ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମ୍ମେଳନ ଉଦ୍ଘାଟନ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ବରରେ ପହଞ୍ଚିବେ। ରାତି ପାଖାପାଖି ୮ଟା ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରି ରାଜଭବନ ଯିବେ। ପର ଦିନ ଅର୍ଥାତ ଗୁରୁବାର ସମ୍ମେଳନକୁ ଉଦ୍ଘାଟନ କରିବେ। ସେହିପରି ୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଆସିବେ। ଏହାଛଡ଼ା ବହୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଭିଭିଆଇପି ବି ସାମିଲ ହେବେ। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀଙ୍କ ରାଜଭବନ ଆସିବା ସମୟରେ ରାସ୍ତାରେ ବହୁ ଲୋକଙ୍କ ସମାଗମ ନେଇ ସମ୍ଭାବନା ରହିଛି। ରୋଡ୍ ସୋ’ ବି ହୋଇପାରେ। ତେଣୁ ଏହି ସମୟରେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ଦେଖା ନଯାଏ, ସେଥିପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମସ୍ତ ପ୍ରକାର ପ୍ରତିକୂଳ ସ୍ଥିତିକୁ କିଭଳି ସାମ୍ନା କରିବାକୁ ହେବ ଏଥିପାଇଁ କମିସନରେଟ୍ ପୁଲିସ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଥିପାଇଁ ସାରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ ଡିଜି ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ବେଳେ ପୁଲିସ କମିସନର ଏସ୍ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପିନାକ ମିଶ୍ରଙ୍କ ନେତୃତ୍ବରେ ୫୦୦ରୁ ଊର୍ଦ୍ଧ୍ବ ଅଧିକାରୀ ଦାୟିତ୍ବରେ ରହିଛନ୍ତି। ସେହିପରି ୮୩ ପ୍ଲାଟୁନ୍ ପୁଲିସ ବଳ ସାଙ୍ଗକୁ ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ସ୍କ୍ବାର୍ଡ, କେନ୍ଦ୍ରୀୟ ଗୁଇନ୍ଦା, ସିଏପିଏଫ୍, ଷ୍ଟ୍ରାଇକିଂ ଫୋର୍ସ, ଆଣ୍ଟି ସାବୋଟେଜ୍ ଟିମ୍, ଆଣ୍ଟି ଟେରରିଷ୍ଟ ଟିମ୍, ଅଗ୍ନିଶମ ଟିମ୍ ପୂରା ସଜାଗ ରହିଛନ୍ତି। ବ୍ଲୁ-ବୁକ୍ ଅନ୍ତର୍ଗତ ସୁରକ୍ଷା ନେଇ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ସୂଚନା ମିଳିଛି।
ଦାୟିତ୍ବରେ ୫୦୦ ଅଧିକାରୀ, ୮୩ ପ୍ଲାଟୁନ୍ ଫୋର୍ସ
ରାଜଧାନୀ ନୋ ଫ୍ଲାଇଙ୍ଗ ଜୋନ୍; ସିସିଟିଭି ନଜରରେ ସାରା ସହର
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୋଟେଲ୍ ଓ ବସ୍ତିଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଇଛି। ଏହି ସମୟରେ କେଉଁମାନେ ହୋଟେଲ୍କୁ ଆସୁଛନ୍ତି? କେଉଁଠୁ ଆସିଛନ୍ତି? ସେମାନଙ୍କର ଟିକ୍ ନିଖ୍ ଯାଞ୍ଚ କରାଯାଉଛି। ବସ୍ତିଗୁଡ଼ିକରେ ମଧ୍ୟ ଘନ ଘନ ଯାଞ୍ଚ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଯାତାୟତ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ବାରିକେଡ୍ କରାଯିବା ସହ ପୁଲିସ ଛାଉଣି କରାଯିବ। ଉଭୟ ପାର୍ଶ୍ବର ସମସ୍ତ ବଡ଼ବଡ଼ ବିଲ୍ଡିଂ ଠାରୁ ଆରମ୍ଭ କରି ମଲ୍, କମ୍ପ୍ଲେକ୍ସକୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି। ସେମାନେ ରୁଫ୍ ଟପ୍ରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରିବେ ନାହିଁ କି କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀ ରଖିବେ ନାହିଁ। ଉକ୍ତ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଓ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ସେହିପରି ରାତ୍ରିକାଳୀନ ବ୍ଲକିଂ, ଚେକିଂକୁ ମଧ୍ୟ କଡ଼ାକାଡ଼ି କରାଯାଇଛି। ସାରା ସହରରକୁ ସିସିଟିଭି ନଜରରେ ରଖାଯାଇଛି। ଏଥିପାଇଁ କଣ୍ଟ୍ରୋଲ୍ ରୁମ୍ରୁ ଜଣେ ଡିଏସ୍ପି ରୢାଙ୍କର ଅଧିକାରୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ପତ୍ୟେକ ଗତିବିଧି ଉପରେ ନଜର ରଖିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/13/bCvSpQQb1s4QOqu256TG.jpg)