ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସାଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବି ଉପସ୍ଥିତ ଥିଲେ। ସର୍ବଦଳୀୟ ବୈଠକରେ ଯୋଗ ଦେବା ସହ ବିଧାନସଭାର ସମସ୍ତ କାର୍ଯ୍ୟଦିବସରେ ଯୋଗ ଦେବାକୁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ତେବେ ଏହି ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ଉପମୁଖ୍ୟ ଶ୍ରୀ ସିଂହଦେଓଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କ୍ରୀଡ଼ା ପୁରସ୍କାର ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେଠାରୁ ଉଭୟ ସିଧା ନବୀନ ନିବାସ ଯାଇ ବିରୋଧୀ ଦଳ ନେତାଙ୍କୁ ଭେଟିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ, ବିରୋଧୀ ଦଳ ନେତାଙ୍କୁ ସର୍ବଦଳୀୟ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିବାକୁ ଯାଇଥିଲେ। ଏହାସହ ବିଧାନସଭାର ସମସ୍ତ କାର୍ଯ୍ୟ ଦିବସରେ ଯୋଗ ଦେବାକୁ ଅନୁରୋଧ କରିଥିଲେ। ଓଡ଼ିଶା ବିକାଶ ପାଇଁ ଗଠନମୂଳକ ପ୍ରସ୍ତାବ ଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।

Advertisment

ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ କେବେ ବିରୋଧୀ ଦଳ ନେତାଙ୍କ ଘରକୁ ଯାଇ ସର୍ବଦଳୀୟ ବୈଠକ ଓ ବିଧାନସଭା ଗୃହକୁ ଆସିବାକୁ ଅନୁରୋଧ କରିବାର ନଜିର ନାହିଁ। ପ୍ରଶ୍ନ ଉଠୁଛି, ଏଥର ଏମିତି କ’ଣ ଆବଶ୍ୟକତା‌ ପଡ଼ିଲା ଯେ ମୁଖ୍ୟମନ୍ତ୍ରୀ ନିଜେ ବିରୋଧୀ ଦଳ ନେତାଙ୍କୁ ଘରକୁ ଗଲେ? ଆହୁରି ମଧ୍ୟ ସର୍ବଦଳୀୟ ବୈଠକ ବାଚସ୍ପତି ଡାକନ୍ତି ଗୃହ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ। ଏହି ବୈଠକ ଡାକିବାରେ ଗୃହ ନେତା ତଥା ମୁଖ୍ୟମନ୍ତ୍ରୀଙ୍କର କିଛି ଭୂମିକା ନଥାଏ। ତେଣୁ ବାଚସ୍ପତିଙ୍କୁ ବୈଠକକୁ ବିରୋଧୀ ଦଳ ନେତାଙ୍କୁ ଡାକିବା‌ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ତାଙ୍କ ଘରକୁ ଯିବା ଘଟଣାକୁ ରାଜନୈତିକ ମହଲରେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେହିପରି ଶନିବାର ସଂଧ୍ୟାରେ ନବୀନ ବିଜେଡି ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରି କିପରି ବିଧାନସଭାରେ ଶାସକ ଦଳକୁ ଘେରାଯିବ ସେନେଇ ରଣନୀତି ପ୍ରସ୍ତୁତ କରିଥିଲେ। ନବୀନ ନି‌ଜେ ବିଧାନସଭା ଆସିବେନି ବୋଲି କେଉଁଠି କହି ନାହାନ୍ତି। ତେଣୁ ତାଙ୍କୁ ସବୁଦିନେ ଆସିବା ପାଇଁ ଉପରେ ପଡ଼ି ନିମନ୍ତ୍ରଣ କରିବାକୁ ଯିବାର ଅର୍ଥ କ’ଣ ବୁଝାପଡ଼ୁନି। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ସ‌ତ୍ତ୍ବେ ଆଜିର ସର୍ବଦଳୀୟ ବୈଠକକୁ ନବୀନ ଆସି ନଥିଲେ। ଆଜିର ଭେଟ୍‌ଘାଟ୍‌ ମୁଖ୍ୟମନ୍ତ୍ରୀଙ୍କର କେବଳ ସୌଜନ୍ୟ ନା ଏହା ପଛରେ ଆଉ କିଛି କାରଣ ରହିଛି, ତାହାକୁ ନେଇ ରାଜନୈତିକ ମହଲରେ ସରଗରମ ଆଲୋଚନା ଚାଲିଛି।