ଓଡ଼ିଶା ବିକାଶର ନକ୍ସା ଆଙ୍କିଲେ

ଭୁବନେଶ୍ୱର : ଓଡ଼ିଶାର ଉପକୂଳବର୍ତୀ ଜିଲ୍ଲାଗୁଡିକୁ ନେଇ ଏକ ରାଜପଥ ସର୍କିଟ୍‌ କରାଯିବ। ପୁରୀ, ଖୋର୍ଧା, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର ଦେଇ ନିର୍ମାଣ ହେବ ନୂଆ ବାହ୍ୟ ରିଙ୍ଗ୍‌ ରୋଡ୍‌ ପ୍ରକଳ୍ପ। ପାଖାପାଖି ୨୫୦ କିଲୋମିଟର ଦୀର୍ଘ ଏହି ଜାତୀୟ ରାଜପଥ ନିର୍ମାଣ ଲାଗି ୨୫୦୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଉଛି। ସେହିପରି ଖୋର୍ଧାରେ ଦ୍ୱିତୀୟ ଅନ୍ତର୍ଜାତିକ ବିମାନ ବନ୍ଦର ହେବ। ଚଳିତବର୍ଷ ଠାରୁ ଭୁବନେଶ୍ୱରରେ ( ପୂର୍ବରୁ ଥିବା ଆଇଆଇଟି କ୍ୟାମ୍ପସ) ହିଁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ୍‌ ଟେକ୍ନୋଲୋଜିରେ ପାଠପଢ଼ା ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କର ପ୍ରଥମ ଚାରିବର୍ଷ ବନାମ ୟୁପିଏ ସରକାର ଓଡିଶାକୁ ଦେଇଥିବା କେନ୍ଦ୍ରୀୟ ଅର୍ଥର ବିଶଦ ତୁଳନାତ୍ମକ ବିବରଣୀ ଦେବା ଅବସରରେ ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ମନ୍ତ୍ରୀ ଅସ୍ୱୀକାର କରିବା ସହିତ ଏସଂକ୍ରାନ୍ତରେ ରାଜ୍ୟକୁ ବିତର୍କ ପାଇଁ ସେ ଆହ୍ଵାନ ଦେଇଥିଲେ। ଏଥିସହିତ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ ଦାବିକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆଜି ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସିଧା ସିଧା କହିଥିଲେ, ଚତୁର୍ଦଶ ଅର୍ଥ କମିସନ ସୁପାରିସକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଗ୍ରହଣ କରିଛନ୍ତି ଓ ଏହା ପରେ କୌଣସି ବି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନର ପ୍ରଶ୍ନ ଉଠୁନାହିଁ। କମିସନଙ୍କ ରିପୋର୍ଟ ହିଁ ଏହାର ବାଟ ଓଗାଳିଛି। ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି ପ୍ରଶ୍ନ ଆଦିକୁ ମନ୍ତ୍ରୀ ଏ଼ଡ଼ାଇ ଦେଇଥିଲେ।

ଆଜି ଭୁବନେଶ୍ୱରଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ପାଦକ ଓ ବରିଷ୍ଠ ପତ୍ରକାରମାନଙ୍କ ସମ୍ମିଳନୀରେ ମତ ବିନିମୟ କାଳରେ ମନ୍ତ୍ରୀ କହିଥିଲେ, ଭାରତର ଅନ୍ୟ ସବୁ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅପୂର୍ବ ସମ୍ଭାବନା ରହିଛି। ଆସନ୍ତା ୨୦-୨୫ ବର୍ଷ ବେଳକୁ ଏହା ବିଶ୍ୱର ଏକ ପ୍ରମୁଖ ଶକ୍ତି କେନ୍ଦ୍ର ଭାବେ ଉଭା ହେବ। ଏହାକୁ କେହି ରୋକିପାରିବେ ନାହିଁ।

ଏ ସଂପର୍କରେ କେନ୍ଦ୍ର ସରକାର ଯେଉଁ ନକ୍ସା ପ୍ରସ୍ତୁତ କରିଛନ୍ତି, ସେ ନେଇ ସୂଚନା ଦେବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ଗତ ୪ ବର୍ଷ ମଧ୍ୟରେ ଓଡିଶାରେ ବିଭିନ୍ନ କ୍ଷେତ୍ରରେ ମୋଟ ୨ଲକ୍ଷ ୮୬ ହଜାର ୮୩୬ କୋଟି ଟଙ୍କାର ପୁଂଜି ନିବେଶ ଲାଗି ପ୍ରତିବଦ୍ଧ ହୋଇଥିବା ସଂପର୍କରେ ସୂଚନା ଦେଇଥିଲେ। କହିଥିଲେ, କେବଳ ପେଟ୍ରୋଲିୟମ ଉଦ୍ୟୋଗରେ ୧ଲକ୍ଷ ୩୪ ହଜାର ୭୮୦ କୋଟି ଟଙ୍କାର ପୁଂଜି ବିନିଯୋଗ କରାଯାଉଛି । ଜାତୀୟ ରାଜପଥ ଓ ରେଳପଥ ଭଳି ଭିତ୍ତିିଭୂମି କ୍ଷେତ୍ରରେ ୬୦ ହଜାର କୋଟିରୁ ଅଧିକ ପୁଂଜି ବିନିଯୋଗ କରାଯାଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, କେନ୍ଦ୍ର ସରକାର ଓଡିଶାର ଉପକୂଳବର୍ତୀ ଜିଲ୍ଲାଗୁଡିକୁ ନେଇ ଏକ ରାଜପଥ ସର୍କିଟ ଓ ବାହ୍ୟ ରିଙ୍ଗରୋଡର ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେହିପରି ପୁରୀର ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ମାନ୍ୟତା ପ୍ରଦାନ କରାଯାଉଛିି। ଏହାକୁ ମିଶାଇ ପୁରୀରୁ ନୂଆ ଜଗନ୍ନାଥ ସଡକ ଦେଇ ଖୋର୍ଧାର ନିରାକାରପୁର, ଜଙ୍କିଆରୁ ଅଂଶୁପା ଦେଇ ଆଠଗଡ, ସେଠାରୁ ଢେଙ୍କାନାଳର ବଳଦିଆବନ୍ଧ, କପିଳାସ ଦେଇ ଯାଜପୁରର ଛତିଆ ମଧ୍ୟ ଦେଇ ଅସ୍ତରଙ୍ଗ ପର୍ଯ୍ୟନ୍ତ ଲମ୍ବି ଉପକୂଳ ସଡ଼କ ସର୍କିଟକୁ ଛୁଇଁବ।

ମନ୍ତ୍ରୀ କହିଥିଲେ, ଏକ ଆଧୁନିକ ଶିଳ୍ପ ଓ ପର୍ଯ୍ୟଟନ ସର୍କିଟ ପ୍ରତିଷ୍ଠା ଲାଗି ମଧ୍ୟ ଯୋଜନା କରାଯାଇଛି । ଏହି ଯୋଜନାରେ ଗୋପାଳପୁର, ସାତପଡା, ପୁରୀ, କୋଣାର୍କ,ଅସ୍ତରଙ୍ଗ, ପାରାଦୀପ, ଧାମରା, ସାତଭାୟା, ଚାନ୍ଦିପୁର ଦେଇ ତଳସାରି ପର୍ଯ୍ୟନ୍ତ ବୃହତ ଉପକୂଳ ସଡ଼କ ସର୍କିଟ ନିର୍ମାଣ କରାଯିବ । ଏହା ପର୍ଯ୍ୟଟନ ଉଦ୍ୟୋଗକୁ ବିକଶିତ କରିବା ସହ ଶିଳ୍ପ ପୁଂଜଗୁଡିକ ଗଢ଼ିଉଠିବ । ପୁରୀର ଯେ କୌଣସି ସ୍ଥାନରୁ ଚଳିତ ବର୍ଷ ଏହାର ଶୁଭାରମ୍ଭ ହେବ ଓ ରଥଯାତ୍ରା ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଶେଷ ହେବ।

ସେହିଭଳି ଉର୍ଜା ଗଙ୍ଗା ଯୋଜନା ଅଧୀନରେ ଓଡିଶାର ୧୩ଟି ଜିଲ୍ଲା ଦେଇ ୭୬୯ କିଲୋମିଟର ଗ୍ୟାସ ପାଇପ ଲାଇନ ବିଛା ଯାଉଛି। ଏହି ଗ୍ୟାସ ପାଇପ ଲାଇନ ନେଟୱାର୍କ ୧୧ଟି ଶିଳ୍ପାଞ୍ଚଳକୁ ସ୍ପର୍ଶ କରିବ । ତାଳଚେର ସାର ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, କୋଇଲା ବାଷ୍ପୀକରଣ ଭିତ୍ତିକ ସାର କାରଖାନା ଲାଗି ପେଟ୍‌କୋକ୍‌ ମିଶ୍ରଣ ଉପଯୋଗ କରାଯିବ । ଏଥିରେ ୧୧,୬୧୧ କୋଟି ଟଙ୍କା ବିନିଯୋଗ କରାଯାଇ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ ୟୁରିଆ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛିି। ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ ଏହାର ଶୁଭ ଦେବେ। ଏହାବ୍ୟତୀତ ପୂର୍ବ ଭାରତରେ ବୟନ ଉଦ୍ୟୋଗର ବିକାଶ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଭଦ୍ରକଠାରେ ବୟନ ପାର୍କ ପ୍ରତିଷ୍ଠା କରାଯାଉଛି । ଏଥିରେ ୧୨ଶହ କୋଟି ଟଙ୍କା ବିନିଯୋଗ ହେବ। ଏଥିସହିତ କେଉଁ ଯୋଜନାରେ କେତେ ଅର୍ଥ କେନ୍ଦ୍ର ସରକାର ଦେଇଛନ୍ତି, ତାହାର ପରିସଂଖ୍ୟାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ପିଆଇବି ପକ୍ଷରୁ ଏଡିଜି ରଂଜନା ଦେବ ଶର୍ମା ପ୍ରାରମ୍ଭିକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର