ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ସନ୍ଧ୍ୟାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। କେନ୍ଦୁଝରରୁ ୪ ଥର ବିଧାୟକ ମୋହନ ମାଝୀ ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛି।
ମୁଖ୍ୟମନ୍ତ୍ରୀ ଭାବେ ଚୟନିତ ହେବା ପରେ ମୋହନ ମାଝୀ କହିଛନ୍ତି, ବିଜେପି ପକ୍ଷରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ କରୁଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡିଶାରେ ବିଜେପି ସରକାର ଗଠନ ହୋଇଛି। ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ରୟାସ କରାଯିବ। ଓଡ଼ିଶାର ସାଢେ ୪ କୋଟି ଜନତା ଆମ ଉପରେ ଭରସା କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଚଳିତ ନିର୍ବାଚନରେ ଓଡ଼ିଶାର ଜନତା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସେମାନଙ୍କୁ ଧନ୍ୟବାଦ ଜଣାଉଛି।
ମୋହନ ମାଝୀ କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନ ରାଇକଳାରେ ୧୯୭୨ ମସିହା ଜାନୁଆରି ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ (କଳା)। ସେ ୨୦୦୦, ୨୦୦୪, ୨୦୧୯ ଓ ୨୦୨୪ରେ ବିଜେପି ଟିକେଟ୍ରେ କେନ୍ଦୁଝର ଆସନରୁ ବିଜୟୀ ହୋଇଛନ୍ତି। ୨୦୦୫ ଫେବ୍ରୁଆରି ୨୮ରୁ ୨୦୦୯ ମାର୍ଚ୍ଚ ୯ ତାରିଖ ଯାଏଁ ସେ ବିରୋଧୀ ଦଳର ଉପମୁଖ୍ୟ ସଚେତକ ଥିଲେ।
ଭାରତ ବର୍ଷର ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟବ୍ୟାପୀ ଯେତେବେଳେ ନିର୍ବାଚନ ପ୍ରଚାର କରୁଥିଲେ ତାଙ୍କୁ ଓଡ଼ିଶାର ଲୋକେ ଭଲ ପାଇବା ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା କାର୍ଯ୍ୟରେ ପରିଣତ କରିବା ଦିଗରେ କାମ କରିବୁ। ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ବିନୀ ବୈଷ୍ଣବଳ ରାଜ୍ୟର ସଭାପତି ମନମୋହନ ସାମଲ, ନବନିର୍ବାଚିତ ସାଂସଦ, ବିଧାୟକ, କର୍ମୀ ଓ ଓଡ଼ିଶାର ଜନତାଙ୍କୁ ଧନ୍ୟବାଦ ଜଣାଉଛି।