ବିକାଶ ସ୍ୱପ୍ନକୁ ସାକାର କରୁଛି ମୋଦୀଙ୍କ ‘ପୂର୍ବୋଦୟ ମିସନ୍‌’ : ଧର୍ମେନ୍ଦ୍ର

ଇସ୍ପାତ କ୍ଷେତ୍ରର ପେଣ୍ଠସ୍ଥଳୀ ହେବ ଓଡ଼ିଶା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିସନ୍‌ ଓଡ଼ିଶା ଓ ପୂର୍ବ ଭାରତର ବିକାଶ ସ୍ୱପ୍ନକୁ ସାକାର କରୁଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ପୂର୍ବ ଭାରତରେ ଅପାର ସମ୍ଭାବନା ରହିଛି। ପୂର୍ବ ଭାରତ ଏବଂ ଉତ୍ତର ପୂର୍ବ ଅଞ୍ଚଳର ଅଭିବୃଦ୍ଧି ଓ ବିକାଶ ନ ହେଲେ ସମଗ୍ର ଭାରତର ସନ୍ତୁଳିତ ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ନ‌େରନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ତିନି ବର୍ଷ ପୂର୍ବେ ସ୍ୱାଧୀନତା ଦିବସରେ ଐତିହାସିକ ଲାଲକିଲ୍ଲା ଠାରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମିସନ୍ ପୂର୍ବୋଦୟ’ ନିରନ୍ତର ନୀତି ସଂସ୍କାର, ଭିତ୍ତିଭୂମି ବିକାଶ ଏବଂ ଉତ୍ତମ ସଂଯୋଗ ସ୍ଥାପନା ମାଧ୍ୟମରେ ଭାରତର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳ ଜାତୀୟ ଅର୍ଥନୀତି ଅଭିବୃଦ୍ଧିର ପ୍ରମୁଖ ନେତୃତ୍ୱ ଭାବେ ଉଭା ହେବାକୁ ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ଓଡ଼ିଶା ଓ ପୂର୍ବ ଭାରତର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାରେ ବିଗତ ୫ ବର୍ଷରେ ସିଜିଡି ନେଟୱର୍କର ସଂପ୍ରସାରଣ, ଗ୍ୟାସ୍ ପାଇପଲାଇନ, ପେଟ୍ରୋକେମିକାଲ, ବିଶୋଧନାଗାର ତଥା ପେଟ୍ରୋଲିୟମ କ୍ଷେତ୍ରରେ ୪୧ ହଜାର କୋଟିର ପୁଞ୍ଜିନିବେଶ ଏହାର ପ୍ରମାଣ । ସେହିପରି ଘରୋଇ ଇସ୍ପାତ କ୍ଷେତ୍ରର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ‘ମିସନ୍ ପୂର୍ବୋଦୟ’ରେ ଓଡ଼ିଶାକୁ ଇସ୍ପାତ କ୍ଷେତ୍ରର ପେଣ୍ଠସ୍ଥଳୀ କରିବା ପାଇଁ ପ୍ରସ୍ତାବ ରହିଛି। ଏହା ଦ୍ୱାରା ଦେଶରେ ୩୦୦ ଏମ୍‌ଟି ଇସ୍ପାତ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡିଶାରୁ ୧୦୦ ଏମ୍‌ଟି ଇସ୍ପାତ ଉତ୍ପାଦନ ହେବାର ସମ୍ଭାବନା ରହିଛି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ରାଜ୍ୟରେ ମେକ୍ ଇନ୍ ଇଣ୍ଡିଆ ଦ୍ୱାରା କଳ୍ପନା କରାଯାଇଥିବା ଷ୍ଟିଲ୍ ହବ୍ ପାଇଁ ୫ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ପୁଞ୍ଜିନିବେଶ ଏବଂ ଭୋକାଲ୍ ପାଇଁ ଲୋକାଲ୍ ଅର୍ଥନୈତିକ ସୁଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବ ଓ ସ୍ଥାନୀୟ ଅଞ୍ଚଳରେ ୨୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ। ଏହା ଓଡ଼ିଶାର ବିକାଶକୁ ଆଗେଇ ନେବା ସହ ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ। ଦୀର୍ଘ ବର୍ଷ ଧରି ପୂର୍ବ ଏବଂ ଉତ୍ତର-ପୂର୍ବ ରାଜ୍ୟ ରାଜନୈତିକ କାରଣରୁ ଅବହେଳିତ ହୋଇଥିଲା। ମାତ୍ର ଆଜି ଏହି ଅଞ୍ଚଳର ବିକାଶ ସ୍ୱପ୍ନକୁ ‘ପୂର୍ବୋଦୟ’ ପୂରଣ କରୁଛି। ନିରନ୍ତର ଉଦ୍ୟମ ବଳରେ ପୂର୍ବ ଭାରତ ଉର୍ଜାର ପ୍ରବେଶ ଦ୍ୱାର ହେବା ପାଇଁ ଉଭା ହୋଇଛି । ବନ୍ଦର ଆଧାରିତ ବିକାଶ, ପେଟ୍ରୋକେମିକାଲ ଏବଂ ଅନ୍ୟାନ୍ୟ ଡାଉନ୍‌ଷ୍ଟ୍ରିମ୍ ଶିଳ୍ପରେ ଅଧିକ ପୁଞ୍ଜିନିବେଶ ଦ୍ୱାରା ଓଡ଼ିଶା ଆଗାମୀ ଦିନରେ ସମଗ୍ର ଭାରତରେ ଇସ୍ପାତ ଶିଳ୍ପର କେନ୍ଦ୍ର ବିନ୍ଦୁ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର