କରୋନା ଦୁର୍ଦ୍ଦଶା ପାଇଁ ମୋଦୀ-ଶାହା ଦାୟୀ: କଂଗ୍ରେସ

ଭୁବନେଶ୍ବର : ଦେଶରେ କରୋନା ସ୍ଥିତି ଭୟଙ୍କର ହେଲାଣି। ଦିନକୁ ସଂକ୍ରମଣ ୩ ଲକ୍ଷ ଟପିଲାଣି। ମୃତ୍ୟୁ ସଂଖ୍ୟା ୨ ହଜାର ୫୦୦ ପହଞ୍ଚିଲାଣି। ଓଡ଼ିଶାର ସ୍ଥିତି ମଧ୍ୟ ସଙ୍ଗୀନ। ପୂର୍ବଥର ଅପେକ୍ଷା ସଂକ୍ରମଣ ଖୁବ୍‌ ଅଧିକ। ଅମ୍ଲଜାନ ଅଭାବରୁ ଦେଶରେ ଶତାଧିକ ରୋଗୀ ପ୍ରାଣ ହରାଉଛନ୍ତି। ଏଭଳି ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଦାୟୀ। ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ।

ଶ୍ରୀ କାନୁନଗୋ କହିଛନ୍ତି, ଅର୍ଥନୀତି ଗତବର୍ଷ ଅପେକ୍ଷା ଆହୁରି ଖରାପ ଅବସ୍ଥାକୁ ଯିବ। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ କୋଭିସିଲଡ୍‌ ଟିକାର ମୂଲ୍ୟ କେନ୍ଦ୍ର ସରକାରଙ୍କ ପାଇଁ ୧୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଧ‌ାର୍ଯ୍ୟ କରିଛି। ଏଭଳି ତାରତମ୍ୟ କାହିଁକି? ଦେଶରେ ୩ ଜଣ ବିଶିଷ୍ଟ ଚିକିତ୍ସକ ଏମ୍‌ସ୍‌ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ନରେଶ ତ୍ରେହାନ୍‌ ଖୋଲାଖୋଲି ଭାବେ କହିଛନ୍ତି ଯେ ବ୍ୟବହୃତ ରେମ୍‌ଡେସିଭର୍‌ ଆଦୌ ରାମବାଣ ନୁହେଁ। ବରଂ ମାସ୍କ୍‌ ଓ ସାମାଜିକ ଦୂରତା ହିଁ ସଂକ୍ରମଣରୁ ରକ୍ଷା କରିପାରିବ। ମୋଦୀ-ଶାହା ଏହା ଉପରେ ଗୁରୁତ୍ବ ଦେଇ ଅନ୍ତତଃପକ୍ଷେ ବିଜେପି ଦଳର ନେତା ଓ ନେତ୍ରୀମାନଙ୍କୁ ମୁହଁରେ ମାସ୍କ୍‌ ପିନ୍ଧିବାକୁ ନିର୍ଦ୍ଦେଶ ଦିଅନ୍ତୁ। ରାଜ୍ୟର ବିଜେପି ନେତୃତ୍ବଙ୍କୁ ଆହ୍ବାନ କରି ୧୦ଟି ପ୍ରଶ୍ନ ଦିଲ୍ଲୀର ବିଜେପି ମୁଖିଆମାନଙ୍କ ପାଖରେ ପହଞ୍ଚାଇବାକୁ ଶ୍ରୀ କାନୁନଗୋ ଅନୁରୋଧ କରିଛନ୍ତି। ପ୍ରଥମଟି ହେଲା ଚଳିତ ବର୍ଷ କରୋନା ଆତଙ୍କ କେବଳ ମହାରାଷ୍ଟ୍ରରେ ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହା ସାରା ଦେଶକୁ ମାଡ଼ିଗଲା। କୁମ୍ଭମେଳା, ଗଙ୍ଗାସ୍ନାନ ଓ ନିର୍ବାଚନରେ ବିଜେପି ଦଳର ନେତାମାନଙ୍କର ଖୋଲାମେଲା ପ୍ରଚାର ଏପରି ସଂକ୍ରମଣ ବ୍ୟାପିବାର କାରଣ ଅସତ୍ୟ କି? କୁମ୍ଭମେଳାକୁ ଅନୁମତି ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ଓ ଉତ୍ତରାଖଣ୍ଡ ସରକାର ଦାୟୀ ନା ନାହିଁ? ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାକୁ ସରକାର ସାର୍ବଜନୀନ କରନ୍ତୁ। ଦେଶରେ ଅକ୍ସିଜେନ୍‌ ଅଭାବ ଦୂର କରିବା ଦାୟିତ୍ବ କେନ୍ଦ୍ର ସରକାରଙ୍କର। ଦେଶରେ ଅକ୍ସିଜେନ୍‌ର ଆବଶ୍ୟକତା ଥିବାବେଳେ ବିଦେଶକୁ ୯ ହଜାର ୨୯୪ ମେଟ୍ରିକ୍‌ ଟନ୍‌ ରପ୍ତାନି କାହିଁକି କରାଗଲା?

ବିଭିନ୍ନ ରାଜ୍ୟ ଉଠାଉଥିବା ଟିକାର ଅଭାବ ସତ ନା ମିଛ? ରାଜ୍ୟର ଡାକ୍ତରଖାନାମାନଙ୍କରେ ଟିକାର ଅଭାବ ପୂରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ। ଓଡ଼ିଶା ପାଇଁ ଟିକା ଯୋଗାଣ ବ୍ୟବସ୍ଥାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁନିଶ୍ଚିତ କରିବେ କି? ବିଦେଶରୁ ୫୦ ହଜାର ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଆମଦାନୀ ପ୍ରତିଶ୍ରୁତି କୁଆଡ଼େ ଗଲା? ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ମନୋରଞ୍ଜନ ଦାଶ ଓ ପ୍ରଶାନ୍ତ ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର