ନୂଆଦିଲ୍ଲୀ: ୨୦୩୬ରେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ଗଠନକୁ ୧୦୦ ବର୍ଷ ପୂରିବ। ତେଣୁ ପରବର୍ତ୍ତୀ ଦଶନ୍ଧି ଆମ ପାଇଁ ମହତ୍ତ୍ବପୂର୍ଣ୍ଣ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ଉଚ୍ଚ ଅଭିବୃଦ୍ଧିକୁ ଉତ୍ସାହିତ କରିବା ଲାଗି ଆମେ ଏକ ରଣନୀତି ଉପରେ କାର୍ଯ୍ୟ କରିବା ଆରମ୍ଭ କରିଛୁ। ଏହା ସହ ୨୦୪୭ ସୁଦ୍ଧା ବିକଶିତ ଭାରତକୁ ଆଗେଇ ନେବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ରାଷ୍ଟ୍ରପତି ଭବନସ୍ଥିତ ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ନିତି ଆୟୋଗର ନବମ ସଞ୍ଚାଳନ ପରିଷଦ (ଗଭର୍ଣ୍ଣିଂ କାଉନସିଲ) ବୈଠକରେ ପ୍ରଥମଥର ପାଇଁ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କେନ୍ଦ୍ରୀୟ ସହଯୋଗ ଲୋଡ଼ିବା ଅବସରରେ ଏହା କହିଛନ୍ତି। ବିକଶିତ ଓଡ଼ିଶା, ବିକଶିତ ଭାରତ ଉପରେ ମତ ରଖି ଶ୍ରୀ ମାଝୀ ରାଜ୍ୟର ଏକାଧିକ ପ୍ରସଙ୍ଗ ବୈଠକରେ ଉପସ୍ଥାପନ କରିଥିଲେ। ଓଡ଼ିଶାରେ ୪୮୦ କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଂଚଳକୁ ଉପଯୋଗ କରି ବୃହତ୍‌ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ସେ ଦାବି କରିଥିଲେ। ସେ କହିଲେ, ଧାମରା ଓ ଗୋପାଳପୁର ବନ୍ଦରାଞ୍ଚଳକୁ ଘେରି ରହିଥିବା ଅଂଚଳରେ ବୃହତ ବନ୍ଦର ଭିତ୍ତିକ ଶିଳ୍ପାଚଳ ପ୍ରତିଷ୍ଠା ପାଇଁ ସହାୟତା ଆବଶ୍ୟକ। ଏଥି ସହିତ ଅସ୍ତରଙ୍ଗ, ପାଲୁର, ବାହୁଡ଼ା ଓ ସୁବର୍ଣ୍ଣରେଖା ଠାରେ ନୂଆ ବନ୍ଦର ପ୍ରତିଷ୍ଠା କରାଯାଉ। ଗଂଜାମ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରାୟ ୪୩୦୦ ଏକର ଲୁଣା ଜମି (ସଲ୍ଟ ପ୍ୟାନ ଲ୍ୟାଣ୍ଡ)କୁ ତୁରନ୍ତ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରାଯାଉ।

Advertisment

ଓଡ଼ିଶା ସରକାର ଶିଳ୍ପ ପାର୍କ ଓ କରିଡର‌୍, ଇଲେକ୍ଟ୍ରିସିଟି ଗ୍ରିଡ୍‌, ରେଳବାଇ ଭିତ୍ତିଭୂମି ତଥା ବିମାନ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ଲକ୍ଷ୍ୟ ରଖିଥିବାରୁ ବିଭିନ୍ନ ପ୍ରକଳ୍ପ ପାଇଁ ତ୍ବରିତ ବଜେଟ, ଭିତ୍ତିଭୂମି ଓ ଶୀଘ୍ର ମଞ୍ଜୁରି ପ୍ରଦାନ କରାଯାଉ। ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶା ଯଦିଓ ବିପର୍ଯ୍ୟୟ ପରିଚାଳନାରେ ଅଗ୍ରଣୀ ରହିଛି, ତଥାପି ରାଜ୍ୟକୁ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍‌ ଓ ଟେଲିକମ ଭିତ୍ତିଭୂମି ପାଇଁ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ଉପକୂଳ ଲୁଣାବନ୍ଧ ରାଜ୍ୟକୁ ବନ୍ୟା ଓ ବାତ୍ୟାର ପ୍ରତିକୂଳ ପ୍ରଭାବକୁ କମାଇବାରେ ସାହାଯ୍ୟ କରିବ। ଓଡ଼ିଶାରେ ସମ୍ଭାବ୍ୟ ସବୁଜ ଅର୍ଥ ବ୍ୟବସ୍ଥା ପାଇଁ ପିଏଚ୍‌ଏସ୍‌ସି ପ୍ଲାଣ୍ଟ୍‌, ଭାସମାନ ସୋଲାର ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଓଡିଶାର ଦାବି ଉଠାଇଥିଲେ। ବ୍ୟାଙ୍କ ନଥିବା ପଞ୍ଚାୟତରେ ଏଟିଏମ୍‌ ବ୍ୟବସ୍ଥା, ରେଳ ଘନତ୍ବ ଜାତୀୟ ହାର ଠାରୁ କମ୍ ଥିବାରୁ ଓଡ଼ିଶାରେ ଏହାର ଉନ୍ନତି କରିବା ଓ ‘ସେମି କଣ୍ଡକ୍ଟର୍‌ ହବ୍‌’ ପ୍ରତିଷ୍ଠା ପାଇଁ ଏଫ୍‌ଡିଆଇ ଯୋଗାଡ଼ କରିବାକୁ ମୋହନ ବୈଠକରେ ଦାବି କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ଓଡ଼ିଶାର ପ୍ରାୟ ୪୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ଅଛନ୍ତି। ସେମାନଙ୍କୁ ଅନ୍ତର୍ଭୁକ୍ତ ନକରି କୌଣସି ବିକାଶ କାର୍ଯ୍ୟ ସମ୍ଭବ ନୁହେଁ। ଉକ୍ତ ବର୍ଗଙ୍କୁ ସାମଗ୍ରିକ ବିକାଶ କାର୍ଯ୍ୟରେ ନିୟୋଜିତ କରାଯିବ। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାକୁ କ୍ରିୟାନ୍ବୟନ କରାଯିବା ସହ ପଛୁଆ ଅଂଚଳର ଭିତ୍ତିଭୂମିକୁ ସୁଧରାଯିବ। ସେମାନଙ୍କର ଜୀବନଜୀବିକା, ଶିକ୍ଷା ତଥା ସ୍ବାସ୍ଥ୍ୟ କ୍ଷେତ୍ରକୁ ବିକାଶ କରାଯିବ। ଅକ୍ଷୟ ଶକ୍ତିର ସମ୍ଭାବନାକୁ ଓଡ଼ିଶାରେ ଉତ୍ତମ ଭାବରେ ବ୍ୟବହାର କରାଯିବ। ରାଜ୍ୟର ୪୮୦ କିଲୋମିଟର ଦୀର୍ଘ ଉପକୂଳ ତଥା ଜଳ ସଂପଦ ନୀଳ ଅର୍ଥନୀତି ଆଡ଼କୁ ରାସ୍ତା ଖୋଲିପାରେ ବୋଲି ସେ ଆଶା ପ୍ରକାଶ କରିଥିଲେ। ନିତି ଆୟୋଗ ବୈଠକକୁ ସମ୍ବୋଧନ ପ୍ରାରମ୍ଭରେ ଓଡ଼ିଶାରେ ତାଙ୍କ ସରକାର ୪୫ ଦିନ ପୂରଣ କରିଥିବା ତଥା ଶାସନ ଭାର ଗ୍ରହଣ କରିବା ପରେ ତାଙ୍କ ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦ‌କ୍ଷେପ ସଂପର୍କରେ ସେ ଅଗବତ କରାଇଥିଲେ।