ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ଆଜି ସନ୍ଧ୍ୟାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ଏହି ଅବସରରେ ଭାବି ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀଙ୍କୁ ବିଶିଷ୍ଟ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଚୟନ ହୋଇଥିବା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଉଛି। ଆଜି ଜଣେ ଓଡ଼ିଆ ପୁଅ ହିଁ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଆଦିବାସୀଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ବେଳେ ଶ୍ରୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବା ସ୍ୱାଗତଯୋଗ୍ୟ। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଥିବା ଓ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ଆପଣମାନଙ୍କ ନେତୃତ୍ୱରେ ‘ବିକଶିତ ଓଡ଼ିଶା’ ଗଠନ ହେବା ସହ ସାଢେ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ। ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ଆଜିର ନିଷ୍ପତି ପାଇଁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ବିଜେପିର ଶୀର୍ଷ ନେତୃତ୍ୱ ଏବଂ ରାଜ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଉଛି।
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ମୋହନ ମାଝୀ ହେଉଛନ୍ତି ଦଳର ଯୁବ କର୍ମକର୍ତ୍ତା। ସେ ରାଜ୍ୟର ବକାଶ ପଥକୁ ଆଗେଇ ନେବା ଦିଗରେ କାମ କରିବେ।