କଟକ : ଓଆର୍‌ଏଚ୍‌ଡିସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ଦଣ୍ଡାଦେଶ ଉପରେ ଅଙ୍କୁଶ ଲଗାଇବା ପାଇଁ ହାଇକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଶେଷ ହୋଇଛି। ମାମଲାର ରାୟ ସଂରକ୍ଷିତ ରହିଛି।

Advertisment

ପୂର୍ବରୁ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଶ୍ରୀ ମୋକିମଙ୍କୁ ଜାମିନ ପ୍ରଦାନ କରିବା ସହିତ ଜରିମାନା ଆଦାୟ ଉପରେ ରହିତାଦେଶ ଜାରି କରିଥିଲେ। କିନ୍ତୁ, ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଶ୍ରୀ ମୋକିମଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାରୁ ତାହା ଉପରେ ଅଙ୍କୁଶ (ସସପେନସନ୍) ଲଗାଇବା ପାଇଁ ଆବେଦନର ଶୁଣାଣି ଆଜିକୁ ରହିଥିଲା। ହାଇକୋର୍ଟର ବିଚାରପତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଆଜି ଶ୍ରୀ ମୋକିମଙ୍କ ଅନ୍ତରୀଣ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି କରିଥିବା ବେଳେ ରାୟକୁ ସଂରକ୍ଷିତ ରଖିଛନ୍ତି।

ଶ୍ରୀ ମୋକିମଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୁପ୍ରିମକୋର୍ଟ ସହିତ ଓଡ଼ିଶା ହାଇକୋର୍ଟ ଓ ଅନ୍ୟ ହାଇକୋର୍ଟଙ୍କ ରାୟର ବାଖ୍ୟା କରି ଯୁକ୍ତିରେ ଦର୍ଶାଇଥିଲେ ଯେ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ଆଦେଶ ଆବେଦନକାରୀଙ୍କ ବିଧାନସଭା ସଭ୍ୟପଦ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ନିମ୍ନ ଅଦାଲତଙ୍କ ଦୋଷୀସାବ୍ୟସ୍ତ ଆଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିବା ଆଇନ ସମ୍ମତ। ଅନ୍ୟପକ୍ଷରେ, ଭିଜିଲାନ୍ସ ବିଭାଗ ପକ୍ଷରୁ ବରିଷ୍ଠ ଷ୍ଟାଣ୍ଡିଂ କାଉନସିଲ ଶ୍ରୀମନ୍ତ ଦାସ ଏହି ଆବେଦନକୁ ବିରୋଧ କରିଥିଲେ। ଆବେଦନକାରୀଙ୍କ ବିରୋଧରେ ଯଥେଷ୍ଟ ତଥ୍ୟ ପ୍ରମାଣ ରହିଥିବା ବେଳେ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ସଂପୂର୍ଣ୍ଣ ଭାବେ ଆଇନ ସମ୍ମତ।

ଏଠାରେ ଉଲ୍ଲେଖ ଯୋଗ୍ୟ ଓଡ଼ିଶା ରୁରାଲ ହାଉସିଂ ଡେଭେଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଦୁର୍ନୀତି ମାମଲାର ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଶୁଣାଣି କରି ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏସ୍ ବିନୋଦ କୁମାର, ନିଗମର ପୂର୍ବତନ କମ୍ପାନି ସେକ୍ରେଟାରି ସ୍ବସ୍ତିରଂଜନ ମହାପାତ୍ର, ମେଟ୍ରୋ ବିଲ୍ଡର୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ, ନିର୍ଦ୍ଦେଶକ ପୀୟୁଷଧାରୀ ମହାନ୍ତିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଥିଲେ।