ଭୁବନେଶ୍ବର: ଆସନ୍ତା ୨୯ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେବ ତିନିଦିନିଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସମ୍ମିଳନୀ। ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜିମାନେ ଯୋଗଦେବେ। ଏହାକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀର ଦ୍ବିତୀୟ ଦିନରେ ସମସ୍ତ ପୁଲିସ ଡିଜିଙ୍କ ସହ ଦେଶର ଅନ୍ତରୀଣ ସୁରକ୍ଷା ଓ ଜାତୀୟ ସୁରକ୍ଷା ନେଇ ଆଲୋଚନା କରିବା ସହ ଉଦ୍ଯାପନୀ ଉତ୍ସବରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ୨୯ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ୨୯ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ। ରାଜଭବନରେ ରାତ୍ରିଯାପନ କରିବେ। ନଭେମ୍ବର ୩୦ ଏବଂ ଡିସେମ୍ବର ୧ରେ ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ଯୋଗଦେବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଦେଶର ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟମାନେ ଏଥିରେ ଯୋଗଦେବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଆସନ୍ତା ତିନିମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଥର ଓଡ଼ିଶା ଗସ୍ତରେ ଆସିବେ। ଡିସେମ୍ବର ୪ରୁ ପୁରୀରେ ଆରମ୍ଭ ହେବାକୁ ଥିବା ନୌସେନା ଦିବସ, ଜାନୁଆରି ୮ରୁ ଆରମ୍ଭ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ତାଙ୍କର ଓଡ଼ିଶା ଗସ୍ତ ସମୟରେ ଦଳର ଶୀର୍ଷ ନେତୃତ୍ବଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/10/Y3RDwdN07xhYhN4KzdWD.jpg)