ମୋଦିଙ୍କ ଗସ୍ତର ପ୍ରତିବାଦ କରିବ କଂଗ୍ରେସ

୨୪ରେ ପେଟ୍ରୋଲ, ଡିଜେଲ ବ୍ୟବହାର ବର୍ଜନ, ୨୬ରେ ବାଦାମବାଡ଼ିରେ ଛାଣିବେ ପକୁଡ଼ି

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତକୁ ପ୍ରତିବାଦ କରିଛି କଂଗ୍ରେସ। କଟକରେ ମୋଦିଙ୍କ ଗସ୍ତକୁ ନୂଆ ଢଙ୍ଗରେ ପ୍ରତିବାଦ କରାଯିବ ବୋଲି ନଗର କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ସହରବାସୀ ୨୪ ତାରିଖରେ ପେଟ୍ରୋଲ, ଡିଜେଲ ବ୍ୟବହାର ନକରିବାକୁ କଟକ ନଗର ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି। ପୁରୀଘାଟ ସ୍ଥିିତ ନଗର କଂଗ୍ରେସ କମିଟିର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନଗର ସଭାପତି ଇଂଜିନିୟର ମହମ୍ମଦ ମୋକିମ୍‌ ଅଭିଯୋଗ କରିଛନ୍ତି ଯେ ଗଲା ୪ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ୬ଥର ଓଡ଼ିଶା ଗସ୍ତ କରି ରାଜ୍ୟବାସୀଙ୍କୁ ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି। ଏହାକୁ କଂଗ୍ରେସ ବିରୋଧ କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଅଭିନବ ଉପାୟରେ ପ୍ରତିବାଦ କରାଯିବ। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ପୂର୍ବରୁ ଛତିଶଗଡ଼ର କଲ୍‌ମା ବ୍ୟାରେଜକୁ ଖୋଲନ୍ତୁ। ଆଇଓସିଲରେ ୪ଲକ୍ଷ ଓଡ଼ିଆଙ୍କ ନିଯୁକ୍ତି ପ୍ରତିଶ୍ରୁତିର ଉତ୍ତର ଦିଅନ୍ତୁ। ରାଉରକେଲାରେ ୨୫ ହଜାର କୋଟିର ସୁପର ସ୍ପେସାଲିଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରତିଶ୍ରୁତିର ଉତ୍ତର ରଖନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ୨୪ ତାରିଖ ଗୁରୁବାର ଦିନ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ତୈଳ ଦର ବୃଦ୍ଧିକୁ ନେଇ କମିଟି ପକ୍ଷରୁ ସାଧାରଣ ଜନତାଙ୍କୁ ସଚେତନ କରିବା ସହ ଉକ୍ତ ଦିନ ତୈଳ ବ୍ୟବହାର ନକରିବାକୁ ଅନୁରୋଧ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଦେଶର ଯୁବ ପିଢିଙ୍କୁ ପକୁଡି ବିକିବାକୁ ନରେନ୍ଦ୍ର ମୋଦି କହିଥିବା ବେଳେ ଆସନ୍ତା ୨୬ରେ ମୋଦିଙ୍କ କଟକ ଗସ୍ତ ସମୟରେ କମିଟି ପକ୍ଷରୁ ବାଦାମବାଡ଼ି ଓ ବକ୍ସିବଜାର ଛକରେ ଏକ ପକୁଡ଼ି ଦୋକାନ ଖୋଲି ପ୍ରତିବାଦ କରାଯିବ। ମୋଦିଙ୍କ ଗସ୍ତକୁ ବିରୋଧ କରି ଆସନ୍ତାକାଲି ଏକ ମଟର ସାଇକେଲ ରାଲି ହେବା ସହ ଖାନନଗର ଶ୍ମଶାନରେ ମୋଦିଙ୍କ କୁଶପୁତ୍ତଳିକା ଦାହ କରାଯିବ। ଆଜି ଛାତ୍ର କଂଗ୍ରେସ ପକ୍ଷରୁ କମିଟି କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପିସିସି ସଂପାଦକ ନିକୁଞ୍ଜ ପଶାୟତ, ବିଶ୍ୱଜିତ ଦାସ ଓ ସୂର୍ଯ୍ୟକାନ୍ତ ରାଉତ, ପିସିସି ସଂପାଦିକା ତଥା କର୍ପୋରେଟର ଗିରିବାଳା ବେହେରା, ଯାଜପୁର କଂଗ୍ରେସ ସଭାପତି ମନୋଜ କୁମାର ରାଉତ, ଛାତ୍ର କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ମହିଳା କଂଗ୍ରେସ ସଭାନେତ୍ରୀ ଶୈଳବଳା ଜେନା, ସେକ୍‌ ଗୁଲାମ୍‌ ମୁଦ୍ଦିନ୍‌, ସୁଜିତ ସାହୁ, ଗୁଲଜାର ଅହମ୍ମଦ୍‌, ପିଣ୍ଟୁ କର୍ମକାର, ଅନୀଲ ବେହେରା, ହରେକୃଷ୍ଣ ବେହେରା, ରୌପ୍ୟ ରଂଜନ ସାହୁ, ମାନସ କର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର