ ଦ୍ବାରା ଅଧିକ ନିବେଶ ସମ୍ଭବ ହୋଇପାରିବ ବୋଲି କୁହାଯାଇଛି।
ପର୍ଯ୍ୟଟନ କ୍ଷେତ୍ରର ମଧ୍ୟ ଯଥାସମ୍ଭବ ବିକାଶ କରାଯିବ। ରାଜ୍ୟରେ ପ୍ରିମିୟମ୍ ହୋଟେଲ କୋଠରି ସଂଖ୍ୟା ୯ ଗୁଣା ବୃଦ୍ଧି ପାଇବ। ବର୍ତ୍ତମାନ ଏହି କୋଠରି ସଂଖ୍ୟା ୨୮୦୦ ଥିବାବେଳେ ଏହାକୁ ୨୫ ହଜାରରେ ପହଞ୍ଚାଯିବ। ରାଜ୍ୟରେ ଦୁଇଟି ବିଶ୍ବଶ୍ରେଣୀର ଶିକ୍ଷା ସହର ସ୍ଥାପନ କରାଯିବ। ଆଇଟି/ଆଇଟିଇଏସ୍, ଫିନ୍ଟେକ୍, ବିମାନ ଚଳାଚଳ ଏବଂ ଜ୍ଞାନସେବା ପ୍ରଦାନରେ ସର୍ବଭାରତୀୟ ସ୍ତରରେ ଓଡ଼ିଶାକୁ ଏକ କେନ୍ଦ୍ରରେ ପରିଣତ କରାଯିବ। କୃଷି ବା ପ୍ରାଥମିକ କ୍ଷେତ୍ରର ଜିଏସ୍ଭିଏ (ରାଜ୍ୟ ଅର୍ଥନୀତିର ମୋଟ ମୂଲ୍ୟଯୋଗ)ରେ ମତ୍ସ୍ୟ ଓ ପ୍ରାଣୀ ସଂପଦର ଯୋଗଦାନ ବର୍ତ୍ତମାନର ୧୨ ପ୍ରତିଶତରୁ ବୃଦ୍ଧି ପାଇ ୨୦୪୭ ସୁଦ୍ଧା ୩୩ ପ୍ରତିଶତରେ ପହଞ୍ଚିବ। କୃଷି କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳର ଆଧୁନିକୀକରଣ, ନିରନ୍ତର କୃଷି ଅଭ୍ୟାସ ଏବଂ ଡିଜିଟାଲ୍ କୃଷିପ୍ରଯୁକ୍ତିର ପ୍ରବର୍ତ୍ତନ ଦ୍ବାରା ଏହା ସମ୍ଭବ ହେବ।
ହାରାହାରି ଆୟୁ ୮୧ ବର୍ଷକୁ ବଢ଼ିବ
ଦାରିଦ୍ର୍ୟ ହାର ୫%ରୁ ତଳକୁ କମିବ
ଓଡ଼ିଶା ଭିଜନ୍ ୨୦୪୭ରେ ଓଡ଼ିଶାକୁ ସୁଯୋଗ ଓ ସମୃଦ୍ଧିର ଭୂମି ଭାବେ ଅଭିହିତ କରାଯାଇଛି। ପ୍ରତ୍ୟେକ ବ୍ୟକ୍ତି ଯେଭଳି ଉତ୍ତମ, ସ୍ବାସ୍ଥ୍ୟକର ଏବଂ ସୁଖୀ ଜୀବନ ଜିଇଁବେ ସେଥିପାଇଁ ରାଜ୍ୟର ପ୍ରାକୃତିକ ସଂପଦ ଏବଂ ସାଂସ୍କୃତିକ ଐତିହ୍ୟକୁ ଉପଯୋଗ କରାଯିବ। ରାଜ୍ୟ ଅର୍ଥନୀତି ସଂପର୍କରେ ଏଥିରେ ଅନେକ ଗୋଲାପି ଚିତ୍ର ଅଙ୍କାଯାଇଛି। ବର୍ତ୍ତମାନର ସ୍ବାଭାବିକ ବ୍ୟବସାୟିକ ସ୍ଥିତିରେ ଓଡ଼ିଶାର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି) ୨୦୩୬ ସୁଦ୍ଧା ୩୦୦ ବିଲିଅନ ଡଲାରରୁ ଅଧିକ ରହିବ। କିନ୍ତୁ ରାଜ୍ୟ ସରକାର ଏହାଠାରୁ ଅଧିକ ଅର୍ଥାତ ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଅର୍ଥନୀତିରେ ଓଡ଼ିଶାକୁ ପରିଣତ କରିବା ପାଇଁ ଯୋଜନା କରିଛନ୍ତି। ଓଡ଼ିଶା ଅର୍ଥନୀତିର ଆକାର ବର୍ତ୍ତମାନ ୧୧୩ ବିଲିଅନ ଡଲାର ରହିଛି। ୨୦୪୭ ସୁଦ୍ଧା ରାଜ୍ୟର ଅର୍ଥନୀତିର ଆକାରକୁ ୧୩ ଗୁଣା ବଡ଼ କରାଯାଇ ୧.୫ ଲକ୍ଷ କୋଟି ଡଲାର (୧.୫ ଟ୍ରିଲିଅନ ଡଲାର)ରେ ପହଞ୍ଚାଯିବ ବୋଲି ସରକାର ଦୃଢ଼ୋକ୍ତି ବାଢ଼ିଛନ୍ତି। ସେହି ସମୟ ବେଳକୁ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟ ୨୮ ହଜାର ଡଲାରରେ ପହଞ୍ଚିବ। ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟ ୨୦୨୪-୨୫ରେ ୨୮୦୦ ଡଲାର ବା ୧.୮ ଲକ୍ଷ ଟଙ୍କା ରହିଛି। ୨୦୩୬ ବେଳକୁ ଏହା ୯ ହଜାର ଡଲାର ବା ୯.୬ ଲକ୍ଷ ଟଙ୍କା ଏବଂ ୨୦୪୭ ବେଳକୁ ଏହା ୨୮ ହଜାର ଡଲାର ବା ୩୨ ଲକ୍ଷ ଟଙ୍କାରେ ପହଞ୍ଚିବ ବୋଲି ଦର୍ଶାଯାଇଛି। ସେହିଭଳି ଭାରତର ଜିଏସ୍ଡିପିରେ ଓଡ଼ିଶାର ଯୋଗଦାନ ଏବେ ୨.୮ ପ୍ରତିଶତ ରହିଛି। ୨୦୩୬ ବେଳକୁ ଏହାକୁ ପ୍ରାୟ ୪ ପ୍ରତିଶତରେ ଏବଂ ୨୦୪୭ ବେଳକୁ ପ୍ରାୟ ୫ ପ୍ରତିଶତରେ ପହଞ୍ଚାଇବା ନେଇ ଚିତ୍ର ଅଙ୍କା ଯାଇଛି। ବିକଶିତ ଓଡ଼ିଶା ପାଇଁ ଏଥିରେ ବାର୍ଷିକ ଅଭିବୃଦ୍ଧି ହାରକୁ ୯.୧ ପ୍ରତିଶତରେ ରଖାଯାଇଛି।
ଓଡ଼ିଶାବାସୀଙ୍କ ହାରାହାରି ଆୟୁ ସଂପ୍ରତି ୭୦ ବର୍ଷ ରହିଛି। ଭିଜନ୍ ଦସ୍ତାବିଜ୍ରେ ୨୦୩୬ ବେଳକୁ ଓଡ଼ିଶାବାସୀଙ୍କ ହାରାହାରି ଆୟୁକୁ ୭୫ ବର୍ଷରେ ଏବଂ ୨୦୪୭ ବେଳକୁ ୮୧ ବର୍ଷରେ ପହଞ୍ଚାଇବା ନେଇ କୁହାଯାଇଛି। ୫ ବର୍ଷରୁ କମ ବୟସର ପିଲାଙ୍କ ଅପପୁଷ୍ଟି ହାର ବର୍ତ୍ତମାନ ୧୮ ପ୍ରତିଶତ ରହିଛି। ୨୦୩୬ ବେଳକୁ ୧୨ ପ୍ରତିଶତକୁ ଏବଂ ୨୦୪୭ ବେଳକୁ ୫ ପ୍ରତିଶତକୁ କମାଇବା ନେଇ ଆକଳନ କରାଯାଇଛି। ମାତୃ ମୃତ୍ୟୁ ଅନୁପାତ (ପ୍ରତି ୧ ଲକ୍ଷ ପିଲା ଜନ୍ମରେ) ସଂପ୍ରତି ୧୧୯ ରହିଛି। ୨୦୩୬ ବେଳକୁ ଏହାକୁ ୬୦ରେ ଏବଂ ୨୦୪୭ ବେଳକୁ ୧୫କୁ କମିବ ବୋଲି କୁହାଯାଇଛି। ପରିବେଶ ସଂପର୍କରେ ଏଥିରେ ଅବତାରଣା କରାଯାଇଛି। ରାଜ୍ୟର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ଏବେ ୫୦ରୁ ୧୦୦ ଭିତରେ ରହିଛି। ୨୦୩୬ ବେଳକୁ ଏହାକୁ ୬୦କୁ ଏବଂ ୨୦୪୭ ବେଳକୁ ୫୦କୁ କମାଯିବ। ମୋଟ ବିଜୁଳି ଉତ୍ପାଦନରେ ଅକ୍ଷୟ ଶକ୍ତିର ଯୋଗଦାନ ସଂପ୍ରତି ୧୦ ପ୍ରତିଶତ ରହିଛି। ୨୦୩୬ ବେଳକୁ ଏହାକୁ ୪୫ ପ୍ରତିଶତ ଏବଂ ୨୦୪୭ ବେଳକୁ ୫୫ ପ୍ରତିଶତରେ ପହଞ୍ଚାଯିବାର ଯୋଜନା ରଖାଯାଇଛି। ଦାରିଦ୍ର୍ୟ ହ୍ରାସ ନେଇ ମଧ୍ୟ ଏଥିରେ ବଡ଼ ସ୍ବପ୍ନ ଦେଖାଯାଇଛି। ବହୁବିଧ ଦାରିଦ୍ର୍ୟ ହାର ୨୦୨୦-୨୧ ଆର୍ଥିକବର୍ଷ ଅନୁଯାୟୀ ୧୬ ପ୍ରତିଶତ ଥିବାବେଳେ ଏହାକୁ ଆଗାମୀ ୨୦୩୬ ଓ ୨୦୪୭ ବେଳକୁ ଯଥାକ୍ରମେ ୧୧ ପ୍ରତିଶତ ଏବଂ ୫ ପ୍ରତିଶତରୁ କମ୍ ସ୍ତରକୁ ଅଣାଯିବ। ସେହିଭଳି ମୋଟ ମହିଳା ଶ୍ରମଶକ୍ତିରେ ମହିଳା କର୍ମଚାରୀଙ୍କ ସଂଖ୍ୟା ଏବେ ରାଜ୍ୟରେ ୪୮ ପ୍ରତିଶତ ରହିଛି। ୨୦୩୬ ବେଳକୁ ଏହାକୁ ୬୦ ପ୍ରତିଶତରେ ଏବଂ ୨୦୪୭ ବେଳକୁ ୭୦ ପ୍ରତିଶତରେ ରଖାଯିବା ନେଇ ହିସାବ ଦେଖାଯାଇଛି। ବ୍ୟାପକ ନିବେଶ ଫଳରେ ୨୦୪୭ ମସିହା ସୁଦ୍ଧା ରାଜ୍ୟରେ ୧ କୋଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ସରକାରଙ୍କ ପକ୍ଷରୁ ଉନ୍ମୋଚିତ ଭିଜନ୍ ଦସ୍ତାବିଜ୍ରେ ଦର୍ଶାଯାଇଛି।