ଭୁବନେଶ୍ୱର: ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଦିନ ପାଳନ କରିବା ପୂର୍ବରୁ ତାହା ପାଳନ କରିବାକୁ ଆମର ଯୋଗ୍ୟତା ଅଛି ନା ନାହିଁ ତାହା ବିଚାର କରିବାକୁ ପଡ଼ିବ। କାରଣ ସେ ଦୁଇଟି ବିଷୟକୁ ସବୁବେଳେ ଗୁରୁତ୍ୱ ଦେଇଥିଲେ- ଓଡ଼ିଆକୁ ସରକାରୀ ଭାଷାରେ ପରିଣତ କରିବା ଏବଂ ନିଶାମୁକ୍ତ ଓଡ଼ିଶା ଗଠନ କରିବା। ଏଯାବତ୍ ଏଦୁଇଟି ଯାକ ହୋଇପାରିନାହିଁ। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଭୁବନେଶ୍ବରସ୍ଥ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ସଭାଗୃହରେ ଅନୁଷ୍ଠିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ‘ନିଶାମୁକ୍ତ ଓଡ଼ିଶା ଜରୁରି ଏବଂ ଏହାକୁ କାର୍ଯ୍ୟକାରୀ କରିବାରେ ସରକାର ଓ ଜନସାଧାରଣଙ୍କ କର୍ତ୍ତବ୍ୟ’ ଶୀର୍ଷକ ଏହି ଆଲୋଚନାଚକ୍ରରେ ସେ ଆହୁରି କହିଥିଲେ ଯେପର୍ଯ୍ୟନ୍ତ ସରକାରଙ୍କୁ ମଦ ବ୍ୟବସାୟରୁ ରାଜସ୍ୱ ମିଳୁଥିବ ଏବଂ କିଛି ସଂଭ୍ରାନ୍ତ ଘରର ଲୋକମାନେ ଏହାକୁ ଜୀବନଶୈଳୀର ଏକ ଅଂଶ ବୋଲି ବିବେଚନା କରୁଥିବେ, ସେ ପର୍ଯ୍ୟନ୍ତ ଏହାକୁ ବନ୍ଦ କରିବା କଷ୍ଟକର। ମଦମୁକ୍ତ ଓଡ଼ିଶା ଗଠନ କରିବାକୁ ହେଲେ ମହିଳାମାନଙ୍କୁ ସଶକ୍ତ କରିବାକୁ ପଡ଼ିବ। ଯାହାଦ୍ୱାରା ସେମାନେ ନିଜ ଘର ସହିତ ଆଖପାଖ ଲୋକଙ୍କୁ ମଧ୍ୟ ସଚେତନ କରିପାରିବେ। ଯଦି ନବକୃଷ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଅଛି ତେବେ ଭାଷାକୁ ସମ୍ମାନ ଜଣାନ୍ତୁ ଓ ନିଶାଠୁ ଦୂରେଇ ରହନ୍ତୁ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ‘ମୋନା’ର ସଭାପତି ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମ ଚରଣ ନାୟକ ସଭାପତିତ୍ୱ କରି ନବକୃଷ୍ଣଙ୍କ ପ୍ରଣୀତ ୧୯୫୬ ନିଶା ନିବାରଣ ଆଇନ ଲାଗୁ କରିବାକୁ ଦାବି ଉଠାଇଥିଲେ। ଏଥିସହିତ ମଦମୁକ୍ତ ଓଡ଼ିଶା ଦାବି ନେଇ ସାରାରାଜ୍ୟରୁ ୧୦ ଲକ୍ଷ ଦସ୍ତଖତ ସଂଗ୍ରହ କରିବା ଅଭିଯାନକୁ ସଫଳ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଆସନ୍ତା ଜାନୁଆରି ୩୦ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଏହି ସଂଗୃହିତ ଦସ୍ତଖତ ଦାବିପତ୍ର ପ୍ରଦାନ କରାଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଓ ସାଂସଦ ପଦ୍ମନାଭ ବେହେରା, ପ୍ରଜାପତି ବ୍ରହ୍ମାକୁମାରୀ ଓଡ଼ିଶା ମୁଖ୍ୟ ଲିନା ଭଉଣୀ, ସର୍ବଭାରତୀୟ ସର୍ବ ସେବାସଂଘର ସଭାପତି ଆଦିତ୍ୟ ପଟ୍ଟନାୟକ, ଗାନ୍ଧିବାଦୀ ସାମାଜିକ କର୍ମୀ ତଥା ସ୍ତମ୍ଭକାର ପ୍ରହ୍ଲାଦ ସିଂହ, ମଦମୁକ୍ତି ଅଭିଯାନ କର୍ମୀ ପ୍ରମିଳା ସ୍ୱାଇଁ, ରାଷ୍ଟ୍ରୀୟ ଯୁବା ସଂଗଠନ ଜାତୀୟ ସଂଯୋଜକ ମଧୁସୂଦନ ଦାସ, ମହାରାଷ୍ଟ୍ର ମଦମୁକ୍ତ ଭାରତ ଅଭିଯାନର ରଜନୀକାନ୍ତ, ତାମିଲନାଡୁ ମଦମୁକ୍ତ ଭାରତ ଅଭିଯାନର ଶିବ କୁମାର, ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରନେତା କମଲ କିରଣ ପତି, ଅଭିନେତ୍ରୀ ଓ ଯୁବ ପ୍ରତିଭା ଅଙ୍କିତା ସ୍ୱାଇଁ, ବର୍ଷାରାଣୀ ଜେନା, ଯୋଗ ପ୍ରଶିକ୍ଷକ ବିଶ୍ବ ରଞ୍ଜନ ରଥ, ପୂର୍ବତନ ଆଦିବାସୀ ମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂହ ଯୋଗଦେଇ ମଦମୁକ୍ତ ଓଡ଼ିଶା ଗଠନ କରିବାରେ ସରକାରଙ୍କ ବିଫଳତା ଓ ଏଥିରେ ଯୁବପିଢ଼ି ଓ ମହିଳାଙ୍କ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। କାହ୍ନୁ ଚରଣ ବେହୁରା ମଞ୍ଚ ପରିଚାଳନା କରିଥିଲା ବେଳେ ସଂଯୋଜନା କରିଥିଲେ ପ୍ରଫେସର କୁଳମଣି ନାୟକ। ଧନ୍ୟବାଦ ଦେଇଥିଲେ ଅପର୍ଣ୍ଣା ନାୟକ। ବିଜୟ ସ୍ବାଇଁ, ମଳୟ ତ୍ରିପାଠୀ, ବାଣୀ ଦାସ, ଶୁଭେନ୍ଦୁ ରାଉତରାୟ, ଖଗେଶ୍ବର ବଳ, ପ୍ରିୟନାଥ ଆଚାର୍ଯ୍ୟ, ରମାକାନ୍ତ ମଣ୍ଡଳ, ଦୁଷ୍ମନ୍ତ କୁମାର ଜେନା, ପୁଷ୍ପଲତା ଜେନା, ଇନ୍ଦୁମତୀ ସାହୁ, କବିତା ପରିଡା, ରାଜଶ୍ରୀ ବିଶ୍ୱାଳ, ବନ୍ଦିତା ଦାସ, ଅରୁଣ ସ୍ୱାଇଁ, ନୀଳମଣି ମିଶ୍ର, ଦୁର୍ଗା ପ୍ରସାଦ ଦାସ, ଗୀତାଞ୍ଜଳି ସ୍ୱାଇଁ, ସୁକାନ୍ତ କୁମାର ସେଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/24/6a3ZeHu7CLcrfRkH0kRb.jpg)