ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି। ସେବାପକ୍ଷ ଅବସରରେ ଆୟୋଜିତ ହେ‌ଉଥିବା ଏହି ପର୍ବରେ ଯୁବ ସମାବେଶକୁ ସମ୍ବୋଧିତ କରିବେ ମୋଦୀ। ଏଥିସହିତ ଓଡ଼ିଶା ସମେତ ସମଗ୍ର ଦେଶବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ଭେଟି ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ନେଇ ମନ୍ତ୍ରୀ, ବିଧାୟକମାନେ ୨ ଦିନ ହେଲା ଡେରା ପକାଇ ତୁହାକୁତୁହା ସମୀକ୍ଷା କରୁଛନ୍ତି। ମୁଖ୍ୟ ସଚିବଙ୍କ ସହିତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଯେମିତି ସଫଳତାର ସହ ଶେଷ ହେବ ସେଥି ପାଇଁ ରାଜ୍ୟ ସରକାର ସବୁ ଜୋର୍‌ ଲଗାଇ ଦେଇଛନ୍ତି।

Advertisment

ଶନିବାର ସକାଳ ୯ଟା ୨୦ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ବାହାରି ଦିନ ୧୧ଟା ୧୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ ଏବଂ ସେଠାରୁ ୨ କିମି ଲମ୍ବା ରୋଡ୍‌ ସୋ’ରେ ସାମିଲ ହେବେ। ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ବାରିକେଡ୍‌ ଅପରପାର୍ଶ୍ବରେ ୧୦ ହଜାରୁ ଅଧିକ ଲୋକ ଓ ବିଭିନ୍ନ ସାଂସ୍କୃତିକ ଦଳ ରହିବେ। ଅମଲିପାଲିସ୍ଥିତ ସଭାସ୍ଥଳରେ ପହଞ୍ଚିବା ପରେ ସାଢ଼େ ୧୧ଟାରୁ ୧୧ଟା ୩୫ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ ଭାଷଣ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ବଟନ୍‌ ଚିପି ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପ, ସମ୍ବଲପୁର ସିଟି ଓ ସର୍ଲା ମଧ୍ୟରେ ରେଳ ଫ୍ଲାଏଓଭର ପ୍ରକଳ୍ପ, ଭୁବନେଶ୍ବରରେ ସେମି କଣ୍ଡକ୍ଟର ଓ ଇଏସ୍‌ଡିଏମ୍‌ ପ‌ାର୍କ ପ୍ରତିଷ୍ଠା ପ୍ରକଳ୍ପର ଶିଳାନ୍ୟାସ କରିବେ। ସମଗ୍ର ଦେଶରେ ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆରମ୍ଭ ପ୍ରକଳ୍ପ, ବୈଷୟିକ ଶିକ୍ଷା କ୍ଷେତ୍ରରେ ବହୁବିଧ ଶିକ୍ଷା ଓ ଗବେଷଣା ବିକାଶ ଯୋଜନା (ଏମ୍‌ଏଇଆର୍‌ଆଇଟିଇ), ରାଜ୍ୟ ସରକାରଙ୍କ ବିଶ୍ବସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିବେ।

ଝାରସୁଗୁଡ଼ା ବିମାନବନ୍ଦରରୁ ଜେଲ୍‌ ଛକ ପର୍ଯ୍ୟନ୍ତ ରୋଡ୍‌ ସୋ
ରେଳ, ଶିକ୍ଷା ସମେତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ
ପୁଣି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସମାବେଶର ସଫଳତାକୁ ଗୁରୁତ୍ବ

ରାଜ୍ୟର ୧୩୦ଟି ୱାଇଫାଇ ଯୁକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଉଦ୍‌ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କୋରାପୁଟରୁ ବୈପାରୀଗୁଡ଼ା ମଧ୍ୟରେ ରେଳ ଲାଇନ୍‌ ଓ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନ୍‌ର ଡବଲିଂ ପ୍ରକଳ୍ପ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହାସହିତ ଭିମ୍‌ସାର ଓ ଏମ୍‌କେସିଜି ମେଡିକାଲ କଲେଜର ଉନ୍ନତୀକରଣ ପାଇଁ ତିଆରି ହୋଇଥିବା ମାଷ୍ଟର ପ୍ଲାନ୍‌କୁ ଲୋକାର୍ପଣ କରିବେ। ବ୍ରହ୍ମପୁରରୁ ସୁରତ ଯାଏଁ ଅମୃତ ଭାରତ ଟ୍ରେନ୍‌ ସେବାକୁ ପତାକା ଦେଖାଇ ଆରମ୍ଭ କରିବା ସହ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରି ପତ୍ର ପ୍ରଦାନ କରି‌ବେ। ଦିନ ୧୨ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଯୁବ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସାଢ଼େ ୧୨ଟାରେ ସଭାସ୍ଥଳ ଛାଡ଼ି ଝାରସୁଗୁଡ଼ା ବିମାନବନ୍ଦରକୁ ବାହାରିବେ ଏବଂ ସେଠାରୁ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି। 

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡ଼ାରେ ସମୀକ୍ଷା ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କାର୍‌କେଡ୍‌ ରିହର୍ସାଲ୍‌ରୁ ନେଇ ସନ୍ଧାନୀ କୁକୁର ଓ ବମ୍‌ ସ୍କ୍ବାଡ୍‌ ଦ୍ବାରା ସଭାସ୍ଥଳ ଯାଞ୍ଚ କରାଯାଇଥିଲା। ଏସ୍‌ପିଜି ଓ ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ ସଭାସ୍ଥଳରୁ ‌ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାକୁ ନିଜ ନିୟନ୍ତ୍ରଣକୁ ନେଇଥିବାବେଳେ ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌, ଆଇଟିବିପି ଆଦି କେନ୍ଦ୍ରୀୟ ପୁଲିସ ବଳଙ୍କ ସହ ଓଡ଼ିଶା ପୁଲିସର ପ୍ରାୟ ୬୦ ପ୍ଲାଟୁନ୍‌ ଫୋର୍ସ, ୨୦୦ ଏସ୍‌ଆଇ ଓ ଏଏସ୍‌ଆଇ, ୭୦ ଜଣ ଇନ୍ସପେକ୍ଟର, ୧୦ରୁ ଅଧିକ ଆଇପିଏସ୍‌ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସମାବେଶରେ ରାଜ୍ୟରୁ ହଜାର ହଜାର ଯୁବକଯୁବତୀ, ଜନସାଧାରଣ ଓ ଦଳୀୟ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।