ନିର୍ବାଚନ ପୂର୍ବରୁ ମାଓବାଦୀ ସକ୍ରିୟ, ରାସ୍ତା କାମକୁ ବିରୋଧ କରି ସୁପରଭାଇଜରଙ୍କୁ ହତ୍ୟା

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୃପାଲି ପଞ୍ଚାୟତ ଅନ୍ତର୍ଗତ କୁକୁରକୁଣ୍ତରେ ରାସ୍ତା କାମକୁ ବିରୋଧ କରି ଗତକାଲି କାମରେ ନିୟୋଜିତ ସୁପରଭାଇଜରଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତ ସୁପରଭାଇଜର ମାଲକାନଗିରି ଅଞ୍ଚଳର ଗୁପ୍ତ (୪୫)। ଏଥିସହିତ ରାସ୍ତା କାମରେ ଲାଗିଥିବା ଜେସିବି, ଟିପ୍ପରକୁ ପୋଡ଼ି ଦେଇଥିଲେ। ଗତକାଲି ଅପରାହ୍ନରେ କୁକୁରକୁଣ୍ତ ଗାଁରେ ୧୫ରୁ ଊର୍ଧ୍ବ ମାଓବାଦୀ ପଶିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଚାଲିଥିବା ରାସ୍ତା କାମର ସୁପରଭାଇଜର ଗୁପ୍ତ ଏବଂ ଅନ୍ୟ କର୍ମଚାରୀଙ୍କୁ ଘେରି ଯାଇଥିଲେ। ଟିପ୍ପର ଚଲାଉଥିବା ଡ୍ରାଇଭରଙ୍କୁ ନିସ୍ତୁକ ପିଟିବା ସହିତ ସୁପରଭାଇଜରଙ୍କୁ ମାଓବାଦୀ କାବୁ କରିଥିଲେ। ଟିପ୍ପରରୁ ଡିଜେଲ ବାହାର କରି ନିଆଁ ଲଗାଇ ଦେଇଥିଲେ। ଏହାପରେ କୁକୁରକୁଣ୍ଡ ଠାରୁ ଅଳ୍ପ ଦୂରରେ ମାଟି ଖୋଳୁଥିବା ଜେସିବି ନିକଟକୁ ସୁପରଭାଇଜରଙ୍କୁ ନେଇଥିଲେ। ଜେସିବି ଡ୍ରାଇଭର ସେଠାରେ ଖାଉଥିବା ବେଳେ ତାଙ୍କ ୨ ହାତକୁ ବାନ୍ଧି ଦେଇଥିଲେ। ବିରୋଧ ସତ୍ତ୍ବେ କାହିଁକି କାମ କରୁଛ ବୋଲି ପ୍ରଶ୍ନ କରିବା ସହିତ ସୁପରଭାଇଜରଙ୍କୁ ନିସ୍ତୁକ ପିଟିଥିଲେ। ସୁପରଭାଇଜର ଗୁପ୍ତ ନିବେଦନ କରିବା ପରେ ବି ତାଙ୍କୁ ଛାଡ଼ି ନଥିଲେ। ହଠାତ୍ ଜଣେ ମାଓବାଦୀ ମୁଣ୍ତ ପଛପଟେ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ୪ରୁ ୫ଥର ବାରମ୍ବାର ଟାଙ୍ଗିଆରେ ହାଣିଥିଲେ। ଶବକୁ ଘୋଡ଼ାଇ ଦେଇ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ଯିବା ସମୟରେ କୁକୁରକୁଣ୍ତ ରାସ୍ତାର ଗୋଟିଏ ମହୁଲ ଗଛରେ ହିନ୍ଦୀରେ ଭାଷାରେ ପୋଷ୍ଟର ଛାଡ଼ି ଯାଇଥିଲେ। ଛତିଶଗଡ ବସ୍ତର ଏରିଆ କମିଟି ଏହି କାଣ୍ତ ଘଟାଇଥିବା ସୂଚନା ରହିଛି। ଘଟଣା ପର ଠାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଚାନ୍ଦା ନ ଦେବାରୁ ରୋଲର୍‌ ଜାଳିଦେଲେ
ରାଉରକେଲା/ବଣାଇଁଗଡ଼/ବିଶ୍ରା: ସାଧାରଣ ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡ ସୀମାବର୍ତୀ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ମାଓବାଦୀମାନେ ସୁନ୍ଦରଗଡ଼ ଜିଲ୍ଲାସ୍ଥ ବଣାଇଁ ଉପଖଣ୍ଡର ଅନେକ ସ୍ଥାନରେ ଲ୍ୟାଣ୍ଡମାଇନ୍ ଖଞ୍ଜି ଥିବାବେଳେ ବିଶ୍ରା ଅଞ୍ଚଳରେ ରାସ୍ତା କାମରେ ନିୟୋଜିତ ଏକ ରୋଲର୍‌କୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ଏଥିପାଇଁ ପୁଲିସ ପକ୍ଷରୁ ସଂପୃକ୍ତ ଇଲାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ସହ କମ୍ବିଂ ଅପରେସନ୍‌କୁ ‌ଜୋର୍‌ରଦାର କରାଯାଇଛି। ମିଳିଥିବା ସୂଚନା ଆଧାରରେ କୋଇଡ଼ା ଥାନା ଅଞ୍ଚଳ ତଥା ସରଣ୍ଡା ଜଙ୍ଗଲ ସଂଲଗ୍ନ ତୋଡ଼ା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ପୁଲିସ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଚାଲିଥିବା ବେଳେ ବିସ୍ଫୋରକ ମିଳିଥିଲା। ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ଅନୁମାନ କରି ଯବାନମାନେ ଏହି ଅଞ୍ଚଳକୁ ଘେରାଉ କରି ରଖିଥିଲେ। ସିଆର୍‌ପିଏଫ ୧୯ ବାଟାଲିଅନର କମାଣ୍ଡାଣ୍ଟ ରାଜେଶ କୁମାରଙ୍କ ନେତୃତ୍ବରେ ବୋମା ନିଷ୍କ୍ରିୟକାରୀ ଦଳ ମାଟି ତଳେ ପୋତା ଯାଇଥିବା ପ୍ରାୟ ୨୫ରୁ ୩୦ କେଜି ଆଇଇଡିକୁ ଅକାମୀ କରି ଦେଇଥିଲେ। ନିର୍ବାଚନର ଠିକ୍ ପୂର୍ବରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରାର ଜୟକରଣକୁଦର ନିକଟରେ ମାଓବାଦୀମାନେ ହିଂସାକାଣ୍ଡ ଭିଆଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାରେ ନିର୍ମାଣଧୀନ ରାସ୍ତା କାମ ପାଇଁ ବ୍ୟବହୃତ ଏକ ରୋଲର୍‌କୁ ନିଆଁ ଲଗାଇ ଜାଳି ଦେଇଛନ୍ତି।

ସମ୍ବନ୍ଧିତ ଖବର