୧୭ ଟନ୍‌ ଜବତ କାଜୁ ଚଞ୍ଚକତା ମହଙ୍ଗା ପଡ଼ିଲା : ମୋହନା ବିଡ଼ିଓ ବ˚ଶୀଧର ଖୋସ୍‌ଲା ନିଲମ୍ବିତ

ମୋହନା : ଗଞ୍ଜେଇ ସହ ଜବତ ହୋଇଥିବା ୧୭ ଟନ୍‌ରୁ ଅଧିକ କାଜୁକୁ ଚଞ୍ଚକତା କରି କମ୍‌ ମୂଲ୍ୟରେ ବିକ୍ରି କରିଦେବା ମାମଲାରେ ଗଜପତି ଜିଲ୍ଲା ମୋହନା ବିଡିଓ ବ˚ଶୀଧର ଖୋସ୍‌ଲାଙ୍କୁ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଚିଠି ସ˚ଖ୍ୟା ୪୩୯୭/୩.୩.୨୦୨୧ ବଳରେ ଏ ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହି ଘଟଣାରେ ପୂର୍ବରୁ ଅଡ଼ବା ଥାନାରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏସ୍‌ଆଇ ଆଲୋକ ରଞ୍ଜନ ଜଗଦଳାଙ୍କୁ ଗଜପତି ଏସ୍‌.ପି ତପନ ପଟ୍ଟନାୟକ ଗତ କିଛି ଦିନ ତଳେ ନିଲମ୍ବିତ କରିଥିଲେ।

ଗଜପତି ଜିଲ୍ଲା ଅଡ଼ବା ଥାନା ମାଣ୍ତିମେରା ନିକଟରେ ଗତ ୨୦୨୦ ଅଗଷ୍ଟ ମାସ୨୪ ତାରିଖରେ ଏକ କାଜୁ ବୋଝେଇ ଟ୍ରକ ସହ ୩ କୁଇଣ୍ଟାଲ ୪୪ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ଗଞ୍ଜେଇ ଚୋରା ଚାଲାଣରେ ସ˚ପୃକ୍ତ ୨ ଜଣକୁ ପୁଲିସ ଗିରଫ୍‌ କରିଥିଲା। ଉକ୍ତ ଟ୍ରକରୁ ଚୋପା ଛଡା କାଜୁ ଜବତ ହୋଇଥିବା ବେଳେ ଚୋପା ଥିବା ଗୋଟା କାଜୁ ବୋଲି ଦର୍ଶାଇ ମାତ୍ର ୧୪ ଲକ୍ଷ ଟଙ୍କାରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ବିଡିଓ ବ˚ଶୀଧର ଖୋସଲା, ଯୋଗାଣ ଅଧିକାରୀ ଶଙ୍କର ବେହେରା ଓ ଥାନା ଅଧିକାରୀ ତପନ କୁମାର ପତିଙ୍କ ଊପସ୍ଥିତିରେ ବିକ୍ରି କରାଯାଇଛି ବୋଲି କୋର୍ଟକୁ ତଥ୍ୟ ପ୍ରଦାନ କରିଥିଲେ। ତଦନ୍ତକାରୀ ଅଧିକାରୀ ତଥା ଅଡ଼ବା ଥାନା ଏଏସ୍‌ଆଇ ଆଲୋକ ଜଗଦଳା ଏହି ତଥ୍ୟ ଊପରେ ପୁନଃତଦନ୍ତ ପାଇଁ ଗଜପତି ଏସପିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ଅତିରିକ୍ତ ଏସପି ସୀତାରାମ ଶତପଥୀଙ୍କୁ ଏହାର ତଦନ୍ତ ପାଇଁ ଗତ ନଭେମ୍ବର ୧୫ ତାରିଖରେ ନିର୍ଦ୍ଦେଶ ଦେଇଥିଲେ।

ଅତିରିକ୍ତ ଏସପି ଶ୍ରୀ ଶତପଥୀ ଅଡ଼ବା ଥାନାକୁ ଆସି ଏହାର ତଦନ୍ତ କରିଥିଲେ। ତଦନ୍ତ ପରେ ବଡ଼ ଧରଣର ଘୋଟାଲା ସାମ୍‌ନାକୁ ଆସିଥିଲା। ୧୭ ଟନ୍‌ ୮୧୪ କେଜି ଚୋପା ଛଡ଼ା କାଜୁ ଜବତ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। କିନ୍ତୁ କୋର୍ଟଙ୍କୁ ଚୋପା ଥିବା ଗୋଟା କାଜୁ ଜବତ ହୋଇଥିବା ଏସ୍‌ଆଇ ଆଲୋକ ର˚ଜନ ଜଗଦଳ ଭୁଲ ତଥ୍ୟ ଦେଇଥିଲେ। ତଦନ୍ତ ରିପୋର୍ଟ ଜବତ ହୋଇଥିବା ୧୭ ଟନ୍‌ ୮୧୪ କେଜି ଚୋପାଛଡ଼ା କାଜୁର ସରକାରୀ ମୂଲ୍ୟ ୬୭ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି କରା ଯାଇଥିବା ଊଲ୍ଲେଖ କରାଯାଇଛି। ଅତିରିକ୍ତ ଏସ୍‌.ପି ତଦନ୍ତ ରିପୋର୍ଟ ଗତ ନଭେମ୍ବର ୧୭ ତାରିଖରେ ଗଜପତି ଏସ୍‌.ପିଙ୍କୁ ପ୍ରଦାନ କରିଥିଲେ। ଏହା ପରେ ଅଡ଼ବା ଥାନା ଅଧିକାରୀ ତପନ କୁମାର ପତି, ବିଡିଓ ବଂଶୀଧର ଖୋସ୍‌ଲା, ଯୋଗାଣ ଅଧିକାରୀ ଶଙ୍କର ବେହେରା, ଏସ୍‌ଆଇ ଆଲୋକ ର˚ଜନ ଜଗଦଳା, କାଜୁ ବ୍ୟବସାୟୀ ଆନ୍ଧ୍ରପ୍ରଦେଶ ପଲାସାର କେ.ରବି କୁମାର ଓ ଟ୍ରକ୍‌ ମାଲିକ ପଲାସାର ବି.ମୋହନ ରାଓ ଆଦି ୬ ଜଣଙ୍କ ନାମରେ ଏତଲା ଦିଆ ଯାଇଥିଲା।

ସମ୍ବନ୍ଧିତ ଖବର