ମାଓବାଦୀଙ୍କ ବର୍ବରକାଣ୍ଡ : ଠିକାଦାରଙ୍କୁ ଗୁଳିକରି ହତ୍ୟା
ଭବାନୀପାଟଣା/ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲାରେ ମାଓବାଦୀମାନେ ପୁଣି ଏକ ବର୍ବର କାଣ୍ଡ ଘଟାଇଛନ୍ତି। ଏହି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦର ସାପ୍ତାହିକ ହାଟରେ ମାଓବାଦୀମାନେ ଗୁଳି କରି ରାଜେନ୍ଦ୍ର ସାହୁ ନାମକ ଜଣେ ଠିକାଦାରଙ୍କୁ ହତ୍ୟା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଲାଞ୍ଜିଗଡ଼ ବ୍ଲକର ପାହାଡ଼ପଦର ପଞ୍ଚାୟତ ବୋରପଦର ଗାଁର ଠିକାଦାର ରାଜେନ୍ଦ୍ର ସାହୁ ରବିବାର ଦିନ ୧ଟା ସମୟରେ ବଜାର କରିବାକୁ ପାହାଡ଼ପଦର ସାପ୍ତାହିକ ହାଟକୁ ଯାଇଥିଲେ। ଏହି ସମୟରେ ୪ଜଣ ଯୁବକ ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଫୁଟାଇ ଥିଲେ। ଘଟଣାସ୍ଥଳରେ ହିଁ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ମୃତକଙ୍କ ପରିବାର ଲୋକେ ବିଜେପୁର ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ ଘଟଣାସ୍ଥଳକୁ ପହଂଚି ନଥିଲା। ରାଜେନ୍ଦ୍ରଙ୍କୁ ନିର୍ଦ୍ଦିଷ୍ଟ ଭାବେ କିଏ ହତ୍ୟା କରିଛି ପରିବାର ଲୋକେ ଏତଲାରେ ଉଲ୍ଲେଖ କରି ନଥିଲେ। ହତ୍ୟା ପରେ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡ଼ିଥିବା ସୂଚନା ମିଳିଛି। ପୋଷ୍ଟରରେ ରାୟଗଡ଼ା ଡିଭିଜନ ମାଓ ସଂଗଠନ ବୋଲି ଉଲ୍ଲେଖ କରାଯାଇଛି।
ପୂର୍ବରୁ ରାଜେନ୍ଦ୍ର ବୋରପଦରରୁ ଯୁଗସାଇପାଟଣାକୁ ସଂଯୋଗ କରୁଥିବା ରାସ୍ତାରେ ଜେସିବି ଦ୍ବାରା ଘାଟି କଟିଙ୍ଗ କରି ରାସ୍ତା କାମ କରୁଥିଲେ। ଏହି ରାସ୍ତା କାମକୁ ମାଓବାଦୀମାନେ ବିରୋଧ କରି ଆସୁଥିଲେ। ଏପରିକି ୨୦୧୫ରେ ଏହି ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଜେସିବି ଓ ଟ୍ରାକ୍ଟର ସବୁ ପୋଡ଼ି ଦେଇଥିଲେ।