ଭୁବନେଶ୍ବର/ ଝାରସୁଗୁଡ଼ା : ଦେଶକୁ ସ୍ୱାଧୀନତା କରିବାରେ ଗୋଁଡ଼ ସମାଜର ତ୍ୟାଗ ଓ ବଳିଦାନକୁ ଭୁଲି ହେବନାହିଁ । ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା ପାଇଁ ଗୋଁଡ଼ ସମାଜର ବୀର ସଂଗ୍ରାମୀ ଏବଂ ବୀରାଙ୍ଗନାଙ୍କ ବୀରଗାଥାକୁ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମରେ ସାମିଲ କରିବା ପାଇଁ ପ୍ରଚେଷ୍ଟା କରାଯିବ। ଏଥିସହ ଗୋଁଡ଼ ସମାଜର ମୁଖ୍ୟ ଦାବିକୁ ପୂରଣ କରିବା ପାଇଁ ମୋଦି ସରକାର ଯଥାସମ୍ଭବ ଦାୟିତ୍ୱ ନେବେ।

Advertisment

ଶନିବାର ଝାରସୁଗୁଡ଼ା ଜିଲ୍ଲା କଟାପାଲି ଷ୍ଟାଡିୟମରେ ଅନୁଷ୍ଠିତ ‘ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଡ଼ ମହାସଭା’ର ପଞ୍ଚଦଶ ରାଷ୍ଟ୍ରୀୟ ଅଧିବେଶନ ତଥା ପ୍ରଥମ ଅନ୍ତର୍ଜାତୀୟ ଅଧିବେଶନର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଲେ ଯେ ପଶ୍ଚିମାଞ୍ଚଳର ବୀର ସଂଗ୍ରାମୀମାନଙ୍କ ଅବଦାନ, ତ୍ୟାଗ ଓ ବଳିଦାନ ଇତିହାସର ପୁନଃଲିଖନ ପାଇଁ ଯୋଜନା କରିବାକୁ ସମ୍ବଲପୁର ଆଇଆଇଏମ୍‌ ଓ ଆଇସିଏଚ୍‌ଆର୍‌କୁ ଦାୟିତ୍ୱ ଦିଆଯାଇଛି।  ମାତୃଭାଷାରେ ଶିକ୍ଷାଦାନ ପାଇଁ ଆଗାମୀ ଦିନରେ ଗୋଁଡ଼ ଭାଷା, ସାନ୍ତାଳି, ଅଲଚିକି ଭାଷା ସମେତ ଅନ୍ୟାନ୍ୟ ଜନଜାତି ଭାଇଭଉଣୀଙ୍କ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ।

ଚଳିତବର୍ଷ କେନ୍ଦ୍ର ବଜେଟରେ ଜନଜାତି ସମାଜକୁ ଗୁରୁତ୍ୱ ଦିଆଯାଇଛି। ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ବିକାଶ ଦେବା ଦିଗରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ହୋଇଛି। ଦେଶରେ ସବୁଠୁ ଅଧିକ ୧୦୪ଟି ଏକଲବ୍ୟ ବିଦ୍ୟାଳୟ ଓଡ଼ିଶାରେ ହିଁ ପ୍ରତିଷ୍ଠା ହେଉଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଁଡ଼ ସମାଜର ଆରାଧ୍ୟ ଦେବତା ଜଂଘା ବଡ଼ଦେଓଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। କାର୍ଯ୍ୟକ୍ରମରେ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଛତିଶଗଡ଼ କାମକେର ବିଧାୟକ ଶିଶୁପାଲ ସୋରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡ, ଝାଡ଼ଖଣ୍ଡର ପୂର୍ବତନ ବିଧାୟକ ଗୁରୁଚରଣ ନାୟକ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।