ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଅଖିଳ ଭାରତୀୟ ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ପାଇଁ ଭୁବନେଶ୍ୱରରେ ପହଂଚିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ | ଆସନ୍ତା ଅକ୍ଟୋବର ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହେବ। ସାମ୍ପ୍ରତିକ ପରିସ୍ଥିତିରେ ଆର୍ଏସ୍ଏସ୍ର ଏହି ବୈଠକକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍-୨ ପ୍ରେକ୍ଷାଳୟରେ ହେବାକୁ ଥିବା ଏହି ବୈଠକର ପ୍ରଥମ ଦିନ ଅର୍ଥାତ ୧୫ ତାରିଖରେ ଆର୍ଏସ୍ଏସ୍ର ସମସ୍ତ କର୍ମକର୍ତ୍ତା ଏଥିରେ ଯୋଗ ଦେବେ। ୧୬ ତାରିଖରେ କେବଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ବୈଠକ ହେବ। ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଅଖିଳ ଭାରତୀୟ ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଚାଲିବ।
ଧାରା ୩୭୦ ଓ ତିନି ତଲାକ୍ର ଉଚ୍ଛେଦ, ବିଶ୍ବ ତାପନ, ଆଗାମୀ ବିଧାନସଭା ନିର୍ବାଚନ, ଜାତୀୟ ନାଗରିକ ରେଜିଷ୍ଟର୍ ଓ ରାମ ମନ୍ଦିର ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଭାଗବତ ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିବେ। ଏହି ବୈଠକ ପାଇଁ ବିଜେପି ଓ ଆର୍ଏସ୍ଏସ୍ ଶିବିରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଆର୍ଏସ୍ଏସ୍ର ଓଡ଼ିଶା ଶାଖା କର୍ମକର୍ତ୍ତାମାନେ ଏହି ବୈଠକକୁ ସଫଳ କରିବା ପାଇଁ ଜୋର୍ଦାର୍ ଉଦ୍ୟମ ଚଳାଇଛନ୍ତି।