କଟକ: ବିଧାୟକ ଓ ସାଂସଦଙ୍କ ବିରୋଧରେ ଥିବା ଆପରାଧିକ ମାମଲା ସଂପର୍କିତ ଆବେଦନ ଗୁଡିକର ଶୁଣାଣି ପାଇଁ ହାଇକୋର୍ଟ ପକ୍ଷରୁ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରାଯାଇଛି। ଏଣୁ ବିଧାୟକ ମହମ୍ମଦ ମୋକିମଙ୍କ ଅପିଲ ଓ ରା‌ଜନେତାଙ୍କ ସଂପର୍କିତ ଫୌଜଦାରୀ ମାମଲାର ତ୍ବରିତ ଶୁଣାଣି ନେଇ ଦାୟର ଜନସ୍ବାର୍ଥ ଆବେଦନରେ କୌଣସି ନିର୍ଦ୍ଦେଶ ପ୍ରଦାନର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଗଠନ କରାଯାଇଥିବା ସ୍ବତନ୍ତ୍ର ଖଣ୍ଡପୀଠରେ ରା‌ଜନେତାଙ୍କ ସଂପୃକ୍ତି ଥିବା ଆପରାଧିକ ମାମଲାର ୬ ମାସ ଭିତରେ ଶୁଣାଣି ହେବ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି। ଏଥିସହିତ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ରବିରଂଜନ ସାହୁ, ଫିରୋଜ ଅହମ୍ମଦ ଖାନ ଓ ସଂଗୀତା ଦାସଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଜି ମାମଲାର ଶୁଣାଣି ସମୟରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ୨୦୨୨, ସେପ୍ଟେମ୍ବର ୨୯ର ରାୟ ବିରୋଧରେ ବିଧାୟକ ଶ୍ରୀ ମୋକିମ ହାଇକୋର୍ଟରେ ଦାୟର କରିଥିବା ଅପିଲର ସାନି ସ୍ଥିତି ନେଇ ସରକାରଙ୍କ ପକ୍ଷରୁ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା। ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ମାମଲା ପ୍ରସଙ୍ଗରେ ଉଲ୍ଲେଖ କରି ଦାୟର ଏହି ଜନସ୍ବାର୍ଥ ମାମଲା ଗ୍ରହଣୀୟ ନୁହେଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଅଗଷ୍ଟ ୧୦ ତାରିଖରେ ରାଜନେତାଙ୍କ ମାମଲା ଶୁଣାଣି ପାଇଁ ହାଇକୋର୍ଟଙ୍କ ପକ୍ଷରୁ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରାଯାଇଥିବା କଥା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ବାରବାଟୀ-କଟକ ବିଧାୟକ ଶ୍ରୀ ମୋକିମଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରି ୨୦୨୨, ସେପ୍ଟେମ୍ବର ୨୯ରେ ୩ ବର୍ଷ ଜେଲ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟ ବିରୋଧରେ ଶ୍ରୀ ମୋକିମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୨, ଅକ୍ଟୋବର ୧୯ରେ ହାଇକୋର୍ଟ ଭିଜିଲାନ୍ସ ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଥିଲେ। ୨୦୨୩, ଫେବ୍ରୁଆରି ୨୨କୁ ଶ୍ରୀ ମୋକିମଙ୍କ ଅପିଲର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ମାମଲାର ଅକ୍ଟୋବର ୧୯ ପରେ ଆଉ ଶୁଣାଣି ହୋଇ ନଥିଲା। ୨୦୨୨, ଅକ୍ଟୋବର ୧ରେ ଶ୍ରୀ ମୋକିମ ହାଇକୋର୍ଟରେ ଅପିଲ ଦାୟର କରିଥିବା ବେଳେ ଆଉ କିଛି ମାସ ପରେ ଏକ ବର୍ଷ ପୂରିବାକୁ ଯାଉଛି। କିନ୍ତୁ ମାମଲାର ତ୍ବରିତ ଶୁଣାଣି ପାଇଁ ଭିଜିଲାନ୍ସ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ ବୋଲି ହାଇକୋର୍ଟରେ ଦାୟର ଆବେଦନରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୁବିର ପାଲିତ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଅମିତାଭ ମିଶ୍ର, ଅଭିଷେକ କେଜ୍ରିୱାଲ, ଅନନ୍ୟା ପ୍ରଧାନ ସହାୟତା କରୁଥିଲେ।