ଆକାଶମାର୍ଗରୁ ବାତ୍ୟା କ୍ଷତି ଦେଖିଲେ ପ୍ରଧାନମନ୍ତ୍ରୀ: ଓଡ଼ିଶାକୁ ୫୦୦କୋଟି, ପ୍ରଶଂସା

ମୃତକଙ୍କ ପରିବାରକୁ ୨ଲକ୍ଷ, ଆହତଙ୍କ ପାଇଁ ୫୦ ହଜାର, କେନ୍ଦ୍ରୀୟ ପ୍ରତିନିଧି ଅନୁଧ୍ୟାନ ପରେ ବାକି ସହାୟତା

ଭୁବନେଶ୍ବର: ମହାବାତ୍ୟା ଅମ୍ଫାନ କ୍ଷତର ଗଭୀରତା ମାପିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ପାଇଁ ଅଗ୍ରିମ ୫୦୦ କୋଟିର ସହାୟତା ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ମୃତକଙ୍କ ପରିବାର ଲାଗି ୨ଲକ୍ଷ ଟଙ୍କା ଓ ଆହତଙ୍କ କ୍ଷେତ୍ରରେ ୫୦ ହଜାର ଟଙ୍କାର ଅନୁକମ୍ପା ସହାୟତା ମଧ୍ୟ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଓଡ଼ିଶାର ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌ର ପ୍ରଶଂସା କରିବା ସହିତ ଖୁବ୍ ଶୀଘ୍ର କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ିଶା ଆସିବେ ଓ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ-୧୯ ମହାମାରୀ ସମୟରେ ଏପରି ମହାବାତ୍ୟା ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସଠିକ ଢଙ୍ଗରେ ବାତ୍ୟାର ପରିଚାଳନା ଓ ମୁକାବିଲା କରିଥିବାରୁ ଅନେକ ଜୀବନରକ୍ଷା ହୋଇପାରିଛି । ସେଥିପାଇଁ ଓଡ଼ିଶା ସରକାରଙ୍କୁ ଅନେକ ଧନ୍ୟବାଦ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ସ୍ଥିତି ଦେଖିଥିଲେ ଓ ୧୦୦୦କୋଟିର ଅଗ୍ରିମ ସହାୟତା ଘୋଷଣା କରିଥିଲେ।

ସଠିକ ବାତ୍ୟା ପରିଚାଳନା ପାଇଁ ଅନେକ ଜୀବନ ରହିଲା
ଅର୍ଥନୀତି ଚାପରେ ଥିବାରୁ ନିଜ ଅର୍ଥରେ ମୁକାବିଲା: ନବୀନ
ସବୁ କଚ୍ଚା ଘରକୁ ପକ୍କା ଓ ସ୍ଥାୟୀ ଭିତ୍ତିଭୂମି ମାଗିଲା ରାଜ୍ୟ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ରାଜ୍ୟ ଏବେ କରୋନା ମୁକାବିଲା କରୁଛି, ତା ସହିତ ବାତ୍ୟା ବି। ଏବେ କରୋନା କାରଣରୁ ଦେଶର ଅର୍ଥନୀତି ଗଭୀର ଚାପରେ ରହିଛି। ଏଣୁ କେନ୍ଦ୍ର ସରକାରଙ୍କ ଉପରେ ଅଧିକ ଆର୍ଥିକ ଚାପ ନ ଲଦି ନିଜ ଅର୍ଥରେ ଏହି ବାତ୍ୟା ମୁକାବିଲା କରିବା ଲାଗି ଓଡ଼ିଶା ଚେଷ୍ଟା କରୁଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଥିଲା ସେଥିରେ ମଧ୍ୟ ଅନୁରୂପ ଚିତ୍ର ସ୍ଥାନ ପାଇଥିଲା। ସରକାର ଦର୍ଶାଇଥିଲେ ଯେ ବାରମ୍ବାର ବାତ୍ୟା କାରଣରୁ ଭିତ୍ତିଭୂମି ଉଜୁଡ଼ିଯାଉଛି ଓ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେଉଛି। ଭବିଷ୍ୟତରେ ଏଭଳି କ୍ଷତିକୁ ଏଡ଼ାଇବା ଲାଗି ଅଧିକ ମଧ୍ୟମ ଓ ଦୀର୍ଘ ମିଆଦି ସହାୟତା ପାଇଁ ଦାବି କରିଥିଲେ। ବିଶେଷକରି ରାଜ୍ୟରେ ୨୦ଲକ୍ଷ କଚ୍ଚା ଘର ରହିଛି, ଯାହା ବାତ୍ୟାରେ ଗଭୀର ଭାବେ କ୍ଷତିଗ୍ରସ୍ତ ହେଉଛି। ଯେହେତୁ କେନ୍ଦ୍ର ସରକାର ସବୁ କଚ୍ଚା ଘରକୁ ପକ୍କା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଓଡ଼ିଶାର ଏହି ୨୦ଲକ୍ଷ କଚ୍ଚା ଘର ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା।

ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖଙ୍କୁ ନେଇ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଉପରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ିଥିଲା।

ଆକାଶମାର୍ଗରୁ ସ୍ଥିତି ନିରୀକ୍ଷଣ କରି ଫେରିବା ପରେ ଭୁବନେଶ୍ବର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଡିଜି ଅଭୟ, ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ। ୮ଟି ଜିଲ୍ଲା ଅନ୍ତର୍ଗତ ୯୦ଟି ବ୍ଲକର ୧୫୦୦ ପଞ୍ଚାୟତର ୪୫ଲକ୍ଷ ଲୋକ ବାତ୍ୟା ଦ୍ବାରା ପ୍ରଭାବିତ େହାଇଥିବା ନେଇ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା। ପରେ ପ୍ରଧାନମନ୍ତ୍ରୀ କହିଥିଲେ ‌ଯେ ବାତ୍ୟା ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାରେ କମ୍ କ୍ଷତି କରିଛି। କୃଷି ଠାରୁ ଆରମ୍ଭ କରି ବିଦ୍ୟୁତ କ୍ଷେତ୍ର ଆଦିରେ କିନ୍ତୁ କ୍ଷତି ଘଟିଛି। ଏହି ସଙ୍କଟମୟ ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ କାନ୍ଧ ସହ କାନ୍ଧ ମିଳାଇ ଚାଲିବେ। ବାତ୍ୟା ଦ୍ବାରା ଯେଉଁ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି, ତାର ପୁନରୁଦ୍ଧାର ଓ ପୁନଃନିର୍ମାଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଓଡ଼ିଶା ପାଇଁ ଏବେ ସେ ୫୦୦ କୋଟିର ଅଗ୍ରିମ ସହାୟତା ଦେବେ। ଏହାଛଡ଼ା ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଖୁବ୍ ଶୀଘ୍ର ଓଡ଼ିଶା ଆସି କ୍ଷୟକ୍ଷତି ଆକଳନ କରିବ। ସେମାନେ ରିପୋର୍ଟ ଦେବା ପରେ ଆବଶ୍ୟକ ସହାୟତା ପ୍ରଦାନ କରାଯିବ। ଓଡ଼ିଶାର ଜନସାଧାରଣଙ୍କୁ ମୋଦୀ ସମର୍ଥନ ବ୍ୟକ୍ତ କରିବା ସହିତ ବାତ୍ୟାରେ େହାଇଥିବା ଜୀବନହାନିକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ବାତ୍ୟା ନେଇ ଗାଁ ଗାଁରେ ରାଜ୍ୟ ସରକାର ଯେଭଳି ସଚେତନତା ସୃଷ୍ଟି କରିଛନ୍ତି, ତାକୁ ନେଇ ମୋଦୀ ନବୀନଙ୍କୁ ପ୍ରଶଂସା କରିଥିଲେ। ବୈଠକ ପରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଫେରିଯାଇଛନ୍ତି।

ସମ୍ବନ୍ଧିତ ଖବର