ରାଜଧାନୀରେ ମୋଦୀଙ୍କ ରୋଡ୍‌ ସୋ’; ଜନପଥ ଲୋକାରଣ୍ୟ

ଓଡ଼ିଶାରେ ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ନାହିଁ: ମୋଦୀ

ଭୁବନେଶ୍ବର: ମୋ…..ଦୀ ମୋଦୀ, ମୋଦୀଜୀ ସ୍ବାଗତମ୍‌, ଜୟ ଶ୍ରୀରାମ, ଭାରତ ମାତା କି ଜୟ, ଅବ୍‌କି ବାର୍‌ ୪୦୦ ପାର୍‌। ଏଭଳି ଧ୍ବନିରେ କମ୍ପୁଥିଲା ଜନପଥ। ଘଣ୍ଟ, ଘଣ୍ଟା, ହୁଳହୁଳି, ପାଇକ ଆଖଡ଼ା, ଓଡ଼ିଶୀ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସୃଷ୍ଟି କରିଥିଲା ଏକ ପାରମ୍ପରିକ ପରିବେଶ। ବାରିକେଡ୍‌ ପଛରେ ଲକ୍ଷ ଲକ୍ଷ ଲୋକ ଚାହି ବସିଥିଲେ। ଆସୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମାଷ୍ଟରକ୍ୟାଣ୍ଟିନ୍‌ ଦେଇ ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆଜି ରାତି ୮ଟା ୪ ୧ ମିନିଟ୍‌ରେ ପହଞ୍ଚିଥିଲେ। କାର୍‌ରୁ ଓହ୍ଲାଇ ସ୍ବତନ୍ତ୍ର ଗାଡ଼ିରେ ଚଢ଼ିବା ପୂର୍ବରୁ ହଜାର ହଜାର ମହିଳାଙ୍କ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା ଜନପଥ।

ମୋଦୀ ସ୍ବତନ୍ତ୍ର ବିମାନ ଯୋଗେ ଆସି ୮ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ସିଧା ଜନପଥସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ। କାର୍ଯ୍ୟାଳୟ ସାମ୍ନାରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଧୀନସ୍ଥ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ସହ ମିଶିଥିଲେ। ଏହାପରେ ଆରମ୍ଭ ହୋଇଥିଲା ବହୁପ୍ରତୀକ୍ଷିତ ରୋଡ୍‌ ସୋ’। ଏକ ସୁସଜ୍ଜିତ ଗାଡ଼ିରେ ମୋଦୀ ଚଢ଼ିଥିଲେ। ତାଙ୍କ ହାତରେ ଥିଲା ପଦ୍ମଫୁଲର ଏକ ଆଲୋକିତ ପ୍ରତିକୃତି। ସମବେତ ଜନତାଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ। ସେହି ଗାଡ଼ିରେ ମୋଦୀଙ୍କ ସହ ଥିଲେ ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା‌ ଷଡ଼ଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବାଣୀବିହାର ଛକ ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ କିଲୋମିଟର ରୋଡ୍‌ ସୋ’ ହୋଇଥଲା। ଜନପଥ କଡ଼ରେ ଲକ୍ଷାଧିକ ଲୋକ ଏକାଠି ହୋଇଥିଲେ। ୧୨ଟି ସ୍ଥାନରେ କରାଯାଇଥିବା ମଞ୍ଚରେ ପାରମ୍ପରିକ ନୃତ୍ୟର ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ଜାଗାରେ କୋଣାର୍କ, ଖଣ୍ଡଗିରି, ଉଦୟଗିରି ପ୍ରଭୃତି ଓଡ଼ିଶାର ଐତିହ୍ୟର
ଝଲକ୍‌ ଦେଖିବାକୁ ମିଳିଥିଲା। ଜନପଥ ସାରା ମୋଦୀଙ୍କର ବିଶାଳ କଟ୍‌ ଆଉଟ୍‌ ଲଗାଯାଇଥିଲା। କେନ୍ଦ୍ର ସରକାରଙ୍କ ସଫଳତା ବଖାଣୁଥିବା ବ୍ୟାନର୍‌ ବିଭିନ୍ନ ମଞ୍ଚରେ ପ୍ରଦର୍ଶନ କରାଯାଇଥିଲା। ପ୍ରାୟ ୯ଟା ୪୫ରେ ରୋଡ୍‌ ସୋ’ ଶେଷ ହୋଇଥିଲା।

ରୋଡ୍‌ ସୋ’ ସରିବା ପରେ କଡ଼ା ସୁରକ୍ଷା ବଳୟରେ ମୋଦୀ ରାଜଭବନ ଯାଇଥିଲେ। ସେଠାରେ ସେ ରାତ୍ରିଯାପନ କରିଛନ୍ତି। ଶନିବାର ପୂର୍ବାହ୍ନରେ କନ୍ଧମାଳ, ମଧ୍ୟାହ୍ନରେ ବଲାଙ୍ଗୀର ଓ ବରଗଡ଼ରେ ତିନିଟି ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ। ଆସନ୍ତାକାଲି ସକାଳୁ ସେ କନ୍ଧମାଳ ଅଭିମୁଖେ ବାହାରିଯିବେ। ନିର୍ବାଚନ ପ୍ରଚାର ପାଇଁ ମୋଦୀଙ୍କର ଏହା ହେଉଛି ଦ୍ବିତୀୟ ଓଡ଼ିଶା ଗସ୍ତ। ଆଜି ଭୁବନେଶ୍ବରରେ ମୋଦୀଙ୍କ ରୋଡ୍‌ ସୋ’ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅପରାହ୍ନ ୨ଟାରୁ ମାଷ୍ଟର୍‌ କ୍ୟାଣ୍ଟିନ୍‌ରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଥିଲା। ରାସ୍ତାର ଦୁଇ ପଟେ ବ୍ୟାରିକେଡ୍‌ କରାଯାଇଥିଲା। ମୋଦୀଙ୍କ କାର୍ଯ୍ୟକ୍ରମରେ ଯେମିତି କୌଣସି ବିଶୃଙ୍ଖଳା ନହୁଏ, ସେଥିପାଇଁ କମିସନ‌ରେଟ୍‌ ପୁଲିସ୍‌ ସମସ୍ତ ପ୍ରସ୍ତୁତି କରିଥିଲା।

ଭାରତ ମାତା କି ଜୟ, ଅବ୍‌କି ବାର୍‌ ୪୦୦ ପାର୍‌ ଧ୍ବନିରେ କମ୍ପିଲା
ଆଜି କନ୍ଧମାଳ, ବଲାଙ୍ଗୀର, ବରଗଡ଼ରେ ସମାବେଶ

ପୁଣି ଓଡ଼ିଆ ଅସ୍ମିତା ଓ ସଂସ୍କୃତି କଥା ଉଠାଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସିଧାସଳଖ ହମ୍‌ଲା କରି କହିଛନ୍ତି, ଓଡ଼ିଆ ଅସ୍ମିତା ଓ ସଂସ୍କୃତି ଏଠାରେ ବିପଦରେ ପଡ଼ିଛି। ସରକାର ଓ ଲୋକଙ୍କ ଭିତରେ ସମ୍ପର୍କ କଟିଯାଇଛି। ରାଜା, ମହରାଜାଙ୍କ ସମୟରେ ବି ଶାସକଙ୍କ ସହ ଜନତାଙ୍କର କିଛି ସମ୍ପର୍କ ଥିଲା। ତାହା ବି ଏଠାରେ ନାହିଁ। ଭୁବନେଶ୍ବରରେ ରୋଡ୍‌ ସୋ’ ସମୟରେ ଏକ ଜାତୀୟ ଗଣମାଧ୍ୟମକୁ ମୋଦୀ ସାକ୍ଷାତକାର ଦେଇଥିଲେ। ସେ କହିଥିଲେ, ଓଡ଼ିଶାରେ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସିବାକୁ ଯାଉଛି। ଏଠାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି। ଆଜି ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଏମିତି ଉତ୍ସାହ ମୁଁ ବହୁତ କମ୍ ଦେଖିଛି।
ବିଜେଡି-ବିଜେପି ସମ୍ପର୍କକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆମେ ଦୁଇଟି ଅଲଗା ଦଳ ଥିଲୁ ଓ ଅଛୁ। ସଂସଦରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ମିଳିଛି। ବିଧାନସଭାରେ ଆମର ସେମାନଙ୍କ ବିରୋଧରେ ଲଢ଼େଇ ଜାରି ରହିଛି। ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ଆମେ ପ୍ରତିବଦ୍ଧ। ଆମେ ‌ଲୋକଙ୍କୁ ସରକାରଙ୍କ ସହ ଯୋଡ଼ି ଓଡ଼ିଆ ନାଗରିକଙ୍କ ଆଶା, ଆକାଂକ୍ଷା ପୂରଣ ପାଇଁ ଚେଷ୍ଟା କରିବୁ।

ସମ୍ବନ୍ଧିତ ଖବର