ବିଫଳ ହୋଇଛି ମୋଦୀଙ୍କ ବିମୁଦ୍ରୀକରଣ: କଂଗ୍ରେସ

ନଗଦ ଅର୍ଥ କାରବାର କମିବା ପରିବର୍ତ୍ତେ ଦୁଇଗଣା ବଢ଼ିଛି

ଭୁବନେଶ୍ବର: ବିମୁଦ୍ରୀକରଣକୁ ଆଜି ୬ବର୍ଷ ପୂରିଛି। ମୋଦୀ ସରକାରଙ୍କ ଏହି ଭୁଲ୍ ନିଷ୍ପତ୍ତି ପାଇଁ ଦେଶର ୬୯ ପ୍ରତିଶତ ପରିବାର(୧୫ହଜାର ଟଙ୍କା ଆୟ କରୁଥିବା) ଘୋର ଆର୍ଥିକ ଅନିଶ୍ଚିତତା ଦେଇ ଗତି କରୁଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଭୁଲ୍‌ ସ୍ବୀକାର କରିବା ସହିତ ଦୁଃଖ ପ୍ରକାଶ କରନ୍ତୁ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଲେ, ୨୦୧୬ ନଭେମ୍ବର ମାସ ୮ ତାରିଖ ରାତି ୮ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିମୁଦ୍ରୀକରଣ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବିମୁଦ୍ରୀକରଣ ସମ୍ବନ୍ଧରେ ଉଦ୍‌ବୋଧନ ଦେବା ସମୟରେ ଏହାଦ୍ବାରା କଳା ଟଙ୍କାର ମୂଳୋତ୍ପାଟନ କଥା ବାରମ୍ବାର କହିଥିଲେ। ଦେଶରେ କଳାଧନ କାରବାରକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା, ଜାଲ ନୋଟ କାରବାରକୁ ବନ୍ଦ କରିବା, ଆତଙ୍କବାଦ କାର୍ଯ୍ୟକଳାପ ଓ ମାଓବାଦୀ କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା। କଳାଧନର କାରବାର ଯୋଗୁଁ ଚାଲିଥିବା ସମାନ୍ତରାଳ ଅର୍ଥନୀତିକୁ ବନ୍ଦ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ବିମୁଦ୍ରୀକରଣ ସମୟରେ ଦେଶରେ ସମୁଦାୟ ଚଳନ୍ତି ମୁଦ୍ରାର ପରିମାଣ ୧୭.୭୨ ଲକ୍ଷ କୋଟି ଟଙ୍କା ଥିଲା। ବିମୁଦ୍ରୀକରଣ ନିଷ୍ପତି ଯୋଗୁ ଦେଶର ସବୁବର୍ଗର ଜନସାଧାରଣଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନେକ ଏହି ଦାରୁଣ ପରିସ୍ଥିତିରେ ପ୍ରାଣ ମଧ୍ୟ ହରାଇଥିଲେ।

ବିମୁଦ୍ରୀକରଣ ଯୋଗୁଁ ଦେଶର ଶ୍ରମିକ, କୃଷକ, ଛୋଟ ବ୍ୟବସାୟୀ, ସ୍ୱଳ୍ପ ଆୟକାରୀ ବର୍ଗ ଅତ୍ୟନ୍ତ ପରିମାଣରେ ପ୍ରଭାବିତ ହୋଇଥିଲେ। ତାଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା। ବିମୁଦ୍ରୀକରଣ ଯୋଗୁଁ ଦେଶର ଅର୍ଥନୀତିର ଅଭିବୃଦ୍ଧି ହାର ବହୁ ପରିମାଣରେ ହ୍ରାସ ପାଇଲା ଓ ଏବେ ହ୍ରାସ ପାଉଛି ମଧ୍ୟ। ବିମୁଦ୍ରୀକରଣର କିଛି ସମୟ ମଧ୍ୟରେ ସମୁଦାୟ ଚଳନ୍ତି ମୁଦ୍ରାର ୯୯.୭ ପ୍ରତିଶତ ମୁଦ୍ରା ବ୍ୟାଙ୍କକୁ ଫେରିଆସିଥିଲା। ଫଳରେ ଯେଉଁ କଳା ଟଙ୍କାର ମୂଳୋତ୍ପାଟନ କଥା କୁହାଯାଇଥିଲା ତାହା ସଂପୂର୍ଣ୍ଣ ମିଛ ବୋଲି ପ୍ରମାଣିତ ହୋଇଛି। ବିମୁଦ୍ରୀକରଣର ୬ ବର୍ଷ ପରେ ଚଳନ୍ତି ମୁଦ୍ରାର ପରିମାଣ ଅକ୍ଟୋବର ୩୧, ୨୦୨୨ ସୁଦ୍ଧା ୩୦ଲକ୍ଷ ୮୮ ହଜାର ଟଙ୍କା ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ତେଣୁ କାହା ସ୍ୱାର୍ଥରେ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ଏକ ଐତିହାସିକ ଭୁଲ୍ ନିଷ୍ପତି ନେଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ସାମ୍ବଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି, ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ ଓ ଅଶୋକ କୁମାର ସ୍ୱାଇଁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର