ମହିଳାଙ୍କ ବିକାଶ ଦାୟିତ୍ବ ମୋଦୀ ନେଇସାରିଛନ୍ତି: ଧର୍ମେନ୍ଦ୍ର

ପରୀ ହତ୍ୟା ଘଟଣାର ସିିବିଆଇ ତଦନ୍ତ ହେଉ, ୫ହଜାର ଶିଶୁ କୁଆଡ଼େ ଗଲେ?

ଭୁବନେଶ୍ବର: ସଂସଦ ଓ ବିଧାନସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଜାତୀୟ ଦଳଗୁଡ଼ିକର ଆଭିମୁଖ୍ୟକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସମାଲୋଚନା କ‌ଲା ପରେ ତାହାର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଧାସଳଖ ମହିଳା ସଂରକ୍ଷଣ ପ୍ରସଙ୍ଗରେ କିଛି କହିନଥିଲେ ହେଁ କେନ୍ଦ୍ର ସରକାରଙ୍କ ଫୋକସ୍‌ରେ ଯେ ମହିଳା ଅଛନ୍ତି, ଏକଥା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। କହିଥିଲେ ଯେ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କର ବିକାଶ କଥା ଚିନ୍ତା କରିବା ମୋଦୀ ସରକାରଙ୍କ ମୂଳ ସ୍ତମ୍ଭ। ଅନ୍ୟପକ୍ଷରେ ପରୀ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମୁହଁ ଖୋଲି ରାଜ୍ୟ ସରକାରଙ୍କ ଉପରେ ଓଲଟା ଚାପ ସୃଷ୍ଟି କରିଥିଲେ। ପରୀ ହତ୍ୟାକାଣ୍ଡ ଘଟଣାରେ ବିଜେପି ଆନ୍ଦୋଳନ ଜାରି ରଖିଥିଲା ବେଳେ ଶ୍ରୀ ପ୍ରଧାନ କହିଥିଲେ ଯେ ସିବିଆଇ ତଦନ୍ତ ହେଲେ ପରୀ ମାମଲାର ତଥ୍ୟ ସାମ୍ନାକୁ ଆସିପାରିବ। ପରୀର ବାପା, ମା’ କିଛି ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରଶ୍ନର ଉତ୍ତର କେବଳ ଗୋଟିଏ ନିରପେକ୍ଷ ସଂସ୍ଥା ହିଁ ଦେଇ ପାରିବ। ରାଜ୍ୟ ସରକାର ନିଜ ଦୋଷ ଦୁର୍ବଳତାକୁ ନ ଲୁଚାଇବା ଉଚିତ। ହାଥରସ ମାମଲାରେ ସିବିଆଇ ତଦନ୍ତ କରିବାରୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ପରୀ ରଥ ବୁଲାଇଥିଲେ। କିନ୍ତୁ ରାଜ୍ୟର ୫ ହଜାରରୁ ଅଧିକ ଶିଶୁ କୁଆଡ଼େ ଗଲେ ବୋଲି ସେ ପ୍ରଶ୍ନ କରିଥିଲେ।

ଏହି ଅବସରରେ  ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ହିସାବ ଦେବାକୁ ଭୁଲିନଥିଲେ ଧର୍ମେନ୍ଦ୍ର। ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ମହିଳାଙ୍କ ପାଇଁ ସମଗ୍ର ଭାରତବର୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ ନିର୍ମାଣ କରୁଛନ୍ତି। ଓଡ଼ିଶାରେ ୭୭ ଲକ୍ଷ ୧୪ ହଜାର ୮୦୯ଟି ଘର ସହ ଶୌଚାଳୟ ନିର୍ମାଣ କରାଯାଇ ମହିଳାଙ୍କୁ ସମ୍ମାନ ଦେଇଛନ୍ତି। ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ୪୭ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲ୍‌ପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ କରୋନା ସମୟରେ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲ୍‌ପିଜି ସିଲିଣ୍ଡର ଦିଆଯାଇଛି। ମୋଦୀଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଦେଶର ମାଆ ଓ ଭଉଣୀମାନେ ଶୌଚ ଓ ଜାଳେଣୀ କାଠ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁ ନାହାନ୍ତି। ରାଜ୍ୟର ୮୫.୨୦ ଲକ୍ଷ ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ ୧୨୫୮.୨୦ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରାଯାଇଛି। ଜାତୀୟ ସାମାଜିକ ସୁରକ୍ଷା ଭତ୍ତା (ଏନଏସଏପି)ର ଯୋଜନାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶାରେ ମିସନ୍‌ ଇନ୍ଦ୍ରଧନୁଷରେ ୩.୮ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ଏବଂ ୧.୧୦ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି। ଓଡ଼ିଶାର ପଛୁଆ ଜିଲ୍ଲା ଯଥା କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଢେଙ୍କାନାଳ, ରାୟଗଡା, ବଲାଙ୍ଗୀର, ମାଲକାନଗିରି ଏବଂ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳର ମହିଳାଙ୍କୁ ଶିକ୍ଷା, ନିଯୁକ୍ତି, ଦକ୍ଷତା ବିକାଶ ପାଇଁ ମହିଳା ଶକ୍ତି କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ୭.୭୫ କୋଟି ଦିଆଯାଇଛି। ପୋଷଣ ଅଭିଯାନରେ ଓଡିଶାର ୩୦ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ ‘ସୁକନ୍ୟା ସମୃଦ୍ଧି’ ଯୋଜନାରେ ୯.୪୮ ଲକ୍ଷ ଆକାଉଣ୍ଟ ଖୋଲାଯାଇଛି। ‘ବେଟି ବଚାଓ ଓ ବେଟି ପଢ଼ାଓ’ ଓଡ଼ିଶାର ଗ୍ରାମାଞ୍ଚଳରେ ବଡ଼ ପରିବର୍ତନ ଆଣିଛି। ଏହା ବାଦ୍ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବା ମଧ୍ୟରେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ୮,୭୦୨ ଜଣ ମହିଳା ଏହି ଯୋଜନାରେ ସମସ୍ତ ସେବା ଓ ସୁବିଧା ସହାୟତା ପାଇପାରୁଛନ୍ତି।

ସମ୍ବନ୍ଧିତ ଖବର