୮ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଡ୍ୟୁଲାର ଚକ୍ଷୁ ଓଟି: ଚଳିତ ଆର୍ଥିକ ବର୍ଷରେ ୧୦୪ ସିଏଚ୍‌ସିରେ ଭିଜନ୍ ସେଣ୍ଟର

ଧାର୍ଯ୍ୟ ସମୟରେ ଯାଞ୍ଚ ନ ସରିବାକୁ ନେଇ ମୁଖ୍ୟଯନ୍ତ୍ରୀ(କୋଠା)ଙ୍କ ଉଦ୍‌ବେଗ

ଭୁବନେଶ୍ବର: ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ‘ସୁନେତ୍ର’ ଜରିଆରେ ରାଜ୍ୟ ସରକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଡ୍ୟୁଲାର ଓଟି(ଅସ୍ତ୍ରୋପଚାର ଗୃହ) ନିର୍ମାଣ କରୁଛନ୍ତି। ଏଥିପାଇଁ ନିର୍ବାହୀ/ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ଏହାର ସ୍ଥାନ ଚିହ୍ନଟ କରିବା ଲାଗି କୁହାଯାଇଥିଲା। ‌ହେଲେ ଧାର୍ଯ୍ୟ ସମୟରେ ଏହାର ଯାଞ୍ଚ ଓ ବ୍ୟୟ ଅଟକଳ କରିବାରେ ଯନ୍ତ୍ରୀମାନେ ବିଫଳ ହୋଇଛନ୍ତି। ଏଥିପାଇଁ ମୁଖ୍ୟଯନ୍ତ୍ରୀ(କୋଠା) ଉଦ୍‌ବେଗ ପ୍ରକାଶ କରିବା ସହିତ ଆସନ୍ତା ୭ଦିନ ଭିତରେ ଏ ସଂର୍ପିକତ ରିପୋର୍ଟ ପ୍ରଦାନ କରିବା ଲାଗି କହିଛନ୍ତି।

‘ସୁନେତ୍ର’ ଯୋଜନାରେ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଡ୍ୟୁଲାର ଓଟି ନିର୍ମାଣ କରାଯିବ। ହେଲେ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୮ଟି ଜିଲ୍ଲା ଢେଙ୍କାନାଳ, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, ନୂଆପଡ଼ା, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରେ ଏହାକୁ ନିର୍ମାଣ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଗତମାସ ୩୦ତାରିଖ ସୁଦ୍ଧା ସ୍ଥାନୀୟ ସିଡିଏମ୍‌ଓମାନଙ୍କୁ ଏହାର ବ୍ୟୟ ଅଟକଳ ସହିତ ଯାଞ୍ଚ ରିପୋର୍ଟ ପ୍ରଦାନ କରିବା ଲାଗି ନିର୍ବାହୀ/ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ କୁହାଯାଇଥିଲା। ମାତ୍ର ଧାର୍ଯ୍ୟ ସମୟ ଭିତରେ ଶେଷ ହୋଇନାହିଁ। ତେଣୁ ତୁରନ୍ତ ଜାଗା ଚିହ୍ନଟ କରିବା ସହିତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ନେଇ ସୂଚନା ପ୍ରଦାନ କରିବା ଲାଗି ମୁଖ୍ୟଯନ୍ତ୍ରୀ(କୋଠା) ଚିଠିରେ ଉଲ୍ଲେଖ କରିଛନ୍ତି।

ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସି ସ୍ତରରେ ଭିଜନ୍ ସେଣ୍ଟର ଖୋଲିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ବର୍ତମାନସୁଦ୍ଧା ୧୪୬ଟି ସିଏଚ୍‌ସିରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୧୧୯ଟିରେ କାମ ଚାଲିଛି। ଚଳିତ ଆର୍ଥିକ ବର୍ଷରେ ଆଉ ୧୦୪ଟି ସିଏଚ୍‌ସିରେ ଏହାକୁ ନିର୍ମାଣ କରାଯିବ। ଏଥିରେ ଚକ୍ଷୁ ପରୀକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରପାତି ସହିତ ଜଣେ ଚକ୍ଷୁରୋଗ ବିଶେଷଜ୍ଞ ରହିବେ। ଏହାସହ ୩୦ ଜିଲ୍ଲାରେ ଭ୍ରାମ୍ୟମାଣ ଭିଜନ୍ ସେଣ୍ଟର ମଧ୍ୟ ନିର୍ମାଣ କରାଯିବ। ଏହି ଭ୍ୟାନ୍ ବୁଲି ବୁଲି ଲୋକଙ୍କ ଚକ୍ଷୁ ପରୀକ୍ଷା କରିବ। ଏହାର ଯନ୍ତ୍ରପାତି କ୍ରୟ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅର୍ଥ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାସ୍ତରରେ ମଡ୍ୟୁଲାର ଚକ୍ଷୁ ଓଟି ନିର୍ମାଣ ଅସ୍ତ୍ରୋପଚାରକୁ ତ୍ବରାନ୍ବିତ କରିବ। ଯେହେତୁ ରାଜ୍ୟର ସବୁ ଜିଲ୍ଲାରେ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଓଟି ରହିଛି। ମାତ୍ର ରାଜ୍ୟ ସରକାର ଏସବୁ ଓଟିକୁ ମଡ୍ୟୁଲାର ଓଟିରେ ପରିଣତ କରିବାକୁ ଚାହୁଁଛନ୍ତି। ଏହି ଓଟି ଜରିଆରେ ସଂକ୍ରମଣ ନିୟନ୍ତ୍ରଣ ସହିତ ଅତ୍ୟାଧୁନିକ ଅସ୍ତ୍ରୋପଚାର ସୁବିଧା ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ୨୦୧୭ ମସିହା ଅକ୍ଟୋବର ୧୨ତାରିଖରେ ରାଜ୍ୟରେ ‘ସୁନେତ୍ର’ ଯୋଜନା ଆରମ୍ଭ ହୋଇଥିଲା। ୨୦୨୩ ମସିହା ମାର୍ଚ ଶେଷ ପର୍ଯ୍ୟନ୍ତ ଏହି ଯୋଜନା ରହିଛି। ପରବର୍ତୀ ସମୟରେ ରାଜ୍ୟ ସରକାର ଏହି ଯୋଜନାକୁ ବଢ଼ାଇବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ରାଜ୍ୟରେ ଅନ୍ଧତ୍ବର ମୂଳ କାରଣ ଥିବା ମୋତିଆବିନ୍ଦୁ ଅସ୍ତ୍ରୋପଚାର ଟାର୍ଗେଟ୍‌ ପୂରଣ ହୋଇପାରୁ ନାହିଁ। ୨୦୧୭ ମସିହାରୁ ଚଳିତବର୍ଷ(୨୦୨୨) ସୁଦ୍ଧା ରାଜ୍ୟ ସରକାର ୨୫ ପ୍ରତିଶତ ଅନ୍ଧତ୍ବ ଦୂରୀକରଣ କରିବା ଲାଗି ‘ସୁନେତ୍ର’ ଜରିଆରେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ମାତ୍ର ଏହି ଲକ୍ଷ୍ୟ ପୂରଣ ହୋଇପାରିବ କି ନାହିଁ ତାହାକୁ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର