ନୂଆବର୍ଷରେ ‘ମହଙ୍ଗା ମାଡ଼’ ଉପହାର ଦେଇଛନ୍ତି ମୋଦୀ: କଂଗ୍ରେସ

ଭୁବନେଶ୍ବର: ୨୦୨୨ ନବବର୍ଷର ପୂର୍ବଦିନରେ ‌କେନ୍ଦ୍ର ମୋଦୀ ସରକାର ଦେଶବାସୀଙ୍କୁ ମହଙ୍ଗାମାଡ଼ ଉପହାର ଦେଇଛନ୍ତି। ଏହାସହ ୧୦ ପ୍ରତିଶତ ବେକାରୀ ବୃଦ୍ଧି ମଧ୍ୟ ଭେଟି ଦେଇଛନ୍ତି। ନୂଆବର୍ଷରୁ ବିଭିନ୍ନ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି। କ’ଣ ଦରଦାମ ବୃଦ୍ଧି କରିବା ପାଇଁ ଦେଶବାସୀ ମୋଦୀଙ୍କୁ ଭୋଟ୍‌ ଦେଇଥିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିହାର ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଅନିଲ ଶର୍ମା କହିଛନ୍ତି, ମୋଦୀ ସରକାର କେନ୍ଦ୍ରକୁ ଆସିବା ପରଠାରୁ କ୍ରମାଗତ ଭାବେ ମହଙ୍ଗା ବଢ଼ି ଚାଲିଛି। ପେଟ୍ରୋଲ, ଡିଜେଲ ଦର ଶହେ ପାର୍ କରିଥିବା ବେଳେ ରନ୍ଧନ ଗ୍ୟାସ ହଜାରକୁ ଛୁଇଁଛି। ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ଆକାଶଛୁଆଁ।

ଲୋକମାନେ ଶାନ୍ତିରେ ଚା’ କପ୍ ପିଇପାରୁ ନାହାନ୍ତି। ଗତବର୍ଷ ନଭେମ୍ବରରେ ଦେଶର ପାଇକରୀ ଦଳ ସୂଚାକଙ୍କ ବିଗତ ୧୦ବର୍ଷରେ ସର୍ବାଧିକ ରହିଥିଲା। କପଡ଼ାଠାରୁ ଆରମ୍ଭ କରି ଜୋତା-ଚପଲ, ଏଟିଏମ୍‌ରୁ ଟଙ୍କା ବାହାର କରିବା, ଟୋଲ ଟିକସ ଓ ପ୍ରତ୍ୟେକ ଦ୍ରବ୍ୟର ଦର ଚଳିତବର୍ଷ ଆରମ୍ଭରୁ ବଢ଼ିବାକୁ ଯାଉଛି। ଜିଏସ୍‌ଟି ବଢ଼ିବା ଦ୍ବାରା କପଡ଼ା ଶିଳ୍ପର ୧୫ଲକ୍ଷ ଚାକିରି ଶେଷ ହୋଇଯିବ। ହଜାର ଟଙ୍କା ଭିତରେ ଜୋତା-ଚପଲର ଉପରେ ଜିଏସ୍‌ଟି ୫ ପ୍ରତିଶତରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଫଳରେ ଗରିବ ଓ ସାଧାରଣ ଲୋକଙ୍କ ଉପରେ ଏହା ପ୍ରହାର ସଦୃଶ୍ୟ।

ସେହିପରି ଏଟିଏମ୍‌ରୁ ଟଙ୍କା ବାହାର କରିବାକୁ ହେଲେ ଅଧିକ ଟିକସ ଦେବାକୁ ହେବ। ଆରବିଆଇ ବ୍ୟାଙ୍କ ଦ୍ବାରା ନିଃଶୁଳ୍କ ଉଠାଣର ନିର୍ଧାରିତ ସୀମା ସରିବା ପରେ ଏଟିଏମ୍‌ରୁ ଟଙ୍କା ଉଠାଣ ଉପରେ ଅଧିକ ଶୁଳ୍କ ନେବାକୁ ଅନୁମତି ଦେଇଛି। ସେହିପରି ଅନଲାଇନ ଟ୍ୟାକ୍ସି/ଅଟୋରିକ୍ସା ବୁକିଂରେ ଏବେ ପକେଟ ଖର୍ଚ ବଢ଼ିବ। କାର୍ ଓ ଅଟୋମୋବାଇଲ କିଣିବା ମହଙ୍ଗା ହେବାକୁ ଯାଉଛି। ୫୦କେଜି ସିମେଣ୍ଟ ବ୍ୟାଗର ଦାମ ୪ଶହ ଟଙ୍କା ପାର ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଜନତାଙ୍କ ଲୁଣ ଖାଇ କ୍ଷମତା‌ର ଶପଥ ନେଇଥିଲେ ଲୁଣ ଦରକୁ ମଧ୍ୟ ବଢ଼ାଇଦେଲେ। ଲୁଣ କେଜି ଦର ୧୨ଟଙ୍କାରୁ ବୃଦ୍ଧି ପାଇ ଏବେ ୨୨ରେ ପହଞ୍ଚିଛି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଦରଦାମ ନିୟନ୍ତ୍ରଣ କରନ୍ତୁ।

କେନ୍ଦ୍ରର ବିଜେପି ସରକାରକୁ ମଜଭୁତ କରିବାରେ ଅନେକ ସୁବିଧାବାଦୀ ଦଳଙ୍କ ମଧ୍ୟ ହାତ ରହିଛି। ବିଜେଡି, ଜେଡିୟୁ, ଟିଏମ୍‌ସି ଭଳି ଦଳ ବିଜେପିକୁ ମଜଭୁତ କରିଛନ୍ତି। ଓଡ଼ିଶାର ଉଦାହରଣ ଦେଇ ଶ୍ରୀ ଶର୍ମା କହିଛନ୍ତି ଯେ ବିଜେଡି ୨୫ବର୍ଷ ଶାସନରେ ରହିବା ପରେ ମଧ୍ୟ ରାଜ୍ୟର ୪୦ ପ୍ରତିଶତ ଲୋକ ଗିରବ ରହିଛନ୍ତି। ଓଡ଼ିଶାରେ ଗଣତନ୍ତ୍ର ନୁହେଁ, ଅମଲାତନ୍ତ୍ରର ଶାସନ ଚାଲିଛି। ଚାରିଆଡ଼େ ଦୁର୍ନୀତି ଭରି ଗଲାଣି। ବିଭିନ୍ନ ମାମଲାରେ ବିଜେଡି ନେତାମନ୍ତ୍ରୀଙ୍କ ନାଁ ଉଠୁଛି। ରାଜ୍ୟ ନେତୃତ୍ବ ଉପରେ ଲୋକଙ୍କ ଆକ୍ରୋଶ ରହିଛି। ତେଣୁ ଆସନ୍ତା ୨୦୨୪ ନିର୍ବାଚନରେ ଉଭୟ ମୋଦୀ ଓ ନବୀନ ଶାସନ ଗାଦି ଛାଡ଼ିବେ ବୋଲି ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ଗଣେଶ୍ବର ବେହେରା, ଆବାହକ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ରଜନୀ ମହାନ୍ତି, ପଦ୍ମାକର ଗୁରୁ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର