ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ୧ବର୍ଷ ପୂର୍ତ୍ତି ଏବଂ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ ୧୧ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ବିଶାଳ ଜନସମାବେଶ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଯୋଗଦେଇ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରୋଡ୍ ମ୍ୟାପ୍ ଘୋଷଣା କରିବେ। ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଏଥିରେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବହୁ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଓଡ଼ିଶା ଆୟୋଜନ କରିପାରୁଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ନିର୍ଭର ପ୍ରତିଶ୍ରୁତି ଯୋଗୁ ଆଜି ବଡ଼ ଶିଳ୍ପଦ୍ୟୋଗୀମାନେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗଭର ହୋଇଛନ୍ତି। ଓଡ଼ିଶାର ବିକାଶ ପାଇଁ ମୋଦୀ ସଂକଳ୍ପବଦ୍ଧ। ‘ମୋଦୀଙ୍କ ଗ୍ୟାରେଣ୍ଟି ଓଡ଼ିଶାର ଉନ୍ନତି’ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
୨୦ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
୧୦୦ ଇଭି ବସ୍ ଲୋକାର୍ପଣ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏକ ରୋଡ୍ ସୋ’ରେ ବିମାନବନ୍ଦରରୁ ଜନତା ମଇଦାନ ଯିବେ। ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ଓଡ଼ିଶା ଭିଜନ-୨୦୩୬ ଓ ୨୦୪୭’ ପୁସ୍ତିକାକୁ ଉନ୍ମୋଚନ କରିବେ। ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ଏବଂ ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବେ।
ମିଳିଥିବା ସୂଚନା ଅନୁଯାୟୀ, କ୍ରୁଟ୍ ପକ୍ଷରୁ ୫୦କୋଟି ବ୍ୟୟରେ କଟକର ନରାଜ ଠାରେ ନିର୍ମାଣ ହୋଇଥିବା ଇଭି ବସ୍ ଡିପୋକୁ ପ୍ରଧାନମନ୍ତ୍ରୀ ଭିସି ମାଧ୍ୟମରେ ଉଦ୍ଘାଟନ କରିବେ। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ କିଣାଯାଇଥିବା ୧୦୦ଟି ଇଭି ବସ୍କୁ ଲୋକାର୍ପଣ କରିବେ। ଏହି ଇଭି ବସ୍ ଭୁବନେଶ୍ବର-କଟକ- ପୁରୀ ମଧ୍ୟରେ ଯାତାୟତ କରିବ। ଏବେ ଏହି ତିନି ସହରରେ ମୋଟ୍ ୧୬୦ଟି ଇଭି ବସ୍ ଚଳାଚଳ କରୁଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସଜ୍ଜନ ଶର୍ମା, ସୁଦୀପ୍ତ ରାୟ, ଅନିଲ ବିଶ୍ୱାଳ, ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।