ଭୁବନେଶ୍ବର : ୨୪ ବର୍ଷ ପରେ ଓଡ଼ିଶାରେ କ୍ଷମତା ପରିବର୍ତ୍ତନ କରିଥିବା ବିଜେପି ମୋହନ ଚରଣ ମାଝୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାଛିଛି। ୟୁପି-ମଧ୍ୟପ୍ରଦେଶ-ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ ବିଜେପି ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ ଫର୍ମୁଲା ଲାଗୁ କରିଛି। ଓଡ଼ିଶାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ, ସେମାନଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି। ପ୍ରଭାତି ପରିଡା ଓ କେଭି ସିଂହଦେଓ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ।

Advertisment

ମୋହନ ମାଝୀ ଓଡ଼ିଶା ରାଜନୀତିରେ ପ୍ରଥମ ଥର ପାଇଁ ବଡ଼ ପରଦାରେ ଉଭା ହୋଇଛନ୍ତି। ତେବେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୂଆ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଅଜବ ସଂଯୋଗ ଜଣାପଡ଼ିଛି ।   ନବୀନ ପଟ୍ଟନାୟକ ଯେଉଁ ବର୍ଷ (୨୦୦୦ ମସିହା) ପ୍ରଥମ ଥର ପାଇଁ ବର୍ଷ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେହିବର୍ଷ ମୋହନ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ । ଏବେ ୨୪ ବର୍ଷ ପରେ ନବୀନଙ୍କ ବିଦାୟ ପରେ ଓଡ଼ିଶାର କାର୍ଯ୍ୟଭାର ମୋହନଙ୍କ ହାତକୁ ଆସିଛି ।

୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ କେନ୍ଦୁଝର ବିଧାନସଭା ଆସନରେ ବିଜୁ ଜନତା ଦଳର ମୀନା ମାଝୀଙ୍କୁ ୧୧,୫୭୭ ଖଣ୍ଡ ଭୋଟବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ମୋହନ ଚରଣ ମାଝୀ ମୋଟ ୪ ଥର ବିଧାୟକ ହୋଇଛନ୍ତି। ୨୦୦୦ରୁ ୨୦୦୯ ମଧ୍ୟରେ ସେ ଦୁଇଥର କେନ୍ଦୁଝରରୁ ପ୍ରତିନିଧିତ୍ୱ କରିଥିଲେ। ଏହାପରେ ମୋହନ ଚରଣ ମାଝୀ ୨୦୧୯ରେ କେନ୍ଦୁଝରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।