ମା’ଙ୍କ ହାତରୁ ଖିରି ଖାଇବା କଥା ମନେପକାଇଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେଉ ଦେଉ ହଠାତ୍ ନିଜ ମା’ଙ୍କ କଥା ମନେପକାଇ ଭାବପ୍ରବଣ ହୋଇଯାଇଥିଲେ। ମୋଦୀ କହିଥିଲେ, ଆଜି ଏକ ଆଦିବାସୀ ପରିବାରର ଗୃହ ପ୍ରବେଶ କାର୍ଯ୍ୟକ୍ରମକୁ ଯାଇଥିଲି। ସେଠାରେ ଜଣେ ଆଦିବାସୀ ଭଉଣୀ ମୋତେ ଖିରି ଖୁଆଇଲା। ଏହି ସମୟରେ ମୋ ମା’ଙ୍କ କଥା ମନେପଡ଼ିଗଲା। ମା’ ବଞ୍ଚିଥିବା ବେଳେ ମୁଁ ପ୍ରତି ବର୍ଷ ଜନ୍ମଦିନରେ ମା’ର ଆଶୀର୍ବାଦ ନେବାକୁ ମା’ପାଖକୁ ଯାଏ। ମା’ ମୋତେ ଖୁସିରେ ଖିରି ଖୁଆଇଦିଏ। ଆଜି ମା’ ନାହାନ୍ତି, କିନ୍ତୁ ଜଣେ ଆଦିବାସୀ ଭଉଣୀ ଶ୍ରଦ୍ଧାର ସହ ଖିରି ଖୁଆଇ ମୋତେ ଜନ୍ମ ଦିନର ଆଶୀର୍ବାଦ ଦେଇଥିଲେ। ଏହି ସ୍ନେହ ଶ୍ରଦ୍ଧା ମୋର ସାରା ଜୀବନ ପାଇଁ ମନେ ରହିବ। 

Advertisment

ଠାକୁର ପୂଜା କଲେ ମୋଦୀ
ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ପ୍ରଥମେ ଗାଡ଼କଣ ଯାଇ ଆବାସ ଯୋଜନାର ହିତାଧିକାରୀଙ୍କୁ ସାକ୍ଷାତ କରିଥିଲେ। ଏଥି ସହ ଗାଡ଼କଣସ୍ଥିତ ଶବର ସାହିର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ନୂତନ ବାସଗୃହରେ କିଛି ସମୟ ବିତାଇଥିଲେ। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ଉପସ୍ଥିତ ମହିଳାମାନେ ଫୁଲ ଓ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ। ଉତ୍ସାହ ପରିବେଶ ମଧ୍ୟରେ ପ୍ରଧାନମନ୍ତ୍ରୀ ଅନ୍ତର୍ଯ୍ୟାମୀଙ୍କ ଘର କାନ୍ଥରେ ଥିବା ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ। ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଫଟୋରେ ଫୁଲ ଚନ୍ଦନ ଦେବା ସହ ଘଣ୍ଟି ବଜାଇ ପୂଜା କରିଥିଲେ। ପିତଳ ଥାଳିରେ ସମସ୍ତ ସାମଗ୍ରୀ ଧରିବାର ଦୃଶ୍ୟ ଥିବା ସବୁଠାରୁ ନିଆରା।

ଅନ୍ତର୍ଯ୍ୟାମୀଙ୍କ ନାତିକୁ ଆଶୀର୍ବାଦ କଲେ
ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ସଂଯୋଗବଶତଃ ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ହୋଇଥିବାରୁ ଅନ୍ତର୍ଯ୍ୟାମୀଙ୍କ ବୋହୂ ସାଧବିଙ୍କ ଦ୍ୱାରା ଚାଉଳ କ୍ଷିରି ପ୍ରସ୍ତୁତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ତର୍ଯ୍ୟାମୀ ଏକାଠି ବସି ଚାଉଳ କ୍ଷିରି ଖାଇଥିଲେ। ଛୋଟିଆ ରୋଷେଇ ଘରେ ଗ୍ୟାସରେ ପ୍ରସ୍ତୁତ ହୋଇଥିବା ଅତି ସୁଆଦିଆ ଖିରିକୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ। ଖାଇସାରିବା ପରେ ଅନ୍ତର୍ଯ୍ୟାମୀଙ୍କ ନାତି ସୌମ୍ୟଜିତ୍‌ଙ୍କ ମୁଣ୍ଡରେ ହାତ ‌ଥୋଇ ଆଶୀର୍ବାଦ କରିଥିଲେ।

୩୦ ମହିଳାଙ୍କ ସହ ଆଲୋଚନା କଲେ
ଗାଡ଼କଣ ଗାଁର ଆବାସ ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ପାଖାପାଖି ୩୦ ଜଣ ମହିଳା ଏକାଠି ବସି ଆବାସ ଯୋଜନାର ଉପଲବ୍ଧି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ଜଣଙ୍କ ପରେ ଜଣଙ୍କ ନାଁ ପଚାରିବା ସହ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। କେହି କେହି ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ କହିବା ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଅଧିକରୁ ଅଧିକ ସୁବିଧା କିଭଳି ମିଳିବ ସେନେଇ ମନ ଇଚ୍ଛା କହିଚାଲିଥିଲେ।

ଫଟୋ ନେଲେ, ଅଟୋଗ୍ରାଫ୍‌ ଦେଲେ
ଗସ୍ତ ଅବସରରେ ଛୋଟ ପିଲା ଗୁଡ଼ିଆ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କଠାରୁ ଫଟୋ ଗ୍ରହଣ କରିବା ସହ ପାଠପଢ଼ା କଥା ପଚାରିଥିଲେ। ଗୁଡ଼ିଆଙ୍କ ବାପା ଓ ମା’ଙ୍କୁ ମଧ୍ୟ ଭେଟିଥିଲେ। ଗୁଡ଼ିଆଙ୍କ ବାପା ଝୁନାଙ୍କୁ ଯୋଗ ଆସନ କରିବାକୁ ପରାମର୍ଶ ଦେଇଛନ୍ତି। ପିଏମ ଆବାସ ଯୋଜନା ପାଇଥିବା ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା  କରିଥିବା  ବେଳେ ମୋଦିଙ୍କୁ  ପାଖରେ ପାଇ ସମସ୍ତେ ବେଶ ଖୁସି ହୋଇଛନ୍ତି। ସମସ୍ତେ ଜନ୍ମଦିନର  ଶୁଭେଛା ଜଣେଇଥିବା  ବେଳେ ମଞ୍ଜୁ ନାୟକଙ୍କୁ ପ୍ରଧାନମନ୍ତ୍ରୀ ଅଟୋଗ୍ରାଫ ଦେଇଛନ୍ତି। ଅଟୋଗ୍ରାଫ୍‌ରେ ଜୟ ଜଗନ୍ନାଥ ଲେଖିବା ସହ ମୋଦୀଜୀ ବୋଲି ହିନ୍ଦୀରେ ଉଲ୍ଲେଖ କରିଥିଲେ। କଥା ହେବା ଭିତରେ ପାଇଥିବା ଯୋଜନା ସହ ବାକିଥିବା ଯୋଜନାକୁ ପୂରା କରିବାର ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମର ଉନ୍ନତି ପାଇଁ ଯାହା ଆବଶ୍ୟକ କରିବେ ବୋଲି ମୋଦୀ କହିଛନ୍ତି।

ଘର ଆଗରେ ବସିଲା କଳସ
ମୋଦୀ ଆସୁଥିବାରୁ ଗାଡ଼କଣ ଗାଁର ଶବରସାହିକୁ ନୂଆ ରୂପରେ ସଜାଯାଇଥିଲା। ରାତାରାତି ରାସ୍ତାଘାଟ ଚକାଚକ୍‌ ହେବା ସହ ଗାଁ ଦାଣ୍ଡକୁ ମରାମତି କରାଯାଇଥିଲା। ଅଧିକାଂଶଙ୍କ ଘର ସମ୍ମୁଖରେ କଳସ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଗାଁରେ ପହଞ୍ଚିବା କ୍ଷଣି ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନୀରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। 

ରାସ୍ତାପାର୍ଶ୍ବରେ ଲଡ଼ୁ ବଣ୍ଟାଗଲା
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଲଡ଼ୁ ବଣ୍ଟନ କରାଯାଇଥିଲା। ଜନତା ମଇଦାନ ବାହାରେ ସାଧାରଣ ଲୋକଙ୍କୁ ବଣ୍ଟା ଯାଇଥିଲା। ସୁଭଦ୍ରା ଯୋଜନାର ଶୁଭାରମ୍ଭ ସମୟରେ ଜନତା ମଇଦାନ ଆସିଥିବା ଲୋକଙ୍କୁ ଲଡ଼ୁ ବଣ୍ଟାଯାଇଛି। ଜୟଦେବ ବିହାରରୁ ଜାଭିଅର ଛକ ପର୍ଯ୍ୟନ୍ତ ବିଭିନ୍ନ ଷ୍ଟଲ କରାଯାଇ ଲୋକଙ୍କୁ ଲଡ଼ୁ ଦିଆଯାଇଥିଲା। କିଏ ଗୀତ ଗାଇ ତ ଆଉ କିଏ କବିତା ପାଠ କରି ମୋଦୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ।

ଟଙ୍କା ଦେଖି ଖୁସ୍
ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କିଛି ସମୟ ଭିତରେ ସଭାସ୍ଥଳରେ ଥିବା କେତେକ ମହିଳାଙ୍କ ଆକାଉଣ୍ଟରେ ୪୯୯୯ଟଙ୍କା ଜମା ହୋଇଥିବା ମେସେଜ୍ ଆସିଥିଲା। ଏହା ଦେଖି ମହିଳାମାନେ ଖୁସି ହୋଇଯାଇଥିଲେ। ପୁରୀ ଜିଲ୍ଲାରୁ ଆସିଥିବା ସୁମିତା ସାହୁ ନାମକ ଜଣେ ମହିଳା କହିଥିଲେ ତିନି/ଚାରି ଦିନ ତଳେ ଅାକାଉଣ୍ଟରେ ଟଙ୍କାଟେ ଜମା ହୋଇଥିଲା। ଟଙ୍କାଟେ କାହିଁକି ଜମା ହୋଇଥିଲା ଜାଣିପାରିନଥିଲି। ଏହାପରେ ପଚାରୁ ପଚାରୁ ଜାଣିବାକୁ ପାଇଥିଲି ସୁଭଦ୍ରା ଯୋଜନା ଟଙ୍କା ପଠାଇବାକୁ ଟେଷ୍ଟିଂ ହୋଇଛି। ଏବେ ବାକି ୪୯୯୯ଟଙ୍କା ଆସିଲା। ବହୁତ ଖୁସି ଲାଗୁଛି। ମିଟିଂକୁ ଆସିଥିଲୁ ହେଲେ ଏତେ ଜଲ୍‌ଦି ଟଙ୍କା ମିଳିବ ବୋଲି ଜାଣିନଥିଲି। କିନ୍ତୁ ବହୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବା ନେଇ ମେସେଜ୍ ଆସିନଥିବାରୁ ସେମାନଙ୍କ ମନ ମରି ଯାଇଥିଲା। କଟକ ଜିଲ୍ଲାର କେତେକ ମହିଳା କହିଥିଲେ ଆମ ବିଧାୟକ କହିଥିଲେ ଆଜି ଆମ ଆକାଉଣ୍ଟକୁ ୫ହଜାର ଟଙ୍କା ଆସିବ। ଆମ ପାଖରେ ବସିଥିବା ୪/୫ଜଣଙ୍କୁ ଟଙ୍କା ମିଳିଲା ହେଲେ ଆମକୁ ମିଳିନି। ସଂଧ୍ୟାରେ ବିଧାୟକଙ୍କୁ ଭେଟି ପଚାରିବୁ।