ମୋଦୀଙ୍କ ମୁହଁରେ ନବୀନଙ୍କ ପ୍ରସଂଶା

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସଂଶା କରିଛନ୍ତି । ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବାବେଳେ ମୋଦୀ କହିଛନ୍ତି ଯେ ଖଣି ଓ କୋଇଲା କ୍ଷେତ୍ରରେ କେନ୍ଦ୍ର ସରକାର ଆଣିଥିବା ସଂସ୍କାରକୁ ନବୀନ ପଟ୍ଟନାୟକ ଓଡ଼ିଶାରେ ଠିକଭାବେ କାର୍ଯ୍ୟକାରୀ କରିଛନ୍ତି ।

ତେବେ ନବୀନଙ୍କୁ ମୋଦୀ ପ୍ରଥମ ଥର ପାଇଁ ପ୍ରସଂଶା କରିନାହାନ୍ତି । ପୂର୍ବରୁ ମଧ୍ୟ ଅନେକ ଥର ମୋଦୀ ନବୀନଙ୍କ ପ୍ରସଂଶା କରିଛନ୍ତି ।

ଗତ ୨୦୨୦ରେ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ଓଡ଼ିଶାର କୋଭିଡ ପୋର୍ଟାଲରେ ବିଦେଶ ଫେରନ୍ତା ଭାବେ ପଂଜୀକରଣ କରିବାକୁ ନେଇ ମୋଦୀ ତାଙ୍କ ପ୍ରସଂଶା କରିଥିଲେ । ୨୦୧୯ରେ ଫନି ବାତ୍ୟା ସମୟରେ ଉପକୂଳ ଅଂଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରସଂଶା କରିଥିଲେ । ନବୀନ ବାବୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଏହି କାମ କରିଥିବାରୁ ସେ ପ୍ରସଂଶା କରିଥିଲେ ।

ରାଜ୍ୟରେ ବିଜେପି ଓ ବିଜେଡ଼ି ମଧ୍ୟରେ ଆନୁଷ୍ଠାନିକଭାବେ କୌଣସି ମେଣ୍ଟ ନଥିଲେ ବି ସଂସଦରେ ବିଜେଡ଼ି ଅଧିକାଂଶ ସମୟରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଆସୁଛି ।

 

 

ସମ୍ବନ୍ଧିତ ଖବର