ଭୁବନେଶ୍ବର: ରାଜ୍ୟର ପ୍ରାୟ ୭୦% ଲୋକ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାମ କରି ଜୀବିକା ନିର୍ବାହ କରିଥାନ୍ତି। ତେଣୁ ସେମାନଙ୍କ ବିକାଶ କରିବା ସହ ସୁଖଦୁଃଖରେ ଠିଆ ହେବା ଯେକୌଣସି ସରକାରଙ୍କ ନୈତିକ ଦାୟିତ୍ୱ। କୋଭିଡ ମହାମାରୀ ସମୟରେ କେବଳ କୃଷକମାନେ ହିଁ ଦେଶର ଅର୍ଥନୀତିକୁ ବଞ୍ଚାଇ ସମସ୍ତଙ୍କ ମୁହଁରେ ଆହାର ଦେଇଥିଲେ। ତେବେ ଗତ ଦୁଇ ଦଶନ୍ଧିରେ କେବଳ ଚାଉଳକୁ ଛାଡ଼ି ଦେଲେ ଅନ୍ୟ କୌଣସି କୃଷି ଉତ୍ପାଦରେ ଆମେ ସ୍ୱାବଲମ୍ବୀ ହୋଇପାରି ନାହୁଁ। ଆଳୁ, ପିଆଜ, ଟମାଟୋ ଭଳି ବିଭିନ୍ନ ପନିପରିବା, ମାଛ, ଅଣ୍ଡା ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ତାହାକୁ ଦୃଷ୍ଟିରେ ରଖି ପ୍ରାଥମିକତା ଭିତ୍ତିରେ ଆମେ କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପ୍ରଚେଷ୍ଟା କରୁଛୁ। ଜଳସେଚନ, ଶୀତଳ ଭଣ୍ଡାର, ମଡେଲ ମଣ୍ଡି ଓ ଗୋଦାମ ଗୃହ ନିର୍ମାଣ, କୃଷି ଯନ୍ତ୍ରପାତି ଉପଲବ୍ଧତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କୃଷି ଓଡ଼ିଶା-୨୦୨୫କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
କୃଷି ବିକାଶ ଓ କୃଷକ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ଶ୍ରୀ ମାଝୀ କହିଲେ, ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ୍ ସହାୟତା ଯୋଗାଇ ଦିଆଯାଉଛି। ସିଏମ୍-କିଷାନ ଯୋଜନାରେ ୪୫ଲକ୍ଷ ୫୭ ହଜାର ୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୩୯ହଜାର ୩୦୩ ଜଣ ଭୂମିହୀନ କୃଷି ପରିବାରକୁ ରବି ଫସଲ ପାଇଁ ୯୨୫ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ପିଏମ୍ କିଷାନ ଯୋଜନାରେ ପ୍ରତି ଭୂମିଧାରୀ ଚାଷୀଙ୍କ ପାଇଁ ତିନିଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ଅକ୍ଟୋବର ୫ରେ ପ୍ରଦାନ କରାଯାଇଥିବା ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତିରେ ରାଜ୍ୟର ୩୧ଲକ୍ଷ ୫୧ ହଜାର ଚାଷୀ ଉପକୃତ ହୋଇଛନ୍ତି। ଅଧିକ ଚାଷୀଙ୍କୁ ଯୋଡ଼ିବାକୁ ସ୍ୱତନ୍ତ୍ର ସାଚୁରେସନ ଡ୍ରାଇଭ୍ ଆରମ୍ଭ କରାଯାଇ ୩.୬୨ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ସେ ସୂଚନା ଦେଇଥିଲେ।
କୃଷି ଓଡ଼ିଶା-୨୦୨୫ ଉଦ୍ଘାଟିତ
ଦୁଇ ଦଶନ୍ଧିରେ କେବଳ ଚାଉଳରେ ସ୍ବାବଲମ୍ବୀ ହୋଇଛୁ
ଏବର୍ଷ ୨.୪ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ ଲକ୍ଷ୍ୟ
୫୮ଟି ସବ୍ଡିଭିଜନ୍ରେ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ
ଦାରିଙ୍ଗବାଡି ଓ ସ୍ବାଭିମାନ ଅଞ୍ଚଳରେ ରସାୟନମୁକ୍ତ ଚାଷ ହେବ
ରାଜ୍ୟରେ ମୃତ୍ତିକା ସ୍ବାସ୍ଥ୍ୟ ମିସନ୍ କାର୍ଯ୍ୟକାରୀ କରାଯିବ
ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ବଳଭଦ୍ର ଜୈବିକ ଚାଷ ମିସନରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଓ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ରସାୟନମୁକ୍ତ ପ୍ରାକୃତିକ ଚାଷ ପ୍ରଚଳନ କରାଯିବ। ମୃତ୍ତିକାର ଜୈବିକ ଅଙ୍ଗାର ବୃଦ୍ଧି ନିମନ୍ତେ ରାଜ୍ୟରେ ମୃତ୍ତିକା ସ୍ୱାସ୍ଥ୍ୟ ମିସନ୍ କାର୍ଯ୍ୟକାରୀ ହେବ। ଚଳିତ ରବି ଋତୁରେ ୧.୮୦ ଲକ୍ଷ ଚାଷୀଙ୍କୁ ରିହାତି ଦରରେ ୧.୬୦ ଲକ୍ଷ କ୍ୱିଣ୍ଟାଲ ପ୍ରାମାଣିକ ଆଳୁ ବିହନ ଯୋଗାଇ ଦିଆଯାଇଛି, ଯାହାକି ଗତବର୍ଷଠାରୁ ୩ ଗୁଣ ଅଧିକ। ଚଳିତବର୍ଷ ୨.୪ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସେ କହିଥିଲେ। ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଳୁ ଉପରେ ପଶ୍ଚିମବଙ୍ଗର ମନମାନିକୁ ଦେଖି ରାଜ୍ୟରେ ଚାଷୀମାନଙ୍କୁ ଉନ୍ନତମାନର ଆଳୁ ବିହନ ଯୋଗାଣ ସହ ୫୮ଟି ସବ୍ଡିଭିଜନ୍ରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିବା କହିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, ବାତ୍ୟା ‘ଦାନା’ର ପ୍ରଭାବ ୧୪ଟି ଜିଲ୍ଲାରେ ପଡ଼ିଥିଲା। ତେବେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଅଧିକ କ୍ଷତିଗସ୍ତ ହୋଇଥିଲା। ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ୨୦ଟି ଜିଲ୍ଲାର ଫସଲ ପ୍ରଭାବିତ ହୋଇଥିବା ବେଳେ ୧୬ଟି ଜିଲ୍ଲାରେ ଧାନ, ପରିବା, କପା, ଚିନାବାଦାମ ଚାଷ ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଯାହା କିଛି ଆବଶ୍ୟକ ହେବ ରାଜ୍ୟ ସରକାର ତାହା ଯୋଗାଇଦେବେ ବୋଲି ସେ କହିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗଦେଇ କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଥିବା କହିଥିଲେ। କୃଷି ଓ କୃଷକ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ୍ଚନ୍ଦ୍ର ଚୌଧରୀ ଧନ୍ୟବାଦ ଦେଇଥିଲେ। ଉଦ୍ଘାଟନୀ ଉତ୍ସବ ଅବସରରେ କୃଷି କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜ୍ୟର ୧୦ଜଣ ସଫଳ ଚାଷୀ ଓ ୯ଜଣ ଉଦ୍ୟାନ କୃଷି ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭାଗ ପକ୍ଷରୁ ପ୍ରକାଶିତ ‘ଅମଳ ଉତ୍କଳ’ ପୁସ୍ତକ, ଇମେଜ୍ର ଅଫିସିଆଲ ୱେବସାଇଟ୍କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବା ସହ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/04/G0ATT09iRXVD2cstIhX3.jpg)