କୋରାପୁଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୭ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା। ଅତ୍ୟନ୍ତ ସ୍ବାଦିଷ୍ଟ ଏବଂ ଓଡ଼ିଶା ପାଇଁ ଗୌରବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଆନ୍ଧ୍ରର ଆରକୁ କଫି ସଂପର୍କରେ ଚର୍ଚ୍ଚା କରିଥିଲେ। ସେହି ସମୟରେ ଓଡ଼ିଶାର ବହୁବ୍ୟକ୍ତି ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ କୋରାପୁଟ କଫି ସଂପର୍କରେ ଚର୍ଚ୍ଚା କରିବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। ଯାହାକୁ ସମ୍ମାନ ଦେଇ ପ୍ରଧାନମନ୍ତ୍ରୀ କୋରାପୁଟ କଫିର ସ୍ବତନ୍ତ୍ରତା ବିଷୟରେ ସଦ୍ୟତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଆଲୋଚନା କରିଛନ୍ତି। କଫିରେ କେବଳ ସ୍ବାଦ ଭରି ରହିନି, ଅନେକ ଲୋକଙ୍କୁ ଲାଭ ଦେଇଛି। ଅନେକ ଯୁବ ଉଦ୍ୟୋଗୀ କର୍ପୋରେଟ୍‌ ଚାକିରି ଛାଡ଼ି ଏବେ କଫି ଚାଷ କରି ସଫଳ ହୋଇଛନ୍ତି। ଅନେକ ମହିଳାଙ୍କ ଜୀବନ ଓ ଜୀବିକାକୁ ବଦଳାଇ ଦେଇଛି କଫି ଚାଷ। କଫି ପାଇଁ ସେମାନେ ସମ୍ମାନ ଓ ସମୃଦ୍ଧି ହାସଲ କରିଛନ୍ତି। 

Advertisment

ସାରା ଦୁନିଆରେ ଭାରତୀୟ କଫି ଲୋକପ୍ରିୟତା ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୋରାପୁଟ କଫି ସହିତ କର୍ଣ୍ଣାଟକର ଚିକମଙ୍ଗଲୁର, କୁର୍ଗ ଓ ହାସନ, ତାମିଲନାଡୁର ପୁଲନୀ, ସେବରାୟ, ନୀଳଗିରି, ଅନ୍ନାମଲାଇ ଓ ବିଲିଗିରି, କେରଳର ୱାୟନାଡ୍‌, ରାବଣକୋଟ, ମାଲାବାର ଆଦି କଫି ଚାଷ ସଂପର୍କରେ ଚର୍ଚ୍ଚା କରିଥିଲେ। ଉତ୍ତର-ପୂର୍ବ ଭାରତ ବି କଫି ଚାଷରେ ଆଗକୁ ବଢ଼ୁଛି। ଭାରତର କଫି ସାରା ଦୁନିଆରେ ମଜଭୁତ ହେଉଛି। ଭାରତର କଫି ସବୁଠାରୁ ଉତ୍କୃଷ୍ଟ କଫି। ଏହା ଭାରତରେ ପ୍ରସ୍ତୁତ ହୁଏ ଏବଂ ବିଶ୍ୱ ଏହାକୁ ଭଲପାଏ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ପ୍ରୋତ୍ସାହନ ଯୋଗୁଁ କୋରାପୁଟ ଜିଲ୍ଲାର କଫି ଚାଷୀଙ୍କୁ ସ୍ବତନ୍ତ୍ର ପରିଚୟ ମିଳିଛି। ନୂଆ ଉଦ୍ୟୋଗୀଙ୍କୁ ପ୍ରେରଣା ଦେବ ବୋଲି କୁହାଯାଉଛି। ଯାହା କଫି ଚାଷ ପାଇଁ ନୂଆ ଦ୍ବାର ଖୋଲିବା ସହ ସଫଳତାର ଶୀର୍ଷ ଛୁଇଁବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଗତମାସ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କୋରାପୁଟ ଜିଲ୍ଲା ଗସ୍ତ କରି ଏଠାରେ ଉତ୍ପାଦନ ହେଉଥିବା କଫିକୁ ପ୍ରଶଂସା କରିଥିଲେ। କଫି ଚାଷରେ ରହିଥିବା ସୁଯୋଗର ଉପଯୋଗ କରି ନୂଆ ଚାଷୀଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ।

ଖୁବ୍‌ଶୀଘ୍ର କେନ୍ଦୁଝର କଫି, ରୋପଣ ହେଲାଣି ୨୮ହେକ୍ଟର ଜମିରେ ଚାରା

କେନ୍ଦୁଝର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍‌ କୀ ବାତ୍‌‌ରେ କୋରାପୁଟ କଫିର ପ୍ରଶଂସା କରିବା ପରେ ଏବେ କେନ୍ଦୁଝର କଫିକୁ ନେଇ ବେଶ୍‌ ଚର୍ଚ୍ଚା‌ ଆରମ୍ଭ ହୋଇଛି। କେନ୍ଦୁଝରରେ ଆରମ୍ଭ ‌ହୋଇଥିବା କଫିଚାଷ ଆଉ କିଛି ବର୍ଷ ପରେ ଅମଳ ହେବ। ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ ଆଗ୍ରହ ଦେଖାଇଥିବାବେଳେ କଫି ମିସନ୍‌ରେ ହୋଇଥିବା ଚାଷକୁ ବୁଲି ଦେଖିଥିଲେ। ଏହାପରେ କେନ୍ଦୁଝର କଫିକୁ ‌ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ବାଂଶପାଳ ବ୍ଲକ୍‌ର ପାହାଡ଼ିଆ ଅଞ୍ଚଳ ସମୁଦ୍ର ପତ୍ତନଠାରୁ ୬୦୦ ମିଟର ଉଚ୍ଚତାରେ ଥିବାରୁ କଫିଚାଷ ପାଇଁ ଅନୁକୂଳ। ବାଂଶପାଳ ବ୍ଲକ୍‌ର ଥଣ୍ଡା ଜଳବାୟୁ ସହିତ ସର୍ବାଧିକ ବର୍ଷା (ବାର୍ଷିକ ୧୫୩୪ ମିଲିମିଟର) ଏହି ଅଞ୍ଚଳରେ ହେଉଥିବାରୁ କଫି ବୋର୍ଡ ଦ୍ୱାରା ଚାଷ ଆରମ୍ଭ ହୋଇଛି। 

ବିଶ୍ୱସ୍ତରରେ କଫିର ଚାହିଦା ରହୁଥିବାରୁ ବାଂଶପାଳରେ ଜୈବିକ ପଦ୍ଧତିରେ ଚାଷ କରି ସ୍ଥାନୀୟ ଆଦିବାସୀଙ୍କ ଆର୍ଥିକ ବିକାଶ କରାଯାଇପାରିବ। ପୂର୍ବରୁ ଓଡ଼ିଶାର କୋରାପୁଟକନ୍ଧମାଳ ଜିଲ୍ଲାରେ କଫି ଉତ୍ପାଦନ ହେଉଥିଲା। ଗତବର୍ଷ କେନ୍ଦୁଝର ଜିଲ୍ଲାରେ ୧୦ ହେକ୍ଟର ଜମିରେ ଓ ଚଳିତ ବର୍ଷ ୧୮ହେକ୍ଟର ଜମିରେ କଫି ଚାରାରୋପଣ ସରିଛି। ତରମାକାନ୍ତ, କୁଆଁର, ଗୋନାସିକା ଅଞ୍ଚଳରେ ଚାରା ଲଗାଯାଇଛି। ସେହିପରି କଫିଚାଷ ପାଇଁ ୮୦୦ ହେକ୍ଟର ଜମିରେ ଛାଇ ପାଇଁ ସିଲଭର୍‌ ଓକ୍‌, ଆମ୍ବ, ଜାମୁକୋଳି ଗଛ ରୋପଣ କରାଯାଇଛି। କଫିଚାଷ ପାଇଁ ସିଧାସଳଖ ସୂର୍ଯ୍ୟକିରଣ ନ ପଡ଼ିବା ପାଇଁ ଝଙ୍କାଳିଆ ଗଛ ତଳେ ଚାରାରୋପଣ କରାଯାଉଛି। ୪ ବର୍ଷରେ ଗଛଗୁଡ଼ିକରେ ଫଳ ଆସିବ। ପୂର୍ବରୁ ତରମାକାନ୍ତଠାରେ ଉନ୍ନତମାନର ଚା’ ଚାଷ ହେଉଥିଲା। ଏବେ କଫି ଚାଷ ମାଧ୍ୟମରେ ପରିଚୟ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ବାଂଶପାଳ ବ୍ଲକ୍‌ ଉପରକାଇପୁର ଗ୍ରାମରେ ୨୦୦୫ରେ ପରୀକ୍ଷାମୂଳକ ଭାବେ ପ୍ରୀତମ କୁମାର ରାଠୋର ୧୩ ଏକର ଜମିରେ କୋରାପୁଟ କଫି ବୋର୍ଡରୁ ୮,୦୦୦ ଚାରା ଆଣି ଲଗାଇ ସଫଳତା ପାଇଥିଲେ। ବାଂଶପାଳ ବ୍ଲକ୍‌ର ୧୨ଟି ପଞ୍ଚାୟତରେ କଫିଚାଷ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ଚାରାରୋପଣ କରାଯାଉଛି।

କୋରାପୁଟ କଫି ବୋର୍ଡର ବୈଜ୍ଞାନିକମାନଙ୍କ ପରାମର୍ଶ ଅନୁସାରେ ଏହାର ରକ୍ଷଣାବେକ୍ଷଣ କରାଯାଉଛି। କଫିଚାଷ ଦ୍ୱାରା ସ୍ଥାନୀୟ ଆଦିବାସୀଙ୍କୁ ସ୍ଥାୟୀ ଜୀବିକା ମିଳିପାରିଛି। ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ ଅଦ୍ୟାବଧି ୬୦ହଜାର କର୍ମଦିବସ ସୃଷ୍ଟି ହୋଇଛି। କଫି ଚାରାରୋପଣ ଓ ଛାଇ ଗଛ ରୋପଣ କାର୍ଯ୍ୟରେ ସ୍ଥାନୀୟ ଅଧିବାସୀମାନେ କାମ କରିବାକୁ ବେଶ୍‌ ଆଗ୍ରହ ଦେଖାଉଛନ୍ତି। ବାଂଶପାଳ ବ୍ଲକ୍‌ର ଅଧିକ ଅଞ୍ଚଳରେ କଫିଚାଷ କରି ଲୋକମାନଙ୍କୁ ସ୍ୱାବଲମ୍ବୀ କରାଯିବ। ୫ ବର୍ଷରେ ଉତ୍ପାଦନ ୧୦ ଗୁଣ ବଢ଼ାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଓଡ଼ିଶାରେ କେବଳ ‘ଆରବିକା’ କଫି ଚାଷ ହେଉଛି। ୨୦୩୦ ମସିହା ସୁଦ୍ଧା ୪୦ ହଜାର ହେକ୍ଟରରେ କଫିଚାଷ କରି ୨୦,୮୦୦ ଟନ୍ କଫି ଉତ୍ପାଦନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।