ହିନ୍ଦୁତ୍ୱ ବିବିଧତାକୁ ଯୋଡ଼େ: ମୋହନ ଭାଗବତ

ଆରଏସ୍‌ଏସ୍‌ ପ୍ରବାସୀ କାର୍ଯ୍ୟକର୍ତା ସମ୍ମିଳନୀ ଉଦ୍‌ଯାପିତ

ଅନୁଗୁଳ: ‘ହିନ୍ଦୁତ୍ୱ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ବୁଝାଏ ନାହିଁ। ଏହା ଆମ ରାଷ୍ଟ୍ରୀୟତାର ପ୍ରତୀକ। ସବୁ ଧର୍ମ, ବର୍ଣ୍ଣ, ଜାତି ଓ ବିଚାରକୁ ସମ୍ମାନ ଦେବା ତଥା ଏକତା ସୂତ୍ରରେ ବାନ୍ଧି ରଖିବା ହେଉଛି ହିନ୍ଦୁତ୍ୱ। ବିବିଧତା ଭିତରେ ଏକତା ଆମ ଦେଶର ପରିଚୟ ହୋଇଥିବା ବେଳେ ଏହାକୁ ଯୋଡ଼ି ରଖିବାର ମନ୍ତ୍ର ଶିଖାଏ ହିନ୍ଦୁତ୍ୱ। ସନାତନ କାଳରୁ ଏଭଳି ବିବିଧତାକୁ ହିନ୍ଦୁତ୍ୱ ଯୋଡ଼ି ଆସୁଛି।’ ଅନୁଗୁଳରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡ଼ିଶା ପୂର୍ବ ପ୍ରାନ୍ତର ଦୁଇ ଦିନିଆ ପ୍ରବାସୀ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏ କଥା କହିଛନ୍ତି ସଂଘର ଭାରତୀୟ ମୁଖ୍ୟ ସର ସଂଘ ଚାଳକ ଡକ୍ଟର ମୋହନ ରାଓ ଭାଗବତ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ପ୍ରଫୁଲ୍ଲ କୁମାର ତ୍ରିପାଠୀ କହିଲେ, ଆମ ସଂସ୍କୃତି ନାସ୍ତିକତା ମଧ୍ୟରେ ଆସ୍ତିକତାକୁ ଖୋଜେ। ସେହି ମହାନ୍‌ ପରାମ୍ପରାରେ ଉଦ୍‌ବୁଦ୍ଧ ହୋଇ ସ୍ୱୟଂ ସେବକମାନେ ଯେଭଳି ଭାରତମାତାର ସେବା କରୁଛନ୍ତି, ତାହା ବଜାୟ ରହୁ ବୋଲି କହିଥିଲେ। ସଂଘର ପୂର୍ବ କ୍ଷେତ୍ରର କ୍ଷେତ୍ର ସଂଘ ଚାଳକ ଅଜୟ କୁମାର ନନ୍ଦୀ, ଓଡ଼ିଶା ପୂର୍ବ ପ୍ରାନ୍ତର ସଂଘ ଚାଳକ ସମୀର କୁମାର ମହାନ୍ତି ମଂଚାସୀନ ଥିଲେ। ଓଡ଼ିଶା ପୂର୍ବ ପ୍ରାପ୍ତର କାର୍ଯ୍ୟବାହ ଡକ୍ଟର ଅନୀଲ କୁମାର ମିଶ୍ର ଅତିଥି ପରଚୟ ଓ ଧନ୍ୟବାଦ ଦେଇଥିଲେ।

ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ଙ୍କ ସମେତ ରାଜ୍ୟ ବିଜେପି ସଭାପତି ବସନ୍ତ କୁମାର ପଣ୍ଡା, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ଅନନ୍ତ ନାଏକ, ବିଜେପି ନେତା ମୋହନ ମାଝି, ପୃଥୀରାଜ ହରିଚନ୍ଦନ, ଦିଲ୍ଲୀପ ମଲ୍ଲିକ, କାଳିନ୍ଦୀ ସାମଲଙ୍କ ସମେତ ଅନ୍ୟ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର