ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ପାଇଁ ଜନତା ମଇଦାନରେ ବିରାଟ ସମାରୋହର ଆୟୋଜନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧନ କରିବେ। ଏଥିପାଇଁ ବିଜେପି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି। ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରାୟ ୩ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ। ଏଥିରେ ୨୭୦୦କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ, ନରାଜରେ ନିର୍ମିତ ୫୦କୋଟି ଟଙ୍କାର ଇଭି ବସ୍ ଡିପୋର ଉଦ୍ଘାଟନ, ୧୦୦ଟି ନୂଆ ଇଭି ବସ୍ର ଶୁଭାରମ୍ଭ ଆଦି ରହିଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନତା ମଇଦାନରେ ଆୟୋଜିତ ସଭାସ୍ଥଳର ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସଭାସ୍ଥଳ ବୁଲି ଦେଖିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯେପରି କୌଣସି ତ୍ରୁଟି ନ ରହିବ ସେଥିପ୍ରତି ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ବିଳମ୍ୱିତ ସନ୍ଧ୍ୟା ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ମନୋଜ ଆହୁଜା ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ପ୍ରସ୍ତୁତି କାର୍ଯ୍ୟ ବୁଲି ଦେଖିଥିଲେ।
ଆସନ୍ତାକାଲି ଅପରାହ୍ନ ୩ଟା ୪୦ରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ୩ଟା ୪୫ରେ ରୋଡ୍ ସୋ’ରେ ବାହାରି ୪ଟା ୧୫ରେ ଜନତା ମଇଦାନରେ ପହଞ୍ଚିବେ। ସେଠାରେ ଅପରାହ୍ନ ୫ଟା ୩୫ ପର୍ଯ୍ୟନ୍ତ ରହିବେ। ଅପରାହ୍ନ ୫ଟା ୫୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ ଯିବେ। ଆଜି ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ କାରକେଡ୍ ରିହରସାଲ୍ ହୋଇଥିଲା।
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଓଡ଼ିଶା ଭିଜନ୍-୨୦୩୬ ଓ ୨୦୪୭’ ପୁସ୍ତିକାକୁ ଉନ୍ମୋଚନ କରିବେ। ଏହାସହ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ମୋଦୀ ତା’ର ରୋଡ୍ ମ୍ୟାପ୍ ଘୋଷଣା କରିବେ। ସରକାର କିପରି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଗୋଟି ଗୋଟି ପାଳନ କରୁଛନ୍ତି ଏବଂ କ’ଣ କରିବାକୁ ଯୋଜନା କରିଛନ୍ତି, ସେ ନେଇ ମଧ୍ୟ କହିବେ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୩ କିମିର ସୋନପୁର-ପୁରୁଣାକଟକ ନୂତନ ରେଳ ଲାଇନ ଉଦ୍ଘାଟନ କରିବେ। ଏହା ଖୋର୍ଦ୍ଧାରୋଡ-ବଲାଙ୍ଗୀର ୩୦୧କିମି ରେଳ ଲାଇନ୍ର ଏକ ଅଂଶ। ଏହାଦ୍ବାରା ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟ୍ୱାର୍କ ସହିତ ସଂଯୋଗ ହେବାକୁ ଯାଉଛି। ଭୁବନେଶ୍ବରରୁ ବୌଦ୍ଧକୁ ରେଳ ସଂଯୋଗ ହେବ। ଏହାସହ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୁଇଟି ନୂଆ ଟ୍ରେନ୍ ଭେଟି ଦେବେ। ସେଗୁଡ଼ିକ ହେଲା ବୌଦ୍ଧ-ନୂଆ ଭୁବନେଶ୍ୱର-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍ ଏବଂ ସମ୍ବଲପୁର-ବୌଦ୍ଧ-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍। ବୌଦ୍ଧ-ନୂଆ ଭୁବନେଶ୍ୱର-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍ ପ୍ରତି ସୋମବାର ବୌଦ୍ଧରୁ ସକାଳ ୭ଟାରେ ଛାଡ଼ିବ ଏବଂ ବଲାଙ୍ଗୀର-ସମ୍ବଲପୁର-ଅନୁଗୁଳ-ନରାଜ ଦେଇ ନୂଆ ଭୁବନେଶ୍ୱର ଷ୍ଟେସନ୍ରେ ସନ୍ଧ୍ୟା ୬ଟା ୧୫ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ଟି ସୋମବାର ନୂଆ ଭୁବନେଶ୍ୱରରୁ ରାତି ୧୧ଟାରେ ଛାଡ଼ିବ ଏବଂ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ରେ ବୌଦ୍ଧରେ ପହଞ୍ଚିବ। ସେହିପରି ସମ୍ବଲପୁରରୁ ସମ୍ବଲପୁର-ବୌଦ୍ଧ-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍ ରବିବାର ସନ୍ଧ୍ୟା ୭ଟା ୨୫ରେ ଛାଡ଼ିବ ଏବଂ ସେହି ରାତି ୧୧ଟା ୫୫ରେ ବୌଦ୍ଧରେ ପହଞ୍ଚିବ। ଫେରିବା ସମୟରେ ବୌଦ୍ଧରୁ ଏହି ଟ୍ରେନ୍ଟି ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୧୫ରେ ଛାଡ଼ିବ ଏବଂ ସେହି ସନ୍ଧ୍ୟା ୭ଟା ୩୦ରେ ସମ୍ବଲପୁରରେ ପହଞ୍ଚିବ। ଏହାବ୍ୟତୀତ ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ଏବଂ ଦୁଇ ଯୋଡ଼ା ବଲାଙ୍ଗୀର-ସୋନପୁର ସଟଲ୍ ପାସେଞ୍ଜର ଟ୍ରେନ୍ ପ୍ରଥମ ଥର ପାଇଁ ପୁରୁଣାକଟକ ପର୍ଯ୍ୟନ୍ତ ଚଳାଚଳ କରିବ।