ଭୁବନେଶ୍ବର: ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଏକ ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି। ଓଡ଼ିଶା ଇତିହାସରେ ଯାହା କେହି କରିପାରି ନଥିଲେ, ସେହି କାମ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଶ୍ରୀ ମାଝୀ। ସେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପାଇଁ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ନିରବଚ୍ଛିନ୍ନ ଭାବେ ପଢ଼ିଛନ୍ତି। ମୋହନ ମାଝୀଙ୍କ ଏହି ବଜେଟ୍ ଉପସ୍ଥାପନକୁ ସର୍ବକାଳୀନ ବୋଲି କୁହାଯାଉଛି। ପୂର୍ବରୁ କୌଣସି ଅର୍ଥମନ୍ତ୍ରୀ ଏତିକି ସମୟ ପର୍ଯ୍ୟନ୍ତ ବଜେଟ୍ ପଢ଼ି ନଥିଲେ।
ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟା ୫ଟାରୁ ୭ଟା ୮ମିନିଟ୍ ଯାଏଁ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ସେ ୨,୬୫,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ତାଙ୍କର ସରକାରର ପ୍ରଥମ ବଜେଟ ଉପସ୍ଥାପନ କରିବା ତାଙ୍କ ପାଇଁ ଆନନ୍ଦ ଓ ଗୌରବର ବିଷୟ ବୋଲି ଏହି ଅବସରରେ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସରକାର ସମାଜର ୪ ବର୍ଗ ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି ।