ସୋନପୁରରେ ବିଜେପିର ସଂକଳ୍ପ ସମାବେଶ : ମୋଦୀଙ୍କ ଟାର୍ଗେଟରେ ବିଜେଡି, କଂଗ୍ରେସ

ସୋନପୁର : କଂଗ୍ରେସ ହଟିଲେ ଗରିବି ହଟିବ, ଓଡ଼ିଶାର ବିଜେଡି ସରକାର ହଟିଲେ ହିଁ ପ୍ରକୃତ ବିକାଶ ହେବ। ଆଜି ସୋନପୁରରେ ଅନୁଷ୍ଠିତ ବିଜେପିର ସଂକଳ୍ପ ସମାବେଶରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଭାବେ ‌କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି। ଏହା ସହିତ ବିକାଶ ପାଇଁ ଡବଲ୍‌ ଇଂଜିନ୍‌ର ଆବଶ୍ୟକତା ରହିଛି ବୋଲି ଏଠି ମଧ୍ୟ ଦୋହରାଇଛନ୍ତି।

ସମାବେଶରେ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ମା’ ସୁରେଶ୍ବରୀ, ପାଟଣେଶ୍ବରୀ, ଅଷ୍ଟଚଣ୍ଡୀ, ଅଷ୍ଟବିଷ୍ଣୁ, ଅଷ୍ଟଶମ୍ଭୁ ପୀଠରେ ଯୋଗ ଦେଇଥିବାରୁ ସେ ନିଜକୁ କୃତଜ୍ଞ ମନେ କରୁଛନ୍ତି ବୋଲି କହିବା ସହିତ ସୁବର୍ଣ୍ଣପୁରବାସୀଙ୍କୁ ଜୁହାର କରିଥିଲେ। ସୁବର୍ଣ୍ଣପୁର ଏବଂ ବାରଣାସୀ ମଧ୍ୟରେ ସାମଞ୍ଜସ୍ୟ ରହିଥିବା ତଥା ବନାରସୀ ପାଟ ଏବଂ ସମ୍ବଲପୁରୀ ଶାଢ଼ି ବିଶ୍ବ ଦରବାରରେ ପ୍ରସିଦ୍ଧି ଲାଭ କରିଥିବା କହିଥିଲେ। ମୋଦୀ କହିଥିଲେ ଯେ, ଏହି ଚା’ବାଲାକୁ ଦେଶର ଚୌକିଦାର ବନେଇବା ପଛରେ ଦେଶର ସମସ୍ତ ନାଗରିକଙ୍କ ଆଶୀର୍ବାଦ ଅଛି। କେନ୍ଦ୍ର ସରକାର ୫ ବର୍ଷ ମଧ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରାକରଙ୍କ ପକ୍ଷରୁ ଓଡ଼ିଶାର ୮ ଲକ୍ଷ ପରିବାରକୁ ଘର ଦିଆଯାଇଛି। ୨୪ ଲକ୍ଷ ପରିବାରକୁ ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯାଇଛି। ୪୦ ଲକ୍ଷ ଗରିବ ମହିଳାଙ୍କୁ ଉଜ୍ଜ୍ବଳା ଯୋଜନାରେ ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇଛି। ୧ କୋଟି ୪୦ ଲକ୍ଷ ଗରିବ ଲୋକଙ୍କ ବ୍ୟାଙ୍କରେ ଖାତା ଖୋଲାଯାଇଛି। ୫୦ ଲକ୍ଷ ପରିବାରର ‌ଶୌଚାଳୟ ନିର୍ମାଣ କରାଯାଇଛି। ୮ ଲକ୍ଷ ପରିବାରର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପୂର୍ଣ୍ଣ ହୋଇଛି ବୋଲି କହିଥିଲେ।

ଓଡ଼ିଶାରେ ଖଣିଜ ସମ୍ପଦ ଭରପୂର ଥିଲେ ମଧ୍ୟ ଓଡ଼ିଶା ପଛୁଆ କାହିଁକି ବୋଲି ମୋଦୀ ପ୍ରଶ୍ନ କରିବା ସହିତ ଓଡ଼ିଶା ସରକାରକୁ ସମାଲୋଚନା କରିଥିଲେ। କହିଥିଲେ, ରାଜ୍ୟ ସରକା‌ର ଓଡ଼ିଶାର ବିକାଶ ଚାହୁଁ ନାହାନ୍ତି। କ‌ଂଗ୍ରେସ କେବଳ ଗରିବଙ୍କ ଭୋଟବ୍ୟାଙ୍କ ସୃଷ୍ଟି ପାଇଁ ଗରିବି ହଟାଓର ମିଥ୍ୟା ନାରା ଦେଉଛି। ରାଜ୍ୟରେ ପାନୀୟ ଜଳ ସମସ୍ୟା, ଧାନର ଅଭାବୀ ବିକ୍ରି ଓ ବେକାରୀ ପ୍ରଭୃତି ସମସ୍ୟା ଲାଗି ରହିଛି ବୋଲି ଦର୍ଶାଇ ମୋଦୀ ଓଡ଼ିଶାରେ ମଧ୍ୟ ସରକାର ବଦଳି ଏଠାରେ ମଧ୍ୟ ମଜଭୁତ ସରକାର ଆବଶ୍ୟକ ବୋଲି କହିଥିଲେ।

ଏହି ଜନସଭାରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ବିଧାୟକ ଦଳ ନେତା ତଥା ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସଙ୍ଗୀତା ସିଂହଦେଓ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗ, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଘ, ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଅଶୋକ ଦୋରା, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ଅନନ୍ତ ଦାଶ, ସୋନପୁର ବିଧାୟକ ପ୍ରାର୍ଥୀ ଅଶୋକ ପୂଜାରୀ, ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲା, ବୌଦ୍ଧ ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନ, କଣ୍ଟାମାଳ ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର