ପୁରୀ: ମୁଣ୍ଡ ଉପରେ ପୁରୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ। ଚଳିତ ମାସ ୨୫ରେ ପୁରୀ ଲୋକସଭା ଆସନ ସହ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲିରେ ମତଦାନ ହେବ। ଏହା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ମହାଶକ୍ତି ପ୍ରଦର୍ଶନ ପାଇଁ ସଜବାଜ ହେଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ରେ ପୁରୀରେ ରୋଡ୍‌ ସୋ’ କରିବା ନେଇ ବିଜେପି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଥିବାବେଳେ ବିଜେଡି ମଧ୍ୟ ସେହିଦିନ କାର୍ତ୍ତିକ ପାଣ୍ଡିଆନଙ୍କୁ ଆଣି ଶକ୍ତି ପ୍ରଦର୍ଶନ କରିବ ବୋଲି ଜଣାପଡ଼ିଛି। ଏହି ଦୁଇ ପ୍ରମୁଖ ଦଳର ପ୍ରମୁଖ ନେତାଙ୍କ ପ୍ରଚାର ଗୋଟିଏ ଦିନରେ ଥିବାରୁ ଏହା ପୁରୀରେ ରାଜନୀତି ମହଲରେ ଏହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

Advertisment

ଉଭୟ ନେତାଙ୍କ ପ୍ରଚାର ନେଇ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଆସି ନାହିଁ। ତେବେ ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୨୦ରେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେବେ। ଦର୍ଶନ ସାରି ବଡ଼ଦାଣ୍ଡରେ ରୋଡ୍‌ ସୋ’ କରିବେ। କିଛି ବାଟ ଚାଲି ଚାଲି ଲୋକଙ୍କ ସହ ହାତ ମିଳାଇବେ। ସକାଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଥିବାବେଳେ ଅପରାହ୍ଣରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ପୁରୀ ଗସ୍ତରେ ଆସି ଶକ୍ତି ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି। ବିଜେଡି ଜିଲ୍ଲା ସଭାପତି ଦିବାକର ପାତ୍ରଙ୍କ ସୂଚନା ମୁତାବକ, ଶ୍ରୀ ପାଣ୍ଡିଆନ ମରିଚିକୋଟ ଛକରୁ ରୋଡ୍‌ ସୋ’ କରିବେ। ପାଣ୍ଡିଆନଙ୍କ ଏହି ରୋଡ୍‌ ସୋ’ ମରିଚିକୋଟ ଛକରୁ ମେଡିକାଲ୍‌ ଛକ, ଶ୍ରୀଗୁଣ୍ଡିଚା ମନ୍ଦିର, ନବକଳେବର ରୋଡ୍‌ ହୋଇ ଅଠରନଳାରେ ଶେଷ ହେବ। ପରେ ସତ୍ୟବାଦୀରେ ରୋଡ୍‌ ସୋ’ କାର୍ଯ୍ୟକ୍ରମ ରହିଛି। ତେବେ କାର୍ଯ୍ୟସୂଚୀର ସମୟ ସାରଣୀ ଆସିନଥିବା ଶ୍ରୀ ପାତ୍ର କହିଛନ୍ତି।