ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରଙ୍କୁ ଜୁନ୍ ୧୨ରେ ଏକ ବର୍ଷ ପୂରଣ ହେଉଥିଲେ ହେଁ ଜୁନ୍ ୨୦ତାରିଖରେ ବଡ଼ ସମାବେଶ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ହେବାକୁ ଥିବା ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ଜୁନ୍ ୨୦କୁ ଘୁଞ୍ଚାଇ ଦିଆଯାଇଛି। ଏହା କେଉଁ ସ୍ଥାନରେ ହେବ ତାହା ସ୍ଥିର ହୋଇନି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
୧୨ରୁ ୧୯ ପର୍ଯ୍ୟନ୍ତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ଏହା ପୂର୍ବରୁ ବଣ୍ଟା ହେବ ସରକାରଙ୍କ ରିପୋର୍ଟ କାର୍ଡ
ଆଜି ମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆମେ ସରକାରର ବର୍ଷ ପୂର୍ତ୍ତିକୁ ଉତ୍ସବ ନୁହେଁ, ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳନ କରିବୁ। ଆମ ସରକାର ବର୍ଷକରେ କ’ଣ କରିଛି ତା’ର ରିପୋର୍ଟ କାର୍ଡ ପ୍ରସ୍ତୁତ ହେଉଛି। ଏହି ରିପୋର୍ଟ କାର୍ଡକୁ ରାଜ୍ୟର ୧କୋଟି ପରିବାର ନିକଟରେ ପହଞ୍ଚାଯିବ। ଏଥିପାଇଁ ଜୁନ୍ ୧୨ରୁ ୧୯ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଚାଲିବ। ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ। ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ପ୍ରତି ଘରେ ସରକାରଙ୍କ ରିପୋର୍ଟ କାର୍ଡ ପହଞ୍ଚିବ। ଏହାସହ ସରକାରଙ୍କ ଭିଜନ୍ ଡକୁମେଣ୍ଟକୁ ଲୋକାର୍ପଣ କରାଯିବ। କେଉଁ କାର୍ଯ୍ୟକ୍ରମ କିପରି ହେବ ସେନେଇ ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ସୂଚନା ଦେବେ।
ଏହାସହ ଶ୍ରୀ ପୂଜାରୀ କହିଛନ୍ତି େଯ ଆମେ ୨୦୨୪ ନିର୍ବାଚନ ବେଳେ ୨୧ଟି ପ୍ରତିଶ୍ରୁତି ଦେଇଥିଲୁ। ସରକାର ଆସିବା ପରେ ୧୧ଟି ପ୍ରତିଶ୍ରୁତି ପୂରଣ କରିସାରିଲୁଣି। ଆସନ୍ତା ବର୍ଷକ ମଧ୍ୟରେ ବାକି ୧୦ଟି ପ୍ରତିଶ୍ରୁତି ପୂରଣ କରିବୁ। ସେହିପରି କେନ୍ଦ୍ରରେ ମୋଦୀ ସରକାରଙ୍କ ୧୧ ବର୍ଷ, ରାଜ୍ୟରେ ମୋହନ ସରକାରର ୧ବର୍ଷ ପୂର୍ତ୍ତି ପାଳନ ପାଇଁ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହେବ। ଜୁନ୍ ୯ରୁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ନେଇ ବୁଥ୍, ମଣ୍ଡଳ, ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟି ଗଠନ ହୋଇଛି।