ଓଆରଏଚ୍‌ଡିସି ଦୁର୍ନୀତି ମାମଲା : ଆଇଏଏସ୍‌ ବିନୋଦ କୁମାର ଓ ମେଟ୍ରୋ ବିଲଡର୍ସ ଏମ୍‌ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲଦଣ୍ଡ

ଭୁବନେଶ୍ବର:ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍‌ଡିସି) ଦୁର୍ନୀତି ମାମଲାରେ ଗୁରୁବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି। ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଜଜ ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ମାମଲାର ବିଚାର କରି ଓଆରଏଚଡିସିର ତତ୍କାଳୀନ ଅଧ୍ୟକ୍ଷ ଆଇଏଏସ୍‌ ଅଧିକାରୀ ବିନୋଦ କୁମାର ଓ ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି। ଏଥି ସହିତ ଓଆରଏଚ୍‌ଡିସି କଂପାନି ସେକ୍ରେଟାରି ସ୍ବସ୍ତି ରଂଜନ ମହାପାତ୍ରଙ୍କୁ ମଧ୍ୟ ୩ ବର୍ଷ ଜେଲଦଣ୍ଡ ହୋଇଛି। ‌ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୁଷଧାରୀ ମହାନ୍ତିଙ୍କୁ ମଧ୍ୟ ଋଣ ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡ ହୋଇଛି। ସମସ୍ତ ୪ ଦୋଷୀଙ୍କୁ ଜେଲ୍‌ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦାଖଲ କରିବା ପାଇଁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ମେଟ୍ରୋବିଲର୍ଡସ  ନାଁରେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ ଭିଜିଲାନ୍ସ ବିଭାଗ ତରଫରୁ ଘଟଣାର ତଦନ୍ତ କରରାଯାଇଥିଲା ଏବଂ ତଦନ୍ତ ପରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। କୋର୍ଟ ଉପରୋକ୍ତ ୪ ଜଣଙ୍କୁ ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର ଓ ସରକାରୀ ପଦବିର ଅପବ୍ୟବହାର କରି ଅନୁଗ୍ରହ ପ୍ରଦର୍ଶନ କରିବା  ଅଭିଯୋଗରେ ଦଣ୍ଡ ଶୁଣାଇଛନ୍ତି।

ସୂଚନା ଅନୁସାରେ ମେଟ୍ରୋ ବିଲଡର୍ସ ପୂର୍ବରୁ ନେଇଥିବା ଋଣ ଫେରସ୍ତରେ ଅବହେଳା କରିଥିଲା । ଏହା ସତ୍ତ୍ବେ  ଦ୍ବିତୀୟ ଥର ଆବେଦନ ହୋଇଥିବା ୧୫୦ ଲକ୍ଷଟଙ୍କାର ଋଣ ମଞ୍ଜୁର ହୋଇଥିଲା। ସେସମୟରେ ଓଆରଏଚଡିସି ଅଧ୍ୟକ୍ଷ ଥିବା ବିନୋଦ କୁମାର ତାଙ୍କ ପାଖରେ ଅର୍ଥନୈତିକ କ୍ଷମତା ନଥାଇ  ଋଣ ପ୍ରଦାନ କରିଥିଲେ।  କାରଣ ଓଆରଏଚଡିସିର ବୋର୍ଡ ଅଫ ଡାଇରେକ୍ଟର ବିନୋଦ କୁମାରଙ୍କୁ ଋଣ ପ୍ରଦାନ କରିବା ପାଇଁ ଆର୍ଥିକ କ୍ଷମତା ପ୍ରଦାନ କରି ନ ଥିଲେ। ଋଣ ଚେକରେ ଦସ୍ତଖତ କରିବା ପାଇଁ ତାଙ୍କ ପାଖରେ କ୍ଷମତା ନ ଥିଲା। ଏହି କାରଣରୁ ସେ ବେଆଇନ ଭାବେ ଋଣ ମଞ୍ଜୁର କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣେ ଋଣ ଆବେଦନକାରୀ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍ ଓ ନିର୍ଦ୍ଦେଶକ ପିୟୂଷ ମହାନ୍ତି ଚଞ୍ଚକତା କରି ଋଣ ନେଇଥିବା ଯୋଗୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଆଇଏଏସ୍ ବିନୋଦ କୁମାର ୨୦୦୦ ମସିହା ଜାନୁଆରି ୪ ତାରିଖ ଠାରୁ ୨୦୨୧ ମସିହା ମେ’ ମାସ ୧୫ ତାରିଖ ଯାଏଁ ଓଆରଏଚ୍‌ଡିସି ଅଧ୍ୟକ୍ଷ ଥିଲେ। ଏହି ସମୟରେ ସ୍ବସ୍ତି ରଂଜନ ମହାପାତ୍ର ଓଆରଏଚ୍‌ଡିସିର କମ୍ପାନି ସେକ୍ରେଟାରି ଥିଲେ। ୨୦୨୦ ଜୁନ୍‌ ୨୪ ତାରିଖରେ ମେଟ୍ରୋ ବିଲଡର୍ସ ଭୁବନେଶ୍ବରସ୍ଥିତ ନୟାପଲ୍ଲୀଠାରେ ମେଟ୍ରୋ ସିଟି-୨ ପ୍ରକଳ୍ପର ୫୦ଟି ଫ୍ଲାଟ୍‌ ପାଇଁ ୧୫୦ କୋଟି ଟଙ୍କାର ଋଣ ପାଇଁ ଆବେଦନ କରିଥିଲା।  ଆଇଏଏସ୍‌ ଅଧିକାରୀ ବିନୋଦ କୁମାର  ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍‌ଡିସି)ରୁ ମେଟ୍ରୋ ବିଲଡର୍ସ ଓଡ଼ିଶା ପ୍ରାଇଭେଟ୍‌ ଲିମିଟେଡ୍‌କୁ ୨୦୦୦ ମସିହା ଜୁଲାଇ ୬ରୁ ଅଗଷ୍ଟ ୨୮ ତାରିଖ ମଧ୍ୟରେ ତିନିଟି କିସ୍ତି ମାଧ୍ୟମରେ ୧୫୦ ଲକ୍ଷ ଟଙ୍କା ଋଣ ଦେଇଥିଲେ।

ସମ୍ବନ୍ଧିତ ଖବର