କେନ୍ଦୁଝର: ଜଣଙ୍କ ହାତରେ ରାଜ୍ୟ ଶାସନର କ୍ଷମତା ଡୋରି, ଆଉ ଜଣେ ନିଃସ୍ବ, ଭୂମିହୀନ ଗରିବ। ହେଲେ ଦୁହିଁଙ୍କ ଭିତରେ ଥିଲା ନିବିଡ଼ ବନ୍ଧୁତ୍ବ। ଏଭଳି ବନ୍ଧୁତ୍ବ ଥିଲା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ କେନ୍ଦୁଝର ସହର କମାରଗୋଡ଼ାରେ ଭଡ଼ାଘରେ ରହୁଥିବା ନିରଞ୍ଜନ ଶତପଥୀ (୬୨)ଙ୍କ ଭିତରେ। ଆଜି ନିରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କର ଶେଷଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ସକାଳୁ ସକାଳୁ କେନ୍ଦୁଝର ଛୁଟି ଆସିଥିଲେ। ବନ୍ଧୁଙ୍କ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।
ନିରଞ୍ଜନଙ୍କ ପରିବାର କହିଲେ ପତ୍ନୀ ସବିତା, ଦୁଇପୁଅ କ୍ଷୀରୋଦ, ବାଦଲ ଓ ଝିଅ କରିସ୍ମା। ନିରଞ୍ଜନଙ୍କ ନିଜର ଘର ଓ ଜମି ନଥିବାରୁ ସେ କମାରଗୋଡ଼ା ପାଖରେ ଭଡ଼ାଘର ନେଇ ପରିବାର ସହ ରହୁଥିଲେ। ଦୀର୍ଘ ତିନି ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ନିରଞ୍ଜନଙ୍କ ସମ୍ପର୍କ ଥିଲା। ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ବାସଭବନକୁ ଗଲେ ନିରଞ୍ଜନଙ୍କୁ ନିଶ୍ଚିତ ଦେଖିବାକୁ ମିଳିଥାଏ। ଅଭାବ ଅନଟନ, ସୁଖଦୁଃଖ; ସବୁବେଳେ ମୋହନଙ୍କ ପାଖରେ ଛାଇଭଳି ରହୁଥିଲେ ନିରଞ୍ଜନ। ଧନସଂପତ୍ତି, କ୍ଷମତାରେ ଉଭୟଙ୍କ ଭିତରେ ଆକାଶପାତାଳ ଅନ୍ତର ଥିଲେ ମଧ୍ୟ ବନ୍ଧୁତା ଅତି ନିବିଡ଼ ଥିଲା।
ତେବେ ଗତକାଲ ରାତିରେ ହୃଦ୍ଘାତରେ ନିରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ବିଚଳିତ ହୋଇପଡ଼ିଥିଲେ। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଅନେକ ସରକାରୀ କାର୍ଯ୍ୟକ୍ରମ ଥିଲା। ହେଲେ ସବୁ କାର୍ଯ୍ୟକ୍ରମକୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସକାଳୁ କେନ୍ଦୁଝରରେ ପହଞ୍ଚି ଯାଇଥିଲେ। କମାରଗୋଡ଼ାସ୍ଥିତ ଭଡ଼ାଘରକୁ ଯାଇ ବନ୍ଧୁ ନିରଞ୍ଜନଙ୍କ ଶେଷଦର୍ଶନ କରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ପରେ ପୁଣି ଭୁବନେଶ୍ବର ଫେରିଯାଇଥିଲେ। ନିରଞ୍ଜନଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଯେଭଳି ବନ୍ଧୁପଣ ଦେଖାଇଲେ ତାକୁ ନେଇ ଆଜି ସହରରେ ଦିନତମାମ ଚର୍ଚ୍ଚା ଲାଗିରହିଥିଲା।