ମହାମାରୀ ପରିଚାଳନାରେ ମୋଦୀ ସରକାର ବିଫଳ: ପଞ୍ଚାନନ

କଂଗ୍ରେସକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆକ୍ଷେପ ପ୍ରସଙ୍ଗ
କେନ୍ଦ୍ର ସରକାରଙ୍କ ଅପାରଗତାକୁ ଦଳ ପଦାକୁ ଆଣିଛି

ଭୁବନେଶ୍ବର : ଦେଶରେ କୋଭିଡ ମହାମାରୀ ପରିଚାଳନା କରିବାରେ କେନ୍ଦ୍ର ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଯେପରି ଭାବେ ଲୋକଙ୍କ ଜୀବନ ଓ ଜୀବିକା ଏହି ମହାମାରୀରେ ଯାଉଛି ସେଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦାୟୀ। କଂଗ୍ରେସ ଦଳ ମହାମାରୀକୁ ନେଇ ରାଜନୀତିକରଣ କରୁଥିବା ନେଇ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷା ଜଗତ ପ୍ରସାଦ ନଡ୍ଡା ଚିଠି ଲେଖିଥିଲେ। ଏହା ଉପରେ ଆଜି ଦିଲ୍ଲୀରେ ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ଓ ମୁଖ୍ୟମନ୍ତ୍ରୀମାନଙ୍କୁ ସମାଲୋଚନା କରିଛନ୍ତି। ଯାହାର ଜବାବ ଦେଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ।

ଶ୍ରୀ କାନୁନଗୋ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, କେନ୍ଦ୍ର ସରକାରଙ୍କ ଅପାରଗତାକୁ କଂଗ୍ରେସ ସାମାନାକୁ ଆଣିବା ବିଜେପି ପାଇଁ ଚିନ୍ତାର କାରଣ ହୋଇଛି। ଭୁବନେଶ୍ବର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ସମାଲୋଚନା କରି ଶ୍ରୀ କାନୁନଗୋ କହିଛନ୍ତି, ନିଜର ଦୋଷ ଦୁର୍ବଳତାକୁ ସ୍ବୀକାର କରିବା ପରିବର୍ତ୍ତେ ଓଲଟି ବିଜେପି ସାଂସଦ କଂଗ୍ରେସକୁ ସମାଲୋଚନା କରିବା ଦୁଃଖ ଦାୟକ। କେନ୍ଦ୍ର ସରକାର ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମୟୋପଯୋଗୀ ପ୍ରସ୍ତାବକୁ ଗ୍ରହଣ କରିନାହିଁ। ଏହା କେବଳ ଅହଂକାରୀ ବ୍ୟକ୍ତିମାନଙ୍କ ପକ୍ଷରେ ସମ୍ଭବ ହୋଇଥାଏ। କୋଭିଡ ପରିଚାଳନାର ତ୍ରୁଟିକୁ ଯେତେବେଳେ କଂଗ୍ରେସ ଲୋକଲୋଚନକୁ ଆଣିବାକୁ ଉଦ୍ୟମ କରୁଛି ଠିକ୍‌ ସେତିକିବେଳେ ବିଜେପିର ନେତାମାନେ ଲୋକଙ୍କ ଧ୍ୟାନ ଅନ୍ୟଆଡ଼କୁ ନେବା ପାଇଁ କଂଗ୍ରେସ ଉପରେ ଅସତ୍ୟ ଲାଞ୍ଛନା ମାରିଚାଲିଛନ୍ତି।

ଶ୍ରୀ କାନୁନଗୋ କହିଛନ୍ତି ଅନେକ ଦିନ ଧରି ବିଜେପି ସରକାର ମନଗଢ଼ା କାହାଣି ଶୁଣାଇଚାଲିଛନ୍ତି। ଅନେକ ଅସତ୍ୟ ସ୍ବପ୍ନ ଦେଖାଇ ଦ୍ବିତୀୟ ଥର ପାଇଁ ଭାରତବାସୀଙ୍କ ଭୋଟ ପାଇ କ୍ଷମତାକୁ ଆସିଛନ୍ତି। ଏବେ ବାସ୍ତବରେ ଦେଶକ ଏକ ଅପରିପକ୍ବ, ମିଥ୍ୟାଚାରୀ, ଅହଂକାରୀ ଗୋଷ୍ଠୀ ହାତରେ ପଡ଼ି ବିପର୍ଯ୍ୟୟ ମୁହଁକୁ ଠେଲି ହୋଇଗଲାଣି। କୋଭିଡ ମହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକ ଅକ୍ସିଜେନ୍‌ ଅଭାବରୁ ପ୍ରାଣ ହରାଉଛନ୍ତି। କିନ୍ତୁ ଏହି ବାସ୍ତବତାକୁ ପଦାକୁ ଆଣିବା କଣ ଭୁଲ? ଗୋଟିଏ ଦେଶ ଗୋଟିଏ ଦାବି ରଖୁଥିବା ସରକାର ରାଜ୍ୟମାନଙ୍କ ଉପରେ କାହିଁକି ଟିକାର ବ୍ୟୟଭାର ଲଦିଦେଇଛନ୍ତି? ରାଜ୍ୟ ସରକାରମାନେ ଲୋକଙ୍କ ଜୀବନ ବଞ୍ଚାଇବାରେ ଅହରହ ଉଦ୍ୟମ କରୁଥିବାବେଳେ ଟିକା ବ୍ୟୟ ରାଜ୍ୟ ସରକାର ବହନ କରିବାକୁ କେନ୍ଦ୍ର କହିବା ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ। ଟିକା ଉପରେ ଜିଏସ୍‌ଟିକୁ ବି ଛାଡ଼ କରୁନାହାନ୍ତି। ଏହାକୁ ସମାଲୋଚନା କରିବା କଣ ଦୋଷାବହ? ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଓ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଥମେ ବାସ୍ତବତା ଓ ସତ୍ୟକୁ ସାମନା କରିବା ଶିଖନ୍ତୁ। ପରେ କଂଗ୍ରେସକୁ ସମାଲୋଚନା କରିବେ। ଆଦରୀଣୟ କଂଗ୍ରେସ ଅଧ୍ୟକ୍ଷାଙ୍କୁ ଏପରି ଚିଠି ଲେଖି ବିଜେପି ଅଧ୍ୟକ୍ଷ ଅତ୍ୟନ୍ତ ଅକ୍ଷମଣୀୟ ଓ ଅଶୋଭନୀୟ ଅପରାଧ କରିଥିବା ଶ୍ରୀ କାନୁନଗୋ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର