କଟକ: ପୁଣି ଅଡ଼ୁଆରେ ପଡିଛନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌। ଓଆରଏଚ୍‌ଡିସି ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡାଦେଶ ବିରୋଧରେ ମୋକିମଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ମୋକିମଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରି ୨୦୨୨ ସେପ୍ଟେମ୍ବର ୨୯ରେ ପ୍ରଦାନ କରିଥିବା ରାୟ ହାଇକୋର୍ଟରେ କାଏମ ରହିଛି। ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୪ ମାର୍ଚ୍ଚ ୪ରେ ଶ୍ରୀ ମୋକିମଙ୍କ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି। ଏହି ଘଟଣାରେ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶରେ ହସ୍ତକ୍ଷେପ କରିବାର କିଛି କାରଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ମୋକିମଙ୍କ ବେଲ-ବଣ୍ଡ୍ ମଧ୍ୟ ହାଇକୋର୍ଟ ବାତିଲ କରିଛନ୍ତି।

Advertisment

ଭିଜିଲାନ୍ସ ଅଦାଲତ ଦଣ୍ଡାଦେଶ ହାଇକୋର୍ଟ‌ରେ କାଏମ
ସୁପ୍ରିମକୋର୍ଟରୁ ରହିତାଦେଶ ନ ମିଳିଲେ ଲଢ଼ି ପାରିବେନି ନିର୍ବାଚନ
ରାୟର ତର୍ଜମା କରି ପଦକ୍ଷେପ ନେବି: ମୋକିମ୍‌

ହାଇକୋର୍ଟଙ୍କ ରାୟ ଉପରେ ଯଦି ସୁପ୍ରିମକୋର୍ଟରୁ ରହିତାଦେଶ ଆଣିବାରେ ମୋକିମ ବିଫଳ ହୁଅନ୍ତି ତେବେ ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କର ପ୍ରତିଦ୍ବନ୍ଦ୍ବିତା କରିବା ସମ୍ଭବ ହେବନାହିଁ। ଜନପ୍ରତିନିଧି ଆଇନ ଅନୁସାରେ ଜଣେ ବ୍ୟକ୍ତି ଯଦି ୨ ବର୍ଷ ବା ତାଠାରୁ ଅଧିକ ଜେଲ୍‌ଦଣ୍ଡରେ ଦଣ୍ଡିତ ହୁଅନ୍ତି ତେବେ ସେ ବିଧାୟକ ଅଥବା ସାଂସଦ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ପାରିବେନାହିଁ। ଅନ୍ୟପଟେ ନିମ୍ନ ଅଦାଲତ ରାୟ ବିରୋଧରେ ଦାୟର ଆବେଦନ ବିଚାରାଧୀନ ଥିବା ବେଳେ ହାଇକୋର୍ଟ ମୋକିମଙ୍କୁ
ଜାମିନ ମଞ୍ଜୁର କରିଥିଲେ। ଏହାପରେ ନିମ୍ନ ଅଦାଲତରେ ଆବଶ୍ୟକ ସର୍ତ୍ତ ଓ ବେଲ-ବଣ୍ଡ୍ ଦାଖଲ କରି ମୋକିମ ଜାମିନରେ ଥିଲେ। ହାଇକୋର୍ଟ ଅପିଲ ଖାରଜ କରିବା ସହିତ ବେଲ ବଣ୍ଡ୍ ବାତିଲ ପାଇଁ ନିର୍ଦ୍ଦେଶ ଦେବା ପରେ ଏ କ୍ଷେତ୍ରରେ ବି ମୋକିମଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏପ୍ରସଙ୍ଗରେ ମୋକିମ୍ କହିଛନ୍ତି ଯେ ଆଇନ ଉପରେ ତାଙ୍କର ବିଶ୍ବାସ ରହିଛି। ହାଇକୋର୍ଟଙ୍କ ରାୟର ତର୍ଜମା କରି ସେ ତାଙ୍କ ଓକିଲଙ୍କ ଜରିଆରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ଆଜି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ମୋକିମ ମେଟ୍ରୋ ବିଲ୍‌ଡରର ପରିଚାଳନା ନିର୍ଦ୍ଦେଶକ(ଏମଡି) ଭାବେ କୋଠାର ପ୍ଲାନ ଅନୁମୋଦନ ଓ କମ୍ପାନି ନାଁରେ ଋଣ ମଞ୍ଜୁରି କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏସବୁ ଘଟଣାରେ ହୋଇଥିବା ହେରଫେରରେ ତାଙ୍କର ସକ୍ରିୟ ଭୂମିକା ରହିଥିବାର ଯଥେଷ୍ଟ ପ୍ରମାଣ ରହିଛି। କମ୍ପାନିର ଏମ୍‌ଡି ଭାବେ ତାଙ୍କର ପର୍ସନାଲ ଗ୍ୟାରେଣ୍ଟି, ପ୍ରତିଶ୍ରୁତି ବଦଳରେ ଋଣ ମଞ୍ଜୁର କରାଯାଇଥିବା ଋଣ ଫାଇଲରୁ ସ୍ପଷ୍ଟ ହୋଇଛି। କମ୍ପାନିକୁ ଋଣ କରାଇବା ପାଇଁ ଅନ୍ୟ ଅଭିଯୁକ୍ତ ଓ ଆବେଦନକାରୀ ଜାଣିଶୁଣି ଜାଲ ନଥିପତ୍ର ବ୍ୟବହାର କରିଥିବା ସାକ୍ଷ୍ୟ ପ୍ରମାଣ ସୂଚନା ଦେଉଛି। ଆବେଦନକାରୀଙ୍କ ବିରୋଧରେ ଅଭିଯୋଗ ପ୍ରମାଣ କରିବାରେ ପ୍ରସିକ୍ୟୁସନ ସଫଳ ହୋଇଛି। ତେଣୁ ନିମ୍ନ ଅଦାଲତଙ୍କ ରାୟ ଓ ଦଣ୍ଡାଦେଶ କାଏମ ରଖାଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଦୁର୍ନୀତି ମାମଲାର ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଶୁଣାଣି କରି ୨୦୨୨ ସେପ୍ଟେମ୍ବର ୨୯ରେ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏସ୍ ବିନୋଦ କୁମାର, ନିଗମର ପୂର୍ବତନ କମ୍ପାନି ସେକ୍ରେଟାରି ସ୍ବସ୍ତିରଂଜନ ମହାପାତ୍ର, ମେଟ୍ରୋ ବିଲ୍ଡର୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ, ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଥିଲେ। ଏହି ରାୟକୁ ଚାଲେଞ୍ଜ କରି ଶ୍ରୀ ମୋକିମ କରିଥିବା ଆବେଦନକୁ ୨୦୨୨ ଅକ୍ଟୋବର ୧୦ରେ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ନିମ୍ନ ଅଦାଲତଙ୍କ ଜରିମାନା ଦଣ୍ଡାଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏହାପରେ ୨୦୨୨ ଅକ୍ଟୋବର ୧୯ରେ ହାଇକୋର୍ଟ ଶ୍ରୀ ମୋକିମଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଥିଲେ। ଭିଜିଲାନ୍ସ ତରଫରୁ ବରିଷ୍ଠ ଷ୍ଟାଣ୍ଡିଂ କାଉନସିଲ ଶ୍ରୀମନ୍ତ ଦାସ ଓ ଷ୍ଟାଣ୍ଡିଂ କାଉନସିଲ ସଂଜୟ କୁମାର ଦାସ ମାମଲା ପରିଚାଳନା କରୁଥିଲେ।