ମୋଦୀ ମାନସିକ ଭାରସାମ୍ୟ ହରାଇଛନ୍ତି: କଂ‌ଗ୍ରେସ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଅଗର କଂଗ୍ରେସ ନା ହୋତି..’ ମନ୍ତବ୍ୟକୁ କଡ଼ା ବିରୋଧ କରିଛି ରାଜ୍ୟ କଂଗ୍ରେସ। କଂଗ୍ରେସ ସରକାର ସମୟରେ ବିଜ୍ଞାନ, କାରିଗରୀ କୌଶଳ, କମ୍ପ୍ୟୁଟରଠାରୁ ମୋବାଇଲ ପର୍ଯ୍ୟନ୍ତ ସବୁକିଛି ସମ୍ଭବ ହେବାରୁ ଭାରତ ବିଶ୍ବରେ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିଛି। ମାତ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ବିପନ୍ନ ହୋଇଛି। ନିଜର ଅପକର୍ମ ଓ କୁଶାସନ ପାଇଁ ମୋଦୀ ଜନସାଧାରଣଙ୍କ ବିଶ୍ବାସ ହରାଇଛନ୍ତି। ମୁଖ୍ୟ ପ୍ରସଙ୍ଗରୁ ଓହରିଯାଇ ଏକ ବାଚଳ ଭଳି ଭାଷଣ ଦେଉଛନ୍ତି। ମୋଦୀ ନିଜର ମାନସିକ ଭାରସାମ୍ୟ ହରାଇଥିବା କହିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି ଯଜ୍ଞେଶ୍ବର ବାବୁ କହିଛନ୍ତି।

ଗୁରୁବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାବୁ କହିଲେ, ଏଭଳି ମନ୍ତବ୍ୟ ଦେଇ ମୋଦୀ ପ୍ରଧାନମନ୍ତ୍ରୀ ପଦମର୍ଯ୍ୟାଦା ଓ ସଂସଦର ଗାରିମା ନଷ୍ଟ କରିଛନ୍ତି। ଦେଶରେ କରୋନା ମହାମାରୀ ବ୍ୟାପିବା ସମୟରେ ଅକ୍ସିଜେନ୍ ଅଭାବରୁ ବହୁ ଲୋକ ପ୍ରାଣ ହରାଇଲେ। ବିମୁଦ୍ରୀକରଣ ବିଫଳ ହେଲା, ଲୋକଙ୍କ ଖାତାରେ ୧୫ଲକ୍ଷ ଆସିଲା ନାହିଁ। ଦେଶରେ ବେକାରୀ ସମସ୍ୟା ଉତ୍କଟ ହୋଇଥିବା ବେଳେ ଦେଶର ଅର୍ଥନୀତି ରସାତଳଗାମୀ ହୋଇଛି। ପ୍ରଧାନମନ୍ତ୍ରୀ ଧର୍ମ ନାଁରେ ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ତେଣୁ ମୋଦୀ ଓ ତାଙ୍କ ଦଳ ଓ ସରକାର ହେଉଛି ଏକ ଦେଶ ବିରୋଧୀ ସରକାର। ୫ଟି ରାଜ୍ୟର ସାଧାରଣ ନିର୍ବାଚନରେ ମୋଦୀଙ୍କ ଦଳ ଜନସାଧାରଣଙ୍କ ଦ୍ବାରା ପ୍ରତ୍ୟାଖାନ ହେଉଥିବା ଜାଣି କଂଗ୍ରେସ ବିରୋଧରେ ଏଭଳି ମନ୍ତବ୍ୟ ଦେଉଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଂଜନ ଦାଶ, ଚିନ୍ମୟ ସୁନ୍ଦର ଦାସ ଓ ରବି ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର