ଦ୍ବିତୀୟ ବ୍ରାହ୍ମଣୀ ସେତୁ ସହରବାସୀଙ୍କୁ ମୋଦୀଙ୍କ ଉପହାର: ଧର୍ମେନ୍ଦ୍ର

ରାଉରାକେଲା: ‘‘ମୋଦି ସରକାର ଯାହା ଦାୟିତ୍ବ ନିଅନ୍ତି, ତାକୁ ନିର୍ଦ୍ଦିଷ୍ଟ ସମୟରେ କରି ଦେଖାନ୍ତି। ଓଡ଼ିଶାର ଶିଳ୍ପନଗରୀ ରାଉରକେଲା ସହ ବିଭିନ୍ନ ଅଞ୍ଚଳକୁ ଯୋଡିବାକୁ ଯେଉଁ ଅପେକ୍ଷା ଥିଲା, ତାହା ପୂରଣ ହୋଇଛି। ଗତ ପ୍ରାୟ ୪ ବର୍ଷ ତଳେ ଆରମ୍ଭ  ହୋଇଥିବା ବ୍ରାହ୍ମଣୀ ଦ୍ବିତୀୟ ସେତୁ  ଓ ଚାରି ଲେନ୍‌ ରାସ୍ତା ନିର୍ମାଣ ସରିଛି। ଲୋକଙ୍କ ପାଇଁ ଅନ‌ୌପଚାରିକ ଭାବେ ଉତ୍ସର୍ଗୀକୃତ କରି ଦିଆଯାଇଛି। ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ରାଉରକେଲାବାସୀଙ୍କ ପାଇଁ ଏହା ହେଉଛି ଉପହାର।’’ ଆଜି ଜିଲ୍ଲା ବିଜେପି ପକ୍ଷରୁ ରାଉରକେଲାରେ ୧୦ କି.ମି. ବ୍ୟାପୀ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ସେ  କହିଛନ୍ତି, କେବଳ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନୁହେଁ, ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ, ରାଉରକେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ,  ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଚାଲୁ କରିବା ସହ ରାଉରକେଲାର ଅର୍ଥନୈତିକ ଓ ସାମୁହିକ ବିକାଶ ପାଇଁ ଭାରତ ସରକାର ସର୍ଦସର୍ବଦା ଦାୟିତ୍ବବାନ।  ପ୍ରଧାନମନ୍ତ୍ରୀ ମୋଦି ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆହ୍ୱାନ କରିଛନ୍ତି । ଏହି ଅଭିଯାନକୁ ଐତିହାସିକ ଜନଆନ୍ଦୋଳନର ରୂପ ଦେବା ପାଇଁ ଲୋକମାନେ ଘରେ ଘରେ ତ୍ରିରଙ୍ଗା ଉତ୍ତୋଳନ କରୁଛନ୍ତି । ଏହା ପୂର୍ବରୁ ରାଉରକେଲା ଷ୍ଟେସନରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଚକ୍ରଧରପୁର ଡିଭିଜନ ପକ୍ଷରୁ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇଥିଲେ। ଫଟୋ ପ୍ରଦର୍ଶନୀକୁ ସେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପରେ ‌ଅନ୍ୟ ଅତିଥିମାନଙ୍କ ସହ ପ୍ରଦର୍ଶିତ ଫଟୋ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ଆୟୋଜିତ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ସାରା ଦେଶ ‘ଆଜାଦ କା ଅମୃ୍ତ ମହୋତ୍ସବ’ ପାଳନ କରୁଛି।

ଆମେ ଦେଶ ସ୍ବାଧୀନତାର ୭୫ ବର୍ଷର ସ୍ମୃତିକୁ ମନେ ପକାଉଛୁ। ଯେଉଁମାନଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନ ପାଇଁ ଆମେ  ଦେଶ ସ୍ବାଧୀନ ହୋଇଛି, ସେମାନଙ୍କୁ ସ୍ମରଣ କରୁଛୁ। ଆସନ୍ତାକାଲି (୧୪ ତାରିଖ)କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିବୁ। ଏହି ପ୍ରଦର୍ଶନୀ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀ ମାନଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବ।  ଆଗାମୀ ୨୫ ବର୍ଷ ସଂକଳ୍ପନାକୁ ଆମେ ସମସ୍ତେ ନେଇକରି ଯିବା ବୋଲି ସେ କହିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଫଟୋ ସହ ତ୍ରିରଙ୍ଗା ପ୍ରଦାନ କରିଥିଲେ। ସମ୍ବର୍ଦ୍ଧିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ଅନ୍ତର୍ଜାତୀୟ ହକି ଖେଳାଳୀ ଲାଜରୁ୍ସ୍‌ ବାର୍ଲା, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଜେ.କେ.ରାଓ, ସମାଜସେବୀ ହେମା ଏକ୍କା,  ଅର୍ଜୁନ ଚରଣ ସାହୁ, ସହିଦଙ୍କ ଭଉଣୀ ବୀନିତ ସଏ। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଚକ୍ରଧରପୁର ଡିଆରଏମ୍‌  ବିଜୟ ସାହୁଙ୍କ ସମେତ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅପରାହ୍ନ ସାଢ଼େ ୧୨ଟାରେ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ  ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ରାଉରକେଲା ବିର୍ସା ମୁଣ୍ଡା ଛକରୁ ବାହାରିଥିଲା। ଶୋଭାଯାତ୍ରାରେ ପାଖାପାଖି ୩ ହଜାରରୁ ଅଧିକ ମୋଟରବାଇକ୍‌ ସାମିଲ ହୋଇଥିଲେ। ବିର୍ସା ମୁଣ୍ଡା ଛକରୁ ବାହାରିଥିବା ତ୍ରିରଙ୍ଗା ଶୋଭାଯାତ୍ରା ରାଉରକେଲା ମୁଖ୍ୟ ମାର୍ଗ ଦେଇ ଉଦିତନଗର ଆମ୍ବେଦକର ଛକରେ ପହଞ୍ଚିଥିଲା।

ସେଠାରୁ ଉଦିତନଗର ତପସ୍ବିନୀ ମାର୍କେଟ, ଏସ୍‌ଟିଆଇ, ଆଇଟିଆଇ ଦେଇ ପାନପୋଷ ଗାନ୍ଧିଛକରେ ପହଞ୍ଚିଥିଲା। ପାନପୋଷ ଗାନ୍ଧିଛକରୁ ୧୪୩ ନଂ ଜାତୀୟ ରାଜପଥ ଦେଇ ବାଲୁଘାଟ ରୁପୁଟୋଲାସ୍ଥ ଦ୍ବିତୀୟ ବ୍ରାହ୍ମଣୀ ସେତୁରେ ଶେଷ ‌ହୋଇଥିଲା। ଭାରତ ମାତା କି ଜୟ, ବନ୍ଦେ ମାତରମ୍‌ ଧ୍ବନି ସହ ଦେଶାତ୍ମକ ସଙ୍ଗୀତରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସହର। ଶୋଭାଯାତ୍ରାରେ ସାମିଲ  ହୋଇଥିବା ସମସ୍ତ ଯୁବକ, ନେତା ଓ କର୍ମୀଙ୍କ ହାତରେ ତ୍ରିରଙ୍ଗା ଭିନ୍ନ ଏକ ପରିବେଶ ସୃଷ୍ଟି କରିଥିଲା। ତ୍ରିରଙ୍ଗା ଶୋଭାଯାତ୍ରାରେ ଜିଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ରବି ନାୟକ, ଭଗବାନ ରାଉତ,ଦିଲୀପ ଦାସ, ସୁବ୍ରତ ପଟ୍ଟନାୟକ, ଶଶାଙ୍କ ଜେନା, ମମତା ଗୌତମ, ନୂତନ ଦୀପ, ପ୍ରସାଦିନୀ ମଲ୍ଲିକ, ଛାତ୍ରନେତା ଅଙ୍କୁଶ ବର୍ମା, ହରବିନ୍ଦର ସିଂ, ଆଇ ରମେଶ ରାଜା, ରାଜୁ ସିଂ, ବାବୁ ବିଶ୍ବାଳ ପ୍ରମୁଖ ତ୍ରିରଙ୍ଗା ଯାତ୍ରାର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର